Gro

ଖେଳପଡ଼ିଆ ଜମିକୁ କୌଣସି ଅନୁଷ୍ଠାନକୁ ହସ୍ତାନ୍ତର ନ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ

State

ଆଗରପଡ଼ା:ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଅଂଚଳର ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକମାତ୍ର ସରକାରୀ ଖେଳପଡ଼ିଆ ଜମିକୁ କୌଣସି ଅନୁଷ୍ଠାନକୁ ହସ୍ତାନ୍ତର ନକରିବାକୁ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସମେତ ପଂଚାୟତବାସୀ ଜିଲ୍ଲାପାଳଙ୍କ ଠାରେ ନିବେଦନ କରିଥିବା ଜଣାପଡ଼ିଛି । ଆଗରପଡ଼ା ଅଂଚଳ ଜିଲ୍ଲାର ଉପାନ୍ତ ଅଂଚଳ ହେତୁ ବାଲେଶ୍ୱର,ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ସଙ୍ଗମସ୍ଥଳ ଓ ଏକ ବ୍ୟବସାୟିକ ପେଣ୍ଢସ୍ଥଳୀ ଅଟେ । ଏଠାରେ ରାଜଧାନୀ ସମେତ ପଡ଼ୋଶୀ ଜିଲ୍ଲାର ସଦର ମହକୁମାକୁ ଯାତାୟାତ ସୁବିଧା ଦୃଷ୍ଟେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ନିମନ୍ତେ ଏହି ସ୍ଥାନ ସବୌତ୍ତମ ଅଟେ । ଆଗରପଡ଼ା ସଂଲଗ୍ନ ବିଟିପୁର ପଂଚାୟତର ବରହମପୁର ରାଜସ୍ୱ ଗ୍ରାମରେ ଶହଶହ ବର୍ଷ ପୂର୍ବରୁ ବର୍ତ୍ତମାନର ସରକାରୀ ରେକର୍ଡ଼ ଅନୁଯାୟୀ ରକ୍ଷିତ ଅନାବାଦୀ,ଖାତା ନଂ-୬୨,ପ୍ଳଟ ନଂ-୨୦୭/୨୨୫,କିସମ-ପୁରାତନ ପତିତ,ରକବା-ଏ୦୫-୦୦ଡ଼ିସିମିଲ(ପାଂଚ ଏକର) ସରକାରୀ ସମତଳ ଜମି ଗ୍ରା,ପ. ସଂରକ୍ଷିତ ପାଇଁ ସୁରକ୍ଷିତ ହୋଇଅଛି । ଦୀର୍ଘ ୧୦୦ବର୍ଷରୁ ଉର୍ଦ୍ଧ୍ୱ ହେବ ଉପରୋକ୍ତ ଜମିଟି ସର୍ବସାଧାରଣ ଖେଳ ପଡ଼ିଆ(ଦମ୍‌ଦମା ପଡ଼ିଆ)ଭାବେ ଖ୍ୟାତି ଲାଭ କରିଅଛି । ଉକ୍ତ ପଡ଼ିଆରେ ସାର୍ବଜନୀନ ଫୁଟବଲ, ଭଲିବଲ, କ୍ରିକେଟ, ବ୍ୟାଡ଼ମିଣ୍ଟନ ଖେଳ ଓ ବାର୍ଷିକ ଟୁର୍ଣ୍ଣାମେଣ୍ଟ ଆଦି ହେବା ସହିତ ବିଭିନ୍ନ ସଭାସମିତି ମଧ୍ୟ କରାଯାଉଅଛି । ଏହି ପଡ଼ିଆଟି ଦୀର୍ଘ ତଥା ସମତଳ ଜାଗା ହେତୁ ଏକଦା ଏଠାରେ ମିନି ଏରୋପ୍ଲେନ ଓ ହେଲିକ୍ୟାପଟର ଅବତରଣ କରାଯାଇଥିଲା । ଅଂଚଳବାସୀଙ୍କ ପକ୍ଷରୁ ଏଠାରେ ଏକ ଷ୍ଟାଡ଼ିୟମ କରିବା ପ୍ରସ୍ତାବ ବିଚାରାଧୀନ ରହିଛି । ମାତ୍ର ଦୁଃଖ ଓ ପରିତାପର ବିଷୟ କଲେଜର ବହୁ ପରିମାଣରେ ଦାନ ଜମି ଥିବା ବେଳେ ଉକ୍ତ ସରକାରୀ ଜମି ଗ୍ରା.ପ.ପାଇଁ ସଂରକ୍ଷିତ ଥିବାସତ୍ତ୍ୱେ ନିକଟରେ ଥିବା ଆଗରପଡ଼ା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ନାରାୟଣ ଚନ୍ଦ୍ର ପାତ୍ର ସ୍ଥାନୀୟ ଜନପ୍ରତିନିଧି,ସରପଂଚ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଂଚଳବାସୀଙ୍କ ବିନା ପରାମର୍ଶରେ ଉକ୍ତ ସର୍ବ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଜମିକୁ ଆଗରପଡ଼ା ମହାବିଦ୍ୟାଳୟ ନାମରେ ନାମିତ କରିବାକୁ ତତ୍ପରତା ପ୍ରକାଶ କରୁଥିବା ଜଣାପଡ଼ିଛି । ବୃହତ୍ତର ଆଗରପଡ଼ା ଗଠନରେ ଉକ୍ତ ଜମିର ଗୁରୁତ୍ୱ ପୂର୍ଣ୍ଣ ଭୂମିକାକୁ ଆଖି ଆଗରେ ରଖି ଅଧ୍ୟକ୍ଷଙ୍କୁ ଏହିପରି କାର୍ଯ୍ୟରୁ ନିବୃତ୍ତ ରଖିବାକୁ ଏବଂ ଉକ୍ତ ସରକାରୀ ସଂରକ୍ଷିତ ଜମିକୁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷଙ୍କୁ ନଦେବାକୁ ଏବଂ ଆଗରପଡ଼ା ଅଂଚଳବାସୀଙ୍କ ସାମୁହିକ ସ୍ୱାର୍ଥ ଉଦ୍ଦେଶ୍ୟରେ ଉକ୍ତ ଜମିକୁ ସଂରକ୍ଷିତ ରଖିବାକୁ ଜିଲ୍ଳାପରିଷଦ ସଭ୍ୟା ରୁନିତା ଦାସ,ବିଟିପୁର ସରପଂଚ ସୁଭଦ୍ରା ସିଂହ,ବଡ଼ମହିଁଷଗୋଠ ସରପଂଚ ବିନୋଦିନୀ ମହାନ୍ତି,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ,ନାଏବ ସରପଂଚ,ୱାର୍ଡ଼ ସଭ୍ୟସଭ୍ୟା ଓ ପଂଚାୟତ ବାସୀ ଜିଲ୍ଲାପାଳଙ୍କୁ ନିବେଦନ କରିବା ସହ ଏହାର ଏକକିତା ନକଲ ମାନ୍ୟବର ସାଂସଦ ଭଦ୍ରକ,ବିଧାୟକ ଭଣ୍ଡାରିପୋଖରୀ ,କେନ୍ଦ୍ରାଚଂଳ ରାଜସ୍ୱ କମିଶନର କଟକ,ଅତିରିକ୍ତ ଜିଲ୍ଲାନପାଳ(ରେଭିନ୍ୟୁ)ଭଦ୍ରକ ଓ ତହସିଲଦାର ବନ୍ତଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି ।