Capture 3 750x430 1

ଆଡ଼ପ ପହଣ୍ଡିରେ ଅଘଟଣ: ନବୀନଙ୍କୁ ଉତ୍ତର ଦେଇ ମୋହନ କହିଲେ- ଆପଣଙ୍କର ପରାମର୍ଶ ସମ୍ମାନର ସହିତ ଗ୍ରହଣୀୟ ହେବ

State

ଭୁବନେଶ୍ବର: ଶ୍ରୀଜିଉମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯିବା ପୂର୍ବରୁ ଗତ ମଙ୍ଗଳବାର ଦିନ ପହଣ୍ଡି ସମୟରେ ଘଟିଥିବା ଅଘଟନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଜଗତର ନାଥ ଜଗନ୍ନାଥ କେବଳ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ନୁହଁନ୍ତି, ସେ ସାରା ଜଗତ ଅର୍ଥାତ ସ୍ବର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ ଅଟନ୍ତି। ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମିଳିତ ସମାହାର ଏବଂ ତାଙ୍କର ପୂଜନ ବିଧି ବ୍ୟବସ୍ଥା ସାରା ଜଗତରେ ବିରଳ। ଚଳିତ ବର୍ଷ ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିରେ ସାରାଜ ଜଗତ ଦୁଃଖିତ। ତେଣୁ ଆପଣ ଏଘଟଣାରେ ମର୍ମାହତ ହେବା ସ୍ବାଭାବିକ। ମୁଁ ମଧ୍ୟ ଗଭୀର ଭାବେ ମର୍ମାହତ।
ମୋହନ ମାଝୀ କହିଛନ୍ତି, ଆଡ଼ପ ମଣ୍ଡପ ପହଣ୍ଡି ବ‌ିଜେ ସମୟରେ ହୋଇଥିବା ଅଘଟଣ ବିଷୟରେ ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ପୁରୀ ଯିବାକୁ ନିର୍ଦ୍ଦେଶ ଦେବା ସହିତ ଭବିଷ୍ୟତରେ ଏହାର ଯେପରି ପୁନରାବୃତ୍ତି ନଘଟିବ ସେଥିପାଇଁ ଯତ୍ନବାନ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛି। ଏସମ୍ବନ୍ଧରେ ଆପଣ ମୋତେ ଲେଖିଥିବା ପତ୍ରକୁ ଗୁରୁତ୍ବର ସହ ପାଠ କରିଛି। ଆମେ ସମସ୍ତେ ମିଶି ଚତୁର୍ଦ୍ଧାମୂର୍ତ୍ତିଙ୍କ ସମସ୍ତ ସେବା ଓ ଶ୍ରୀଗୁଣ୍ଡିଚା ଯାତ୍ରା ସଠିକ ଭାବେ ସଂପନ୍ନ କରିବା। ଆପଣଙ୍କର ପରାମର୍ଶ ମୋ ପାଇଁ ସବୁ‌ବେଳେ ସମ୍ମାନର ସହିତ ଗ୍ରହଣୀୟ ହେବ।
ଶ୍ରୀ ପଟ୍ଟନାୟକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଚଳିତ ବର୍ଷ ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ଶ୍ରେଷ୍ଠ। ତାଙ୍କର ପହଣ୍ଡି‌ ବେଳେ ଏଭଳି ଅଘଟଣ ଅଶୃତପୂର୍ବ। ଚାରମାଳରେ ପହଣ୍ଡି ସମୟରେ ବଡ଼ଠାକୁର ମୁହଁ ମାଡ଼ି ପଡ଼ିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ରଥଯାତ୍ରାର ହଜାର ହଜାର ବର୍ଷର ପରଂପରାରେ ଏଭଳି ଘଟଣା କେବେ ଘଟି ନଥିଲା। ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣାକୁ ବିଶ୍ବାସ କରି ହେଲା ନାହିଁ। ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି। ସରକାରଙ୍କର ଏଭଳି ଆଭିମୁଖ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଶ୍ବସ୍ତ କରିବାରେ ସମର୍ଥ ହେଲା ନାହିଁ।