Suna Beso

ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ବାହୁଡା ପହଣ୍ଡି ବିଜେ, ସୁନାବେଶ ପରେ ପହଣ୍ଡି ହୋଇ ରଥାରୂଢହେଲେ ଚତୁର୍ଦ୍ଧାମୂର୍ତ୍ତି

State

ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ହେବ ରଥଟଣା

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଠାରେ ଆଜି ତିନି ଠାକୁର ଙ୍କ ସମେତ ଚତୁର୍ଦ୍ଧା ଠାକୁର ଙ୍କର ବାହୁଡା ପହଣ୍ଡି ଉତ୍ସବ ସମ୍ପନ୍ନ ହୋଇଯାଇଅଛି । ତିନି ଠାକୁର ଙ୍କ ସମେତ ଚତୁର୍ଦ୍ଧା ଠାକୁର ଙ୍କର ଆଜିଥିଲା ମାଉସୀମା ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ର ଶେଷଦିନ । ଦୀର୍ଘ ୯ ଦିନର ଯାତ୍ରା ଶେଷକରି ଆଜି ଜନ୍ମ ବେଦୀରୁ ତିନି ଠାକୁର ପୁଣି ବାହୁଡିଲେ ଶ୍ରୀ ମନ୍ଦିର ଅଭିମୁଖେ ରତ୍ନ ବେଦୀ କୁ । ଆଜି ସକାଳୁ ମଙ୍ଗଳ ଆଳତୀ ପରେ ମହାସ୍ନାନ ଓ ଅବକାଶ ନିତୀ ସମ୍ପନ୍ନ ହେବାପରେ ତିନି ଠାକୁର ଙ୍କ ପାଖରେ ପାଣିଆ ଖେଚୁଡି ଭୋଗ ଲାଗି କରାଯାଇଥିଲା ।ଏହା ହିଁ ମାଉସୀମା ମନ୍ଦିରରେ ମହାପ୍ରଭୁ ମାନଙ୍କ ଶେଷ ଭୋଗ । ଏହାପରେ ପୂର୍ବରୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ଥିବା ସମୟ ଅନୁଯାୟୀ ସକାଳ ତିନି ଠାକୁର ଦ୍ୱାରୀକା ବେଶ (ସୁନାବେଶ) ରେ ସୁସଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଅପରାହ୍ନରେ ପରିଛା ଙ୍କ ଦ୍ୱାରା ଅଁଳା ଭେଟି କରାଯାଇ ଚକାଛଡା କାର୍ଯ୍ୟ କରାଯାଇଥିଲା । ଏହାପରେ ଅନୁଷ୍ଠିତ ହୋଇଥିଲା ବାହୁଡା ପହଣ୍ଡି କାର୍ଯ୍ୟକ୍ରମ । ସମସ୍ତ ଠାକୁର ଗୁଣ୍ଡିଚା ମନ୍ଦିରରେ ଦକ୍ଷିଣ ଦ୍ୱାର ବାଟ ଦେଇ ପହଣ୍ଡି ହୋଇ ଆସିବେ । ପ୍ରଭୁ ଶ୍ରୀ ଜଗନ୍ନାଥ ନାଟ ମନ୍ଦିରରେ ଦକ୍ଷିଣ ଦ୍ୱାର ରେ ରହି ଦକ୍ଷିଣ ବନ୍ଦାପନା ପୂଜା ଓ ଅଁଳା ପତ୍ର ଭେଟି ହେବେ । ତିନି ଠାକୁର ଙ୍କର ସୁନାବେଶ ପରେ ସମସ୍ତ ରିତୀ ନିତୀ ସମ୍ପନ୍ନ ହେବାପରେ ପହଣ୍ଡିହୋଇ ରଥାରୂଢ ହୋଇଛନ୍ତି ।

Suna Beso (2)

ଆଜିକାର ଏହି ପହଣ୍ଡି କାର୍ଯ୍ୟକ୍ରମ ସନ୍ଧ୍ୟାପରେ ସମ୍ପନ୍ନ ହୋଇଥିଲା । ଆଜି ଦିନ ତମାମ ବର୍ଷା ଓ ଖରାର ଲୁଚୁକାଳୀ ଖେଳ ସେତ୍ତ୍ୱ ବି ପହଣ୍ଡି ଯାତ୍ରା ଓ ସୁନାବେଶ ଦେଖିବାପାଇଁ ଭକ୍ତଙ୍କର ଲାଗିଥିଲା ପ୍ରବଳ ଭିଡ । ସାମାନ୍ୟ ବର୍ଷା ପରେ ପୁଣି ଖରା । ବର୍ଷା , ଖରା କୁ ଖାତିର ନକରି ପ୍ରବଳ ଗୁଳୁଗୁଳି ସତ୍ତ୍ୱେ ବି ଭକ୍ତମାନେ ଉତ୍କଣ୍ଠାର ସହିତ ବାହୁଡା ପହଣ୍ଡି ଦେଖିବା ପାଇଁ ଚାହିଁ ରହିଥାଆନ୍ତି । ସେହିପରି ପୂର୍ବାହ୍ନରେ ମଧ୍ୟ ମାଉସୀମା ମନ୍ଦିରରେ ସୁନାବେଶ ଦେଖିବା ପାଇଁ ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ମଙ୍ଗଳବାର ଓ ବୁଧବାର ଅନୁଷ୍ଠିତ ହେବ ବାହୁଡା ଯାତ୍ରା । ପ୍ରଥମ ଦିନରେ ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ କାଳିଆ ଠାକୁର ବାହୁଡିବେ ଶ୍ରୀ ମନ୍ଦିର ଅଭିମୁଖେ । ପରେ ପରେ ଦର୍ପଦୋଳନ ରଥରେ ମା ସୁଭଦ୍ରା ପ୍ରଥମ ଦିନରେ ମହିଳା ଭକ୍ତମାନଙ୍କ ଗହଣରେ ଆସି ପହଞ୍ଚିବେ ବଡଦାଣ୍ଡର ନାଭିକେନ୍ଦ୍ର ଠାରେ । ତହିଁ ପରଦିନ ମା ସୁଭଦ୍ରା ସେଠାରୁ ଭକ୍ତମାନଙ୍କ ଗହଣରେ ଯାଇ ପହଞ୍ଚିବେ ଭାଇ କାଳିଆ ଙ୍କ ପାଖରେ । ପରେ ପରେ ବଡଠାକୁର ପ୍ରଭୁ ବଳଭଦ୍ର ତାଳ ଧ୍ୱଜ ରଥରେ ଯାତ୍ରା କରିବେ ଶ୍ର୍ରୀମନ୍ଦିର ଅଭିମୁଖେ । ଏହାପରେ ରଥ ଖଳାରେ ତିନି ଠାକୁର ଭକ୍ତମାନଙ୍କୁ ରଥ ଉପରେ ରୂପା ବେଶରେ ରାତ୍ରୀ ରେ ଦର୍ଶନ ଦେବେ । ପରେ ଲକ୍ଷ୍ମୀ ନାରାୟଣ ଭେଟ ଅନୁଷ୍ଠିତ ହେବ । ରାତ୍ର ୧୦.୩୦ ମିନିଟ ରୁ ଆରମ୍ଭ ହେବ ଶ୍ରୀ ମନ୍ଦିର କୁ ମହାପ୍ରଭୁ ମାନଙ୍କର ନୀଳାଦ୍ରୀ ବିଜେ ପହଣ୍ଡି । ମହାଲକ୍ଷ୍ମୀ ଙ୍କର ଦାସୀ ଘଣ୍ଟ, ଘଣ୍ଟା , କାହାଳି ଓ ଶଙ୍ଖ ବଜାଇବା ପରେ ମହାଲକ୍ଷ୍ମୀ ମେଘନାଦ ପାଚେରୀରେ ଥିବା ଚାହାଣୀ ମଣ୍ଡପରେ ଥାଇ ରଥାରୂଢ ବଡ ଠାକୁର ଙ୍କୁ ଦେଖି ଶ୍ରୀ ମନ୍ଦିର ଫେରିଯାଇଥାଆନ୍ତି ।ଏହାପରେ ଚାହାଣୀ ମଣ୍ଡପରେ ଯଥାରିତୀ ପୂଜା କରାଯାଇଥାଏ ।

Bahud Apohondi

ଏହି ସମୟରେ ରଥ ଗାଉଣିଆ ଦେବ ଦାସୀ ମଧ୍ୟରେ ସଙ୍ଗୀତ ମାଧ୍ୟମରେ ବଚସା ହୋଇଥାଏ । ଦ୍ୱାଦଶୀ ଠାଁ ନିତୀ ଶେଷ ହେବା ପରେ ଅର୍ଦ୍ଧରାତ୍ରୀ ପାଖାପାଖି ନାଉରା ବାଡିରେ ନାଗରା ବାଜିବା ପରେ ମହାପ୍ରଭୁ ମାନଙ୍କ ଶରୀରରୁ ଅଳଙ୍କାର ସବୁ ଖୋଲାଯାଇଥାଏ । ଏହାପରେ ପରିଛା ସୁବାସିତ ଜଳ ସିଞ୍ଚନ କରିବାପରେ ଗୋଟି ପହଣ୍ଡିରେ ଶ୍ରି ମନ୍ଦିର ସିଂହଦ୍ୱାର ପାଖକୁ ଦିଅଁମାନେ ଯାଇଥାଆନ୍ତି । କିନ୍ତୁ ମହାଲକ୍ଷ୍ମୀ ସୁଖୀ ଖବର ପାଇବା ପରେ ଚତୁର୍ଦ୍ଧା ଠାକୁର ଙ୍କ ମଧ୍ୟରୁ ବଳଭଦ୍ର , ସୁଭଦ୍ରା ଓ ସୁଦର୍ଶନ ଙ୍କୁ ରତ୍ନ ସିଂହାସନରେ ବିଜେ କରିବାପରେ ସିଂହ ଦ୍ୱାର ବନ୍ଦ କରିଦିଅନ୍ତି । ପ୍ରଭୁ ଜଗନ୍ନାଥ ମନ୍ଦିର ବାହାରେ କିଛି ସମୟ ରହିବାପରେ ମହାଲକ୍ଷ୍ମୀ ଙ୍କ ମାନସରଞନ ପରେ କାଳିଆ ଠାକୁର ରତ୍ନ ସିଂହାସନକୁ ପ୍ରବେଶ କରନ୍ତି । ପରେ ଠାକୁର ଙ୍କ ମହାସ୍ନାନ , ଆଳତୀ , ଅଁଳା ,ଭେଟି ଲାଗି ହେବା ପରେ ବଡ ସିଂହାର ବେଶ ପରେ ପହଡ ହୋଇଥାଏ । ସେହିପରି ଆଜି ବାରିପଦା ବାଣ୍ଠିଆ ଜଗନ୍ନାଥ ମନ୍ଦିରର ପୂର୍ବ ନିର୍ଦ୍ଧାରୀତ ସମୟ ଅନୁଯାୟୀ ସୁନାବେଶ ପରେ ପହଣ୍ଡିହୋଇ ରଥା ରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି ।