Hc 1

ବିଏମସିକୁ ହାଇକୋର୍ଟଙ୍କ ତାଗିଦ୍, ୩ ଦିନ ମଧ୍ୟରେ ମୃତ୍ୟୁ ସାର୍ଟିଫିକେଟ ଦିଅ

State

କଟକ : ବିଏମସିକୁ ହାଇକୋର୍ଟଙ୍କ ତାଗିଦ୍ । କୋଭିଡରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଅସହାୟ ପତ୍ନୀଙ୍କୁ ୩ ଦିନ ମଧ୍ୟରେ ମୃତ୍ୟୁ ସାର୍ଟିଫିକେଟ ସହିତ ଅନ୍ୟାନ୍ୟ କାଗଜପତ୍ର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ଏହା ସହ ବିଏମସି କମିଶନର ବିଭିନ୍ନ ସାର୍ଟିଫିକେଟ ଦେବା ପାଇଁ ସିଟିଜେନ ଚାର୍ଟର କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ହାଇକୋର୍ଟଙ୍କ ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସଖୀଲତା ସାହୁଙ୍କ ଆବେଦନର ଶୁଣାଣି କରି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରିଣୀ ସଖୀଲତା ସାହୁ ଏକ ରିଟ ପିଟିସନ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ । କୋଭିଡ ୧୯ ରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ନିଜର ଗୁଜୁରାଣ ମେଣ୍ଟାଇବାରେ ଅସମର୍ଥ ହୋଇ ପଡ଼ିଥିବା ଆବେଦନରେ ଉଲ୍ଲେଖ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମୃତ୍ୟୁ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏଥିପାଇଁ ଆବେଦନ କରିବାକୁ ସଖୀଲତା ସାହୁଙ୍କ ନିକଟରେ କୋଭିଡ ମୃତ୍ୟୁ ସାର୍ଟିଫିକେଟ ନ ଥିଲା । ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଏମସି କମିଶନର କୋଭିଡ ମୃତ୍ୟୁ ସାର୍ଟିଫିକେଟ ଓ ସେ ସମ୍ପର୍କୀତ ଅନ୍ୟାନ୍ୟ କାଗଜପତ୍ର ଯୋଗାଇ ଦେଇ ନଥିଲେ ।

ତେଣୁ ବାଧ୍ୟ ହୋଇ ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟ ୩ ଟି କାର୍ଯ୍ୟ ଦିବସ ମଧ୍ୟରେ ଆବେଦନକାରିଣୀଙ୍କୁ କୋଭିଡ ମୃତ୍ୟୁ ସାର୍ଟିଫିକେଟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଜନ୍ମ ମୃତ୍ୟୁ ଭଳି ବିଭିନ୍ନ ସାର୍ଟିଫିକେଟ ଜନସାଧାରଣଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଯୋଗାଇ ଦେବାରେ ଅସମର୍ଥ ହେଉଥିବା ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି ।

ତୁରନ୍ତ ବିଏମସି କମିଶନର କେଉଁ ସେବା କେତେ ଦିନ ମଧ୍ୟରେ ଯୋଗାଇ ଦିଆଯିବ ସେ ନେଇ ଏକ ସିଟିଜେନ ଚାର୍ଟର ଓଡ଼ିଆ ଭାଷାରେ ଲେଖି ଲୋକଙ୍କ ଅବଗତି ନିମନ୍ତେ ବିଏମସିର ବିଭିନ୍ନ ସ୍ଥାନରେ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହିତ ସିଟିଜେନ ଚାର୍ଟର ସମ୍ପର୍କିତ ଏକ ସତ୍ୟପାଠ ଅଗଷ୍ଟ ୧୩ ତାରିଖ ସୁଦ୍ଧା ହାଇକୋର୍ଟଙ୍କ ନିକଟରେ ଦାଖଲ କରିବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି ।