Z

ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ

State

କେନ୍ଦ୍ରାପଡା : ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ଆଜି ଗହ୍ମାପୂର୍ଣ୍ଣିମାରେ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ସେବାୟତ ମାନଙ୍କ ଦ୍ୱରା ଶ୍ରୀବଳଦେବଙ୍କ ଗୋପନୀୟ ଜନ୍ମନୀତି ସଂପାଦନ କରାଯିବା ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଥିଲା ।
କୃଷି ସଂସ୍କୃତିର ପ୍ରତିନିଧି ହଳୀ ବଡବାଡର ମଣିମା ଆରାଧ୍ୟ ଦେବତା ଶ୍ରୀବଳଦେବଙ୍କୁ ଆଜି ସକାଳୁ ରତ୍ନମଣ୍ଡପରେ ଏକଲକ୍ଷ ତୁଳସୀ ଅର୍ପଣ କରାଯିବାପରେ ଚତୁର୍ଦ୍ଧାମୁରତୀ ଗହ୍ମାଭିଷେକ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ପୁରୀ ଜଗନ୍ନାଥ ଧାମରୁ ଭଉଣୀ ସୁଭଦ୍ରାଙ୍କ ଦ୍ୱାରା ପ୍ରେରଣ କରାଯାଇଥିବା ରାକ୍ଷୀକୁ ଆଜି ସେବାୟତମାନେ ଶ୍ରୀବଳଦେବ ଏବଂ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇଛନ୍ତି । ମନ୍ଦିର ମଧ୍ୟରେ ଭଜନ ସଂକୀର୍ତନର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀଜୀଉଙ୍କୁ ରତ୍ନସିଂହାସନରେ ଭକ୍ତମାନେ ଦର୍ଶନ କରିଛନ୍ତି । ପରମ୍ପରା ମୁତାବକ ଆଜି ହୋମଯଜ୍ଞ ଆରମ୍ଭ କରାଯାଇଛି । ମଧ୍ୟରାତ୍ର ସୁଦ୍ଧା ଏକ ଲକ୍ଷ ଆହୁତି ଅର୍ପଣ କରାଯିବ |
ସଂଧ୍ୟାରେ ୧୦୮ ବ୍ରାହ୍ମଣମାନଙ୍କ ଦ୍ୱାରା ସାମୁହିକ ବଳଭଦ୍ର ସହସ୍ରନାମ ପାଠ କରାଯାଇଥିଲା । ଭଗବାନ ସଂକର୍ଷଣ ଶୁଭ୍ରବର୍ଣ୍ଣ ତଥା ଧବଳ ରଙ୍ଗର ହୋଇଥିବାରୁ ଏହି ଦିନ କ୍ଷୀରି, ଚକୁଳି, ଚିତଉ ଆଦି ପିଠା ଭୋଗ ହୋଇଥାଏ । ଏହି ପରିପ୍ରେକ୍ଷୀରେ ସୁଆର ନିଯୋଗ ଦ୍ୱରା ଆଜି ସଂଧ୍ୟାରେ ପିଠା କ୍ଷୀରି ଭୋଗ ମାଗଣାରେ ଭକ୍ତମାନଙ୍କୁ ବିତରଣ କରାଯାଇଥିଲା | ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ବ୍ୟବସ୍ଥା କରାଯାଇଛି ।