ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ନିମପଡ଼ା ଗ୍ରାମରେ ଅଧିଷ୍ଟିତ ଥିବା ଗ୍ରାମଦେବତୀ ମା’ ଥାନପତୀ ଙ୍କ ପୀଠ ପାଖରେ ଶ୍ରୀ ଶନିଦେବଙ୍କ ନୂତନ ମନ୍ଦିିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ ସକାଳ ଦଶ ଘଟିକା ସମୟରେ ଗ୍ରାମ୍ୟ ପୁଷ୍କରିଣୀ ରୁ ଶୁଭାଧିବାସ ସହ ୧୩ ଦମ୍ପତିଙ୍କ ଦ୍ୱାରା କଳସ ଶୋଭାଯାତ୍ରାରେ ଅଣାଯାଇ ପୂଜାରମ୍ଭ ହୋଇଥିଲା । ଗଣପତିଙ୍କ ପୂଜାପରେ ଶ୍ରୀ ବିଗ୍ରହଙ୍କୁ ଷୋଡ଼ଶ ଉପ ପଚାରରେ ପୂଜାର୍ଚ୍ଚନା ସହ ପବିତ୍ର ଜଳରେ ସ୍ନାନ କରାଯାଇ ଯଜ୍ଞ କାର୍ଯ୍ୟ ସଂପାଦିତ ହୋଇଥିଲା । ଏହାର ପୁରୋଧା ଶିକ୍ଷାବିତ୍ ନକୁଳ ଚରଣ ବାରିକ ଓ ତାଙ୍କ ପତ୍ନୀ ତୁଳସୀଙ୍କ ଦ୍ୱାରା ସଂପାଦିତ ହେଉଥିବା ବେଳେ, ଏଥିରେ ପୁଜକ ଭାବେ ବିରେନ୍ଦ୍ର ତ୍ରୀପାଠୀ, ସରୋଜ କୁମାର ମିଶ୍ର, ବିଶ୍ୱଜିତ କର ଶର୍ମା ପୂଜା ଓ ଯଜ୍ଞ କାର୍ଯ୍ୟକୁ ସଂପାଦନ କରିଥିଲେ । ଉକ୍ତ ସ୍ଥାନରେ ଶନି ଦେବଙ୍କ ଚାଳିଣା, ଅଷ୍ଟୋତର ଶତ ନାମ ପାଠ କରା ଯାଇ ପ୍ରତି ମନ୍ତ୍ରରେ ଯଜ୍ଞରେ ଘୃତାହୁତି ପ୍ରଦାନ କରାଯାଇ ଥିଲା । ଅପରାହ୍ନରେ ଯଜ୍ଞର ପୂର୍ଣ୍ଣାହୂତି ସମୟରେ ଆଖପାଖ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ନିଜର ଭକ୍ତି ନୈବିଦ୍ୟ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକୁ ରବିନ୍ଦ୍ର ରାଉତ, ସୂର୍ଯ୍ୟମଣୀ ରାଉଳ,ବୀରେନ୍ଦ୍ର ରାଉଳ,ଅର୍ଜୁନ ବାରିକ,ଶହଦେବ ବାରିକ,ପ୍ରତାପ ବିଶ୍ୱାଳ,ସରୋଜ ବାରିକ,ପଦ୍ମନାଭ ରାଉଳଙ୍କ ସହ ଗ୍ରାମବାସୀଙ୍କ ଦ୍ୱାରା ସଂପାଦିତ ହୋଇଥିଲା ।