ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ‘ଆସ, ବହିଟିଏ କିଣିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ସ୍ନାତକୋତ୍ତର ଜାତୀୟ ସେବା ଯୋଜନା, ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଓ ଜିଲ୍ଲା ହସପିଟାଲ୍ ବାରିପଦା ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସମୁଦାୟ ୫୨ ୟୁନିଟ ରକ୍ତସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜାତୀୟ ସେବା ଯୋଜନା ସଂଯୋଜକ ଡ. ଶିଶିର ବେହେରା, ସଂଯୋଜିକା ଡ. ବିଷ୍ଣୁପ୍ରିୟା ହାଁସଦା, ଜିଲ୍ଲା ହସପିଟାଲ୍ ବାରିପଦା ରକ୍ତ ଭଣ୍ଡାରର ଡ. ହରେକୃଷ୍ଣ, ଛବି ମହାନ୍ତ, କଳ୍ପନା ସିଂ, ସବିତାରାଣୀ ଶେଜପଡ଼ା ପ୍ରମୁଖ ସହଯୋଗ କରିଥିଲେ ।
ଅପରାହ୍ନରେ ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଦ୍ୱାରା କେନ୍ଦ୍ରୀୟ ଗ୍ରନ୍ଥାଗାର ପ୍ରାଙ୍ଗଣରେ ‘ଆସ, ବହିଟିଏ କିଣିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଉଦ୍ଘାଟନ କରିଥିଲେ । କୁଳସଚିବ ସୁମିତା ସିଂ, ବିତ୍ତ ନିୟନ୍ତ୍ରକ ଶୁକଦେବ ତରେଇ, ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ମୟୂରଭଞ୍ଜର ଲେଖକ ଲେଖିକା ଗଣ ଯଥା ବାସନ୍ତୀଲତା ମହାପାତ୍ର, ଶଙ୍କର ଜେନା, ବୃନ୍ଦାବନ ଦାସ, ରାଜେନ୍ଦ୍ର ସାମଲ, ଧନେଶ୍ୱର ପଣ୍ଡା, ରାଜଲକ୍ଷ୍ମୀ ତ୍ରିପାଠୀ, ସିବୁଲାଲ୍ ମହାନ୍ତ, ପ୍ରଫେସର ବବ୍ରୁବାହନ ମହାପାତ୍ର ଆଦିଙ୍କର ସ୍ୱରଚିତ ପୁସ୍ତକ ଓ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପୁସ୍ତକ ଗୁଡ଼ିକ ଜନସାଧାରଣଙ୍କର କ୍ରୟାର୍ଥେ ପ୍ରଦର୍ଶନୀ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର, ବିଭାଗୀୟ ସହକାରୀ ପ୍ରଫେସର ଡକ୍ଟର ବିଚିତ୍ରନାଥ ସାହୁ, ଡ. ଶିଶିର ବେହେରା, କେନ୍ଦ୍ରୀୟ ଗ୍ରନ୍ଥାଗାରର ମୁଖ୍ୟ ପ୍ରଫେସର ହିରାଲାଲ ଦାଶ, ସହକାରୀ ଗ୍ରାନ୍ଥଗାରିକ ସୁଜାତା ଚକ୍ର ପ୍ରମୁଖ ସହଯୋଗ କରିଥିଲେ । ଏହି ସମାରୋହରେ ବିଶ୍ୱବିଦ୍ୟାଳୟର ବହୁସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ, ଛାତ୍ରଛାତ୍ରୀ ଯୋଗଦାନ କରି ପୁସ୍ତକ କ୍ରୟ କରିଥିଲେ ।