Accused 1722675529

ବନ୍ଧା ହେଲେ ୫ ସ୍ତ୍ରୀଙ୍କ ସ୍ୱାମୀ; ଲାଇନରେ ଥିଲେ ଆହୁରି ୪୯

State

ଭୁବନେଶ୍ବର : ମିଛ କହି ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ବିବାହ କରି ସେମାନଙ୍କଠାରୁ ଟଙ୍କା ନେଇ ତଥା ସେମାନଙ୍କ ନାଁରେ ଲୋନ୍ ଉଠାଇ ବ୍ୟବସାୟ ସହିତ ମଉଜ କରୁଥିବା ଜଣେ ଠକଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ତାଙ୍କ ନାଁ ସତ୍ୟଜିତ ମାନଗୋବିନ୍ଦ ସାମଲ (୩୪)। ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ। ଏବେ ସେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରହୁଥିଲେ।
ଅଭିଯୁକ୍ତଙ୍କଠାରୁ ନଗଦ ୨ ଲକ୍ଷ ୧୦ ହଜାର ଟଙ୍କା, ଏକ ଧଳା ରଙ୍ଗର ବୋଲେନୋ କାର, ଏକ ବୁଲେଟ୍, ଏକ ଛୋଟ ବନ୍ଧୁକ, ଗୁଳି, ତିନିଟି ମୋବାଇଲ ଫୋନ୍ ଓ ୨ଟି ବିବାହ ଏଗ୍ରିମେଣ୍ଟ ପେପର ଜବତ କରାଯାଇଛି। ଏହା ସହିତ ତାଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ବିଭିନ୍ନ ଟ୍ରାଭେଲ୍ସରେ ଲାଗିଥିବା ତାଙ୍କର ଆହୁରି ୩ଟି କାରକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ମଧ୍ୟ ଜବତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି।
କଟକ-ଭୁବନେଶ୍ୱର ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଅଭିଯୁକ୍ତଙ୍କ ନାଁରେ କ୍ୟାପିଟାଲ ଥାନାରେ ଦୁଇ ଜଣ ମହିଳା ଏତଲା ଦେଇଥିଲେ। ଜୀବନସାଥୀ ମାଟ୍ରିମୋନିଆଲ ସାଇଟ୍ ଜରିଆରେ ଅଭିଯୁକ୍ତଙ୍କ ସହିତ ସେମାନଙ୍କର ପରିଚୟ ହୋଇଥିଲା। ସେମାନଙ୍କ ସହିତ ଚାଟିଂ କରିବା ପରେ ସେ ସେମାନଙ୍କୁ ବାହା ହେବାକୁ ରାଜି ହୋଇଥିଲେ। ଏହା ପରେ ଅଭିଯୁକ୍ତ ସେମାନଙ୍କ ସହିତ ସଂପର୍କ ରଖିଥିଲେ ଓ ସେମାନଙ୍କଠାରୁ ପଇସାପତ୍ର ସହିତ ଗାଡ଼ି ନେଇଥିଲେ। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଅଭିଯୁକ୍ତ ଜଣଙ୍କଠାରୁ ୩୬ ଲକ୍ଷ ଟଙ୍କା ଓ ବୋଲେନୋ କାର ନେଇଥିବା ବେଳେ ଅନ୍ୟ ଜଣଙ୍କଠାରୁ ୮ ଲକ୍ଷ ଟଙ୍କା ଓ ଏକ ବୁଲେଟ ନେଇଛନ୍ତି। ଏହି ଦୁଇ ମହିଳାଙ୍କ ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାଟ୍ରିମୋନିଆଲ ସାଇଟ୍‌ରେ ଯାଞ୍ଚ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଟ ୪୯ ଜଣ ମହିଳାଙ୍କ ସହ ଚାଟିଂ ବା ବିଭିନ୍ନ ସ୍ତରରେ ସଂପର୍କରେ ଅଛନ୍ତି। ଦୁଇ ଜଣ ଆନୁଷ୍ଠାନିକ ଭାବେ ଏତଲା ଦେଇଥିବା ବେଳେ ଆମେ ଫୋନ୍ କରି ଆଉ ଦୁଇ ଜଣ ମହିଳାଙ୍କୁ ପଚାରିବାରେ ଅଭିଯୁକ୍ତ ସେମାନଙ୍କ ସହିତ ଏଗ୍ରିମେଣ୍ଟ କରି ବାହା ହୋଇଥିବା ଜଣାପଡ଼ିଛି। ଏହି ଦୁଇ ମହିଳାଙ୍କ ମଧ୍ୟରୁ ଜଣେ କୋଲାକାତାର ଓ ଅନ୍ୟ ଜଣେ ଦିଲ୍ଲୀର।