ଆଗରପଡ଼ା :ପ୍ରକୃତିର ପରିବର୍ତ୍ତନରେ କୌଣସି ଋତୁ ତାର ପ୍ରକୃତ ରୂପ ଦେଖାଇପାରୁନାର୍ହି । ଯଦ୍ୱାରା ବିଭିନ୍ନ କ୍ଷେତ୍ରରେ ତାର ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଏହାର ପ୍ରଭାବ ଚାଷ କ୍ଷେତ୍ରରେ ବହୁଳ ଭାବରେ ପଡ଼ୁଛି । ତେଣୁ ଋତୁଗତ ସମସ୍ୟାକୁ ଆଖି ଆଗରେ ରଖି ସ୍ୱଳ୍ପ ପରିଶ୍ରମରେ ଅଧିକ ଲାଭ ଆଶାରେ ଚାଷୀ କୃଷି କ୍ଷେତ୍ରରେ ବହୁଳ ପରିମାଣରେ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରୁଥିବାରୁ ଏହାର ଫଳ ସ୍ୱରୂପ ଦିନକୁ ଦିନ ମାଟିର ମହକ ହଜି ହଜି ଯାଉଛି । ଯାହାଦ୍ୱାରା ଉତ୍ପାଦିତ କୃଷି ଦ୍ରବ୍ୟର ସ୍ୱାଦ ଓ ଗନ୍ଧ କମି କମି ଯାଉଛି । ମାଟିର ନିଜର ପ୍ରାକୃତିକ ଉର୍ବରତା କେବଳ ଜୈବିକ ସାର ପ୍ରୟୋଗ ଫଳରେ ସୁରକ୍ଷିତ ରହିଥାଏ । ପ୍ରକୃତି କୋଳରେ ସବୁଜ କୃଷି ଉତ୍ପାଦନ ପ୍ରକ୍ରିୟା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ପ୍ରକୃତିର ପରିବର୍ତ୍ତନ ଯୋଗୁଁ ଏଥିରେ ବର୍ତ୍ତମାନ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏଭଳି ଏକ ବ୍ୟତିକ୍ରମ ଭିତରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଉଛି ସତ ମାତ୍ର ଏହାଦ୍ୱାରା ମାଟିର ଗୁଣବତ୍ତା କମିଯାଉଥିବା ବେଳେ ଉତ୍ପାଦିତ ଦ୍ରବ୍ୟ ପ୍ରଭାବିତ ହେଉଛି । ଗୋଟିଏ କ୍ଷେତରେ ବାରମ୍ବାର ଗୋଟିଏ ପ୍ରକାର ଫସଲ କରିବା ସହ ପର୍ଯ୍ୟାୟକ୍ରମେ ଏଥିରେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ହେବା ଦ୍ୱାରା ଏପରି ଅବସ୍ଥା ସୃଷ୍ଟି ହେଉଥିବାର ଜଣାପଡ଼ିଛି । ବନ୍ତ ଅଂଚଳ ଏକ କୃଷି ପ୍ରାଧାନ୍ୟ ଅଂଚଳ । ଏହି ଅଂଚଳରେ ୮୦ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ବିଶେଷତ ଧାନ ଚାଷ ଉପରେ ନିର୍ଭର କରୁଥିବା ଚାଷୀଙ୍କର ବର୍ଷା,ଖରା ଓ ଶୀତ ଦିନିଆ ପନିପରିବା ଚାଷ ପ୍ରତି ବିଶେଷ ଆଗ୍ରହ ରହିଥାଏ । ଦିନ ଥିଲା ଏହି ଅଂଚଳରୁ ଉତ୍ପାଦିତ ହେଉଥିବା କୃଷି ଦ୍ରବ୍ୟର ସ୍ୱାଦ ଓ ଗନ୍ଧ ଥିଲା ନିଆରା । ଚାଷୀ ଦେଶୀ ବିହନ ଚାଷ କରି ସେଥିରୁ ସେ ବିହନ ରଖୁଥିଲେ । କ୍ଷେତରେ ବିଭିନ୍ନ ପ୍ରକାର ଜୈବ ଖତ ବ୍ୟବହାର କରୁଥିଲେ ।
ସେଥିରେ ଯେଉଁ କୃଷି ଦ୍ରବ୍ୟ ଉତ୍ପାଦନ ହେଉଥିଲା ଖାଉଟି ଉକ୍ତ କୃଷି ଦ୍ରବ୍ୟ ପ୍ରତି ଆକୃଷ୍ଟ ହେଉଥିଲେ । ଜୈବିକ ପଦ୍ଧତିରେ ଉତ୍ପାଦିତ କୃଷି ଦ୍ରବ୍ୟକୁ ଗାଁ ଗହଳି ଓ ଛକ ବଜାର ଠାରୁ ଆରମ୍ଭ କରି ଆଗରପଡ଼ା ଓ ବନ୍ତ ଅଂଚଳରେ ଥିବା ସାପ୍ତାହିକ ହାଟରେ ବିକ୍ରିବଟା କରୁଥିଲେ । କିନ୍ତୁ ସମୟଚକ୍ରରେ ହଜି ଯାଉଛି ଜୈବିକ ସାର ବ୍ୟହବାର କୃଷି ଦ୍ରବ୍ୟ । ଦେଶୀ ସ୍ଥାନରେ ବିଦେଶୀ ଦ୍ରବ୍ୟକୁ ନେବାକୁ ଖାଉଟିଙ୍କୁ ଏକ ପ୍ରକାର ବାଧ୍ୟ କରାଯାଉଛି । ଘର ଅଗଣାରେ ଶାଗ,ଲଙ୍କା,ଧନିଆପତ୍ର ଆଦି ଘରେ ବ୍ୟବହାର ପାଇଁ ଲଗାଇଲେ ମଧ୍ୟ ଚାଷୀ ଜୈବିକ ସାର ବଦଳରେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି । ସେହିପରି କ୍ଷେତରେ ରାସାୟନିକ ଘାସମରା ଓା÷ଷଧର ବ୍ୟବହାର କ୍ଷେତକୁ ପ୍ରଭାବିତ କରୁଛି । ଯଦ୍ୱାରା ଦିନକୁ ଦିନ କ୍ଷେତରୁ ହିତକାରୀ କୀଟଙ୍କ ବଂଶ ଲୋପ ପାଇ ଚାଲିଛି । ଚାଷୀ ତା’ କ୍ଷେତରେ ଆଉ ଗୋବର ଖତର ବ୍ୟବହାର କରୁନାହିଁ । ଚାଷୀ ଚାଷ ଜମିର ଉର୍ବରତା ବଢାଇବା ପାଇଁ କ୍ଷେତରେ ଆଉ ସେହିପ୍ରକାରର ଚାଷ କରୁଥିବା ଦେଖିବାକୁ ମିଳୁନି । ଏଡି କଥାକୁ ଚାଷୀ ମଧ୍ୟ ସ୍ୱୀକାର କରୁଛନ୍ତି । ତେଣୁ ଦିନକୁ ଦିନ ମାଟିର ଉର୍ବରତା କମିବା ସାଙ୍ଗକୁ ରାସାୟନିକ ସାର ଓ୍ୟୌଷଧର ବହୁଳ ବ୍ୟବହାର ଯୋଗୁଁ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ମଧ୍ୟ ବଢି ଚାଲିଛି । ପରୋକ୍ଷରେ କହିବାକୁ ଗଲେ ଆମ୍ଭେମାନେ ବର୍ତ୍ତମାନ ବିଶ ଖାଇବାରେ ଲାଗିପଡ଼ିଛନ୍ତି । ତେଣୁ ଚାଷୀକୁ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ପ୍ରବର୍ତ୍ତାଇବା ସହ ଓ ଚାଷକ୍ଷେତରେ ବହୁଳ ପରିମାଣର ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଠାରୁ ଦୂରେଇ ରଖିବାକୁ ଚେଷ୍ଟିତ ହେବାପାଇଁ ପ୍ରଶାସନ ବ୍ୟାପକ ସଚେତନତା ସୃଷ୍ଟି କରିବାର ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ସମେତ ପରିବେଶବିତ୍ମାନେ ମତ ପ୍ରକାଶ କରିଛନ୍ତି ।