Onn 3

ମାଲକାନଗିରିରେ ଆଉ ଗଡ଼ିବନି ଲକ୍ଷ୍ମୀ ଏସି ବସ୍: ୬ଟି ରୁଟରେ ବସ୍ ଚଳାଚଳ ବାତିଲ

State

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ହିଁ ତତ୍କାଳୀନ ସରକାର ସମସ୍ତ ବିକାଶ ମୂଳକ ଯୋଜନା ଆରମ୍ଭ କରିଥିଲେ। ଏପରିକି ଲକ୍ଷ୍ମୀ ବସ ଯୋଜନା ମଧ୍ୟ ଏହି ଜିଲ୍ଲାରୁ ଆରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଜିଲ୍ଲାରେ ପ୍ରାୟ ୩୬ଟି ଲକ୍ଷ୍ମୀ ବସ ଚଳାଚଳ କରୁଥିଲା। ୭ଟି ଟାଏ-୨ ଏବଂ ବଳକା ଲକ୍ଷ୍ମୀ ବସ ଟାଏ-୧ରେ ଚାଲୁଥିଲା। ବ୍ଲକରୁ ଜିଲ୍ଲା ସଦର ମହକୁମାକୁ ଆସୁଥିବା ବସଗୁଡିକ ଟାଏ-୨ରେ ଯାଉଥିଲା।
ଜିଲ୍ଲାର ମାଥିଲି, କାଲିମେଳା, ପଡ଼ିଆ, ଚିତ୍ରକୋଣ୍ଡା, ଖଇରପୁଟ ଏବଂ କୋରକୋଣ୍ଡା ବ୍ଲକରୁ ଆସୁଥିବା ଏସି ଲକ୍ଷ୍ମୀ ବସଗୁଡିକକୁ ବନ୍ଦ କରିଦିଆଯାଇଛି। ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଏହି ବସଗୁଡିକର ପରମିଟକୁ ରଦ୍ଦ କରିବା ସହ ଓଡିଶା ରାଜ୍ୟ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ତୁରନ୍ତ ଏହାକୁ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। ଏହି ଆଧାରରେ ଓଡିଶା ରାଜ୍ୟ ପରିବହନ ବିଭାଗର ଜିଲ୍ଲା ଅଧିକାରୀ ଏହି ବସଗୁଡିକକୁ ବର୍ତ୍ତମାନ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ବ୍ଲକରୁ ଗାଁକୁ ଗଡୁଥିବା ଗାଡିଗୁଡିକ ପୂର୍ବରୁ ଯେମିତି ଚାଲୁଥିଲା, ସେହିପରି ଚାଲିବ ବୋଲି କୁହାଯାଇଛି।
ତେବେ ବ୍ଲକ ସଦର ମହକୁମାର ଜିଲ୍ଲା ସଦର ମହକୁମାକୁ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ,ଗରିବ ଖଟିଖିଆ ଏବଂ ଆଦିବାସୀ ଭାଇଭଉଣୀମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି କୁହାଯାଇଛି।ଛାତ୍ରଛାତ୍ରୀମାନେ ମାତ୍ର ୧୦ ଟଂକାରେ ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଆସୁଥିଲେ।ଏହି ବସ ସେବା ବନ୍ଦ ହେବା ପରେ ଏବେ ସେମାନଙ୍କୁ ୫୦ ଟଂକା ଲେଖାଏଁ ଦେବାକୁ ପଡିବ ବୋଲି କୁହାଯାଇଛି।
ପ୍ରକାଶ ଥାଉକି ରାଜ୍ୟରେ ଚାଲୁଥିବା ୫୭ଟି ଏସି ବସ ସେବାରୁ ଏବେ ସୁଦ୍ଧା ୨୮ ବସ ସେବା ବନ୍ଦ ହୋଇଥିବା କୁହାଯାଇଛି।ଏହା କେବଳ ମାଲକାନଗିରି ଜିଲ୍ଲାରେ ହିଁ ନୁହେଁ ବରଂ ସାରା ଜିଲ୍ଲାରେ ଏହି ସେବା ବନ୍ଦ କରାଯାଇଥିବା ଜଣାପଡିଛି। ଏନେଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ସେ ବର୍ତ୍ତମାନ ପାଇଁ ଏହି ସେବା ବନ୍ଦ ରହିଥିବା କହିଥିଲେ। କାରଣ ଘରୋଇ ସଂଘ ମାଲିକମାନେ ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ କରିବା ପରେ ଲକ୍ଷ୍ମୀ ବସଗୁଡିକ ଚାଲୁଥିବା ସମୟଗୁଡିକ ଠିକ ନଥିବା ଦର୍ଶାଇଥିଲେ। ତେଣୁ ଆଗକୁ ସମୟ ଧାର୍ଯ୍ୟ ହେବା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ଆରଡିଓ ଭାଗରଥୀ ନାୟକ ପ୍ରକାଶ କରିଛନ୍ତି। ଏହି ସେବା ବନ୍ଦ ହେବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ବର୍ତ୍ତମାନର ସରକାର ଏନେଇ କାଳେ ଏହି ସେବା ବନ୍ଦ କରିଦେବେ କି ବୋଲି ଆଗରୁ ହିଁ ଲୋକେ ପୂର୍ବାନୁମାନ କରୁଥିଲେ।ତୁରନ୍ତ ଏନେଇ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।