ଆଗରପଡ଼ା :ସରକାରୀ ଅନୁଦାନରେ ଯେକୈାଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟସ୍ଥଳି ନିକଟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ ନିର୍ମାଣ କରି ସେଥିରେ ସବିଶେଷ ସୂଚନା ଲେଖାଯିବାର ନିୟମ ଥିଲେ ସୁଦ୍ଧା ଭଦ୍ରକ ଜିଲ୍ଲା ବନ୍ତ ପଂଚାୟତ ସମିତି ପକ୍ଷରୁ ହେଉଥିବା ଉନ୍ନୟନ କାର୍ଯ୍ୟରେ ଏହାର ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ନିର୍ମାଣାଧିନ ଫଳକ ନିର୍ମାଣର ଅଳ୍ପ ଦିନ ମଧ୍ୟରେ କେଉଁଠି ଗଡ଼ିପଡ଼ିଲାଣିତ ଆଉ କେଉଁଠି ଗଡ଼ାଇଦିଆଗଲାଣି । ଯଦ୍ୱାରା ସୂଚନା ଫଳକ ନିର୍ମାଣ ମୂଲ୍ୟହୀନ ପାଲଟିବା ସଦୃଶ ହୋଇଛି । ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ତୋଟାସାହି ଠାରେ ଥିବା ତୋଟାସାହି ଖେଳପଡ଼ିଆର ଉନ୍ନତି କରଣ ନିମନ୍ତେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ କାର୍ଯ୍ୟାରମ୍ଭ ହୋଇଥିଲା । ଉକ୍ତ ଯୋଜନାକୁ ଇତି ମଧ୍ୟରେ ୪ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାର ଉନ୍ନତି କରଣ ସ୍ଥିତିତ୍ୱ ହରାଇଥିବା ଫଳକରେ ସୀମିତ ହୋଇ ରହିଯାଇଥିବା ଜଣାପଡ଼ିଥିଲା । ସରକାରୀ ସ୍ତରୀୟ କୌଣସି ଉନ୍ନତି ମୂଳକ କାର୍ଯ୍ୟାରମ୍ଭ ହେଲେ କାର୍ଯ୍ୟସ୍ଥଳୀ ନିକଟରେ ଫଳକ ନିର୍ମିତ ହେବା ସହ ସୂଚନା ଲିପିବଦ୍ଧ ହେବା ବାଧ୍ୟତା ମୂଳକ ହୋଇଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସ୍ଥାପିତ ହୋଇଥିବା ସୂଚନା ଫଳକଟି ତଳେ ଗଳିପଡ଼ିଥିବା ବେଳେ ଉକ୍ତ ଫଳକରେ କାର୍ଯ୍ୟାରମ୍ଭ ଓ କାର୍ଯ୍ୟଶେଷର କୌଣସି ସୂଚନା ନଥିଲା । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଗଳି ପଡ଼ିଥିବା ଫଳକକୁ ମରାମତି କରି ନୂତନ ଭାବେ ପୁଣିଥରେ ତୋଟାସାହି ଖେଳପଡ଼ିଆର ଉନ୍ନତି କରଣ ନିମନ୍ତେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ବର୍ଷ ୨୦୨୩ ଫେବୃଆରୀ ମାସ ୨୨ ତାରିଖରେ କାର୍ଯ୍ୟାରମ୍ଭ ହୋଇଥିବାର ସୂଚନା ଲିପିବଦ୍ଧ ହୋଇଥିବା ବେଳେ କାର୍ଯ୍ୟ ଶେଷର କୌଣସି ସୂଚନା ନଥିବା ସ୍ଥାପିତ ଫଳକରୁ ଜଣା ପଡ଼ିଥିଲା । ଏବଂ ବର୍ତ୍ତମାନ ଉକ୍ତ ଫଳକ ପୁଣିଥରେ ତଳେ ଗଡ଼ିପଡ଼ିଥିବାର ଦେଖା ଯାଇଛି ।
ସେହିପରି ତୋଟାସାହି ଠରେ ତୋଟାସାହି ପଂଚାୟତ ପୋଖରୀର ପୁନଃଉଦ୍ଧାର ନିମନ୍ତେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ବର୍ଷ ୨୦୨୩ ମାର୍ଚ୍ଚ ମାସ ୦୩ ତାରିଖରେ କାର୍ଯ୍ୟାରମ୍ଭ ହୋଇଥିବାର ସୂଚନା ଲିପିବଦ୍ଧ ହୋଇଥିବା ବେଳେ କାର୍ଯ୍ୟ ଶେଷର କୌଣସି ସୂଚନା ନଥିବା ସ୍ଥାପିତ ଫଳକରୁ ଜଣା ପଡ଼ିଛି । ଏବଂ ଉକ୍ତ ଫଳକ ବର୍ତ୍ତମାନ ଗୁଳ୍ମ ଘେରରେ ରହି ଯାଇଛି । ସେହିପରି ଉକ୍ତ ପଂଚାୟତରେ ମନ୍ଦିର ରୂପାନ୍ତରଣ ନିମନ୍ତେ ସ୍ଥାପିତ ହୋଇଥିବା ଫଳକ ତାର ମୂଲ୍ୟ ହରେଇ ବସିଛି । ସେହିପରି କାଦବରାଙ୍ଗ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତରେ ପ୍ରକଳ୍ପ ନିର୍ମାଣ ସ୍ଥାନରେ ଫଳକ ଅଛି କିନ୍ତୁ ଉକ୍ତ ଫଳକରେ ସୂଚନା ଲେଖାଯାଇନଥିବା ଦେଖିବାକୁ ମିଳିଛି । ଖାଲି ଓଡ଼ଙ୍ଗ,କାଦବରାଙ୍ଗ କିମ୍ବା ବଡ଼ବର୍ଚ୍ଚିକୟାଁ ପଂଚାୟତ ନୁହେଁ ବ୍ଲକର ଅନ୍ୟ ପଂଚାୟତରେ ମଧ୍ୟ ଏହିପରି ଦୃଶ୍ୟ ଦେଖିବାକୁ ମିଳୁଛି । କେଉଁଠି ଫଳକ ନିର୍ମାଣ ହେଉଥିଲେ ସୁଦ୍ଧା ଗୋଟିଏ ଫଳକରେ ବିଭିନ୍ନ ପ୍ରକାର ଯୋଜନାକୁ ଲେଖାଯାଉଥିବା ଦେଖିବାକୁ ମିଳୁଛି । ସେହିପରି ବରପଦା ନିକଟରେ ଥିବା ମହିଳା କଲେଜ ପ୍ରାଙ୍ଗଣରେ ୫-ଟି ମାଧ୍ୟମରେ ଏହାର ବିଭିନ୍ନ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟର ସୂଚନା ନିମନ୍ତେ ସୂଚନା ଫଳକ ସ୍ଥାପିତ ହୋଇଥିଲା । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଫଳକଟିକୁ ପରିସରରେ ଗଡ଼ାଇଦିଆଯାଇଥିବା ଦେଖିବାକୁ ମିଳିଛି । ତେଣୁ ସୂଚନା ଫଳକର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ସୂଚନା ଫଳକକୁ ପ୍ରହସନରେ ପରିଣତ ନ କରି ଏହାର ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ସହ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୂଚନା ଫଳକର ପ୍ରକୃତ ଯତ୍ନ ନେବାପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।