Photo For The News Of Paninala

ପାଣିନାଳ ଜବରଦଖଲକୁ ନେଇ ଚିନ୍ତାରେ ଚାଷୀ, ତଦନ୍ତର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ

State

ଆଗରପଡ଼ା :ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଆଗରପଡ଼ା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ କୁଆଁସମଢିଆ ମୌଜାରେ ପାଣିନାଳକୁ ଜବରଦଖଲ କରାଯାଇଥିବାରୁ ବର୍ତ୍ତମାନ ଚାଷୀମାନେ ଚାଷକାର୍ଯ୍ୟ ନିମନ୍ତେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲା ପରେ ବିଭାଗୀୟ ତଦନ୍ତର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକାଶ ଯେ,ଉକ୍ତ ମୌଜାର ପ୍ଲଟନଂ-୫୭୮,କିସମ-ରକ୍ଷିତ ଜମି ଉପରେ ପାଣି ନାଳ ଥିବା ବେଳେ ଜଣେ ବ୍ୟକ୍ତି ନିଜସ୍ୱ ଜମି ମଧ୍ୟରେ ପକ୍କା ପାଚେରି କରି ଉକ୍ତ ପାଣିନାଳକୁ ଜବରଦଖଲ କରିଛନ୍ତି । ଯାହା ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବା ସହ ନିଜନିଜ ଚାଷଜମିକୁ ଚାଷୀମାନେ ଯାତାୟାତ କରବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟାକୁ ନେଇ ଚାଷୀମାନେ ଗତବର୍ଷ ୨୦୨୩ ଜୁନ ମାସ ୩୦ ତାରିଖରେ ତହସିଲଦାର ବନ୍ତ ଓ ପରେ ସେହିବର୍ଷ ନଭେମ୍ବର ମାସ ୬ ତାରିଖରେ ଜିଲ୍ଲାପାଳ ଭଦ୍ରକଙ୍କ ଠାରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ପାଇ ପାରିନଥିଲେ । ପରେ ବାଧ୍ୟ ହୋଇ ଚଳିତ ବର୍ଷ ଜୁନ ମାସ ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରାଯାଇଥିଲା । ଅଭିଯୋଗର ଶୁଣାଣୀ କରି ଜିଲ୍ଲାପାଳଙ୍କୁ ଏହାର ବିଦ୍ଧିବଦ୍ଧ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପରେ ଜିଲ୍ଲାପାଳ ବନ୍ତ ତହସିଲଦାରଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ଜୁନ ମାସ ୧୯ ତାରିଖରେ ତହସିଲଦାର ବନ୍ତ ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ମାଧ୍ୟମରେ ଅନୁସନ୍ଧାନ କରି ଉପରୋକ୍ତ ପ୍ଲଟ ଉପରେ ପାଣିନାଳ ଥିବା ବେଳେ ଜବରଦଖଲକାରୀ ସିମେଣ୍ଟ ପାଚେରୀ ମଝିରେ ପାଣି ଯିବା ପାଇଁ ନାଳ ରଖିଥିବା ନେଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି । ଉକ୍ତ ରିପୋର୍ଟ ଖବର ଜଣାପଡ଼ିବା ପରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି ହେବା ସହ ତଦନ୍ତର ସ୍ୱଚ୍ଛତା ପ୍ରତି ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଉକ୍ତ ପାଣିନାଳ ଉପରୁ ସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦ କରିବା ସହ ବିରଂଚି ନାରାୟଣ ପାଣିଗ୍ରାହୀ,ରବିନାରାୟଣ ମହାନ୍ତି,ରଂଜିତ ମହାନ୍ତି,କୃଷ୍ଣଚନ୍ଦ୍ର ଜେନା,ଶୁଭେନ୍ଦ୍ର ପ୍ରତାପ ମହାନ୍ତି,ଜ୍ଞାନେନ୍ଦ୍ର ମହାନ୍ତିଙ୍କ ସମେତ ବହୁ ଚାଷୀ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।