Photo For The News Of Road

ମରାମତି ମାଗିଲାଣି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

State

ଆଗରପଡ଼ା :ରାସ୍ତା ନିର୍ମାଣ ପରେ ରାସ୍ତାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ ଦୃଷ୍ଟି ଦିଆଯାଉନଥିବାରୁ ଏହାର ନିର୍ମାଣ ମୁଲ୍ୟହୀନ ହୋଇପଡ଼ୁଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଧୋବାଗଡ଼ିଆ ଠାରୁ କାଉପୁରକୁ ଲମ୍ବିଥିବା ପାଖାପାଖି ୪ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଗତ ବର୍ଷ ୨୦୨୦ ମାର୍ଚ୍ଚ ମାସରେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇଥିଲା । କିନ୍ତୁ ନିର୍ମାଣ ସରିବା ପରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ଦୃଷ୍ଟି ଦିଆନଯିବା ଓ ଦୀର୍ଘ ବର୍ଷ ଧରି ଆବଶ୍ୟକୀୟ ମରାମତି ଅଭାବରୁ ଉକ୍ତ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଲାଣି । ଉକ୍ତ ରାସ୍ତାରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ବର୍ତ୍ତମାନ ଫାଟି କେରାକେରା ହୋଇଯିବା ସହ ଗମନାଗମନରେ ବିପଦ ସୃଷ୍ଟି କରୁଛି । ରାତିରେ ଉକ୍ତ ରାସ୍ତାରେ ଯିବା ଅର୍ଥ ମରଣକୁ ଆମନ୍ତ୍ରଣ କରିବା ପରିସ୍ଥିତି ସୃଷ୍ଟି ହୋଇଛି । ମିଟୁଆଣୀ, ବେଲଗଡ଼ିଆ, ତୁମ୍ଭାପଦୀ, ମୁକ୍ତାଡ଼ିହୀ ଆଦି ଗ୍ରାମର ଗ୍ରାମବାସୀମାନେ ଏହି ରାସ୍ତା ଦେଇ ପ୍ରତିଦିନ ଯାଆଆସ କରିଥାନ୍ତି । ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହେବା ସହ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମିବା ଦ୍ୱାରା ଯିବା ଆସିବା କରିବା ପାଇଁ ଏହା ସଂପୂର୍ଣ୍ଣ ଅନୁପଯୋଗି ହୋଇପଡ଼ିଛି । ରାସ୍ତା ସମସ୍ୟା ଯୋଗୁଁ ଅନେକ ସମୟରେ ସାଇକେଲ ଓ ମଟର ସାଇକେଲ ଆରୋହୀ ଏହି ରାସ୍ତାରେ ଯାଆଆସ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିବାର ପରିଲକ୍ଷିତ ହେଉଛି । ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉକ୍ତ ସଡ଼କର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି ।