ଗୁଣାତ୍ମକ ଶିକ୍ଷାରେ ବାଧକ ସାଜିବ ଶ୍ରେଣୀ ଗୃହ ସମସ୍ୟା
ଆଗରପଡ଼ା :ସରକାରଙ୍କ ଧାର୍ଯ୍ୟ ତାରିଖ ଅନୁସାରେ ଗୁରବାର ଠାରୁ ଚଳିତ ବର୍ଷର ଯୁକ୍ତ ୨ ପ୍ରଥମ ବର୍ଷ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲରେ ଅଦ୍ୟାବଧି ନାମ ଲେଖାଇଥିବା ୬୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉପସ୍ଥିତ ଥିବା ପାଖାପାଖି ୪୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଉଛି । ହାଇସ୍କୁଲ ପ୍ରଧାନଶିକ୍ଷକ ପିତବାସ ଜେନାଙ୍କ କରକମଳରେ ଆୟୋଜିତ ଉତ୍ସବରେ ସରୋଜ ବେହେରା,ସ୍ୱପ୍ନାଲୋକ ସୂତାର,ସୁଶ୍ରୀ ସଙ୍ଗିତା ଜେନା,ଅଭିଲିପ୍ସା ସେଣ୍ଢ,ଜୋସ୍ନାରାଣୀ ପହି,ପ୍ରତାପ ମଲ୍ଲିକ ପ୍ରମୁଖ ଯୁକ୍ତ ୨ ଶ୍ରେଣୀର ବିଭିନ୍ନ ବିଭାଗର ଅତିଧି ଅଧ୍ୟାପକ/ଅଧ୍ୟାପିକା,ହାଇସ୍ଖୁଲର ଲିପି ପରିଡ଼ା,ଭାସ୍ୱତୀ ଜେନା,ଅନୁରାଧା ପାଣିଗ୍ରାହୀ,ସୁକାନ୍ତ ସିଂହ,ଲୋପାମୁଦ୍ରା ସ୍ୱାଇଁ,ଶକୁନ୍ତଳା ରାଉତ,ସ୍ୱପ୍ନା ଗୁପ୍ତା,ଶୁଭଶ୍ରୀ ପଣ୍ଡା,ରେହା ରାଉଳ,ସଙ୍ଗିତା ବେହେରା,ଜ୍ୟୋତି ରଜଂନ ପଣ୍ଡା,ବିଶ୍ୱରଜଂନ ସାମଲ,ନବନିତା ନନ୍ଦୀ,ସସ୍ମୀତା ପାଣିଗ୍ରାହୀ,ଜସମୀନ୍ ରାଉତ,ଗାୟତ୍ରୀ ଜେନା,ନିରଜଂନ ପଲାଇ ପ୍ରମୁଖ ଶିକ୍ଷକ/ଶିୟୟିତ୍ରୀ ଓ ଶିକ୍ଷା କର୍ମୀ ଆଶିଷ ବିଶ୍ୱାଳ,ରାଜକିଶୋର ଜେନା ଏବଂ କର୍ମଚାରୀ ରିତାରାଣୀ ରାଉତ ପ୍ରମୁଖ ଊପସ୍ଥିତ ଥିଲେ । ସରକାରଙ୍କ ନିର୍ଦ୍ଦେଶାନୁସାରେ ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ବିଦ୍ୟାଳୟରେ ୧୨୮ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳାରେ ଓଡ଼ିଆ,ଇଂରାଜୀ,ଇତିହାସ,ରାଜନୀତି ବିଜ୍ଞାନ,ଅର୍ଥଶାସ୍ତ୍ର ଏବଂ ତର୍କ ଶାସ୍ତ୍ର ବିଷୟରେ ଶିକ୍ଷାଲାଭ କରିବାର ସୁଯୋଗ ପାଇବେ ।
ତେବେ ଏହି ବିଦ୍ୟାଳୟରେ ଶିକ୍ଷାଲାଭ କ୍ଷେତ୍ରରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରିନଥିବାରୁ ଗୁଣାତ୍ମକ ଶିକ୍ଷାରେ ଏହା ବାଧକ ସାଜିବ ବୋଲି ଜଣାପଡ଼ିଛି । ଯାହାକୁ ନେଇ ଅଭିଭାବକମାନେ ଚିନ୍ତାରେ ଥିବା ଜଣାପଡ଼ିଛି । ଗତ ଜୁନ ୨୬ ତାରିଖରେ ରାଜ୍ୟ ସରକାର ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ନୋଡ଼ାଲ ହାଇସ୍କୁଲକୁ ଯୁକ୍ତ ୨ ମାନ୍ୟତା ଦେଇଥିଲେ । ୧୯୬୫ ମସିହାରେ ପ୍ରତିଷ୍ଠିତ ଉକ୍ତ ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷରେ ୫୩୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୨୪୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୯ମରେ୧୪୬ ଓ ୧୦ମରେ ୧୪୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଉକ୍ତ ହାଇସ୍କୁଲଟି ବ୍ଲକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ମଧ୍ୟ ବର୍ତ୍ତମାନ ଏଠାରେ ଶ୍ରେଣୀଗୃହ ମୁଖ୍ୟ ସମସ୍ୟା ପାଲଟିଛି । ଶ୍ରେଣୀ ଗୃହ ଅଭାବରୁ ୮ମ ଶ୍ରେଣୀରେ ଚଳିତବର୍ଷରେ ଅଧ୍ୟୟନ କରୁଥିବା ୧୦୧ଜଣ ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରେ ଶିକ୍ଷାଲାଭ କରୁଛନ୍ତି । ସେହିପରି ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ସଂଖ୍ୟା ଅନୁଯାୟୀ ଶ୍ରେଣୀଗୃହର ଅଭାବ ପରିଲକ୍ଷିତ ହେଉଛି । ଏହିପରି ସ୍ଥଳେ ଏଠାରେ ଯୁକ୍ତ ୨ରେ ନାମ ଲେଖାଇଥିବା ପିଲାମାନେ କିପରି ଶିକ୍ଷାଲାଭ କରିବେ ତାକୁ ନେଇ ଶିକ୍ଷାବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଶ୍ରେଣୀ ଗୃହ ସମସ୍ୟାକୁ ଦୂର କରିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳ,ବିଡ଼ିଓ ଏବଂ ଡ଼ିଇଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସୁଫଳ ପାଇପାରିନଥିବା ଜଣାପଡ଼ିଛି । ତେଣୁ ଏକ ନୂତନ ପାଠ୍ୟକ୍ରମ ମୂଳରୁ ଅସଫଳ ହେବା ଆଗରୁ ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମଡଲରୁ ଦାବି ହେଉଛି ।