Solar 1720280506

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ: ଡିସେମ୍ବର ସୁଦ୍ଧା ସବୁ ସରକାରୀ କୋଠାରେ ମିଳିବ ସୌର ବିଦ୍ୟୁତ୍‌

State

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ସମସ୍ତ ସରକାରୀ କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସବୁ ସରକାରୀ କୋଠାରେ ସୌର ବିଦ୍ୟୁତ ଉପଲବ୍ଧ ହେବ । ମିଶନ ମୋଡରେ ଏହି ସରକାର ବିଭାଗ ଓ ସଂସ୍ଥାର କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ ନିମନ୍ତେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପାଇଁ ରାଜ୍ୟ ଶକ୍ତି ବିଭାଗ ନିର୍ଦ୍ଦେଶ ଦେଇଛି ।
କେନ୍ଦ୍ର ନବୀକରଣ ଓ ଅକ୍ଷୟଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବ ଆଧାରରେ ରାଜ୍ୟ ସରକାର ମିଶନ ମୋଡରେ ଚଳିତବର୍ଷ ଡିସେମ୍ବର ସୁଦ୍ଧା ସମସ୍ତ ସରକାରୀ କୋଠାରେ ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ସବୁ ସରକାରୀ ବିଭାଗ ଓ ସଂସ୍ଥାର କୋଠାରେ ୨୦୦ କିଲୋୱାଟ୍ ଅବା ତା’ଠୁ ଅଧିକ ବିଦ୍ୟୁତ ଆବଶ୍ୟକ ହେଉଥିବ ସେହି କୋଠାଗୁଡ଼ିକର ଛାତରେ ସୌରବିଦ୍ୟୁତ ପ୍ଲାଂଟ ସ୍ଥାପନ ରିନ୍ୟୁଓବଲ ଏନର୍ଜି ସର୍ଭିସ କମ୍ପାନୀ(ଆରଇଏସସିଓ) ଦ୍ୱାରା କରାଯିବ । ଏହି ମଡେଲରେ ବିଭାଗଗୁଡ଼ିକୁ କୌଣସି ପାଣ୍ଠି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହି ସୋଲାର ସିଷ୍ଟମ ସ୍ଥାପନଠୁ ଆରମ୍ଭ କରି ୨୫ବର୍ଷ ପର୍ଯ୍ୟନ୍ତ ପରିଚାଳନା ଓ ମରାମତି ଖର୍ଚ୍ଚ ଆରଇଏସସିଓ ତୁଲାଇବ ।
ରାଜ୍ୟ ସରକାର ସମସ୍ତ ସରକାରୀ କୋଠାରେ ଏହି ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ କାର୍ଯ୍ୟକାରୀ କରିବା ପାଇଁ ଓରେଡାକୁ ଦାୟିତ୍ୱ ଦେଇଛନ୍ତି । ଓରେଡାର ସର୍ଭେ ଟିମ୍ ଏବେ ସମସ୍ତ ସରକାରୀ କୋଠାରେ ସୋଲାର ସିଷ୍ଟମ ଲଗାଇବା ପାଇଁ ଆବଶ୍ୟକ ସର୍ଭେ କରିବା ସହ ନିର୍ଦ୍ଧାରିତ ଅବଧି ମଧ୍ୟରେ ଫିଜିବିଲିଟି ଷ୍ଟଡି ରିପୋର୍ଟ ଦାଖଲ କରିବେ । ତେଣୁ ଏହି ଯୋଜନାର ତ୍ୱରିତ୍ କାର୍ଯ୍ୟକାରୀ ନିମନ୍ତେ ଓରେଡା ସର୍ଭେ ଟିମକୁ ଆବଶ୍ୟକ ସହଯୋଗ ଦେବା ପାଇଁ ସରକାରୀ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ସମସ୍ତ ବିଭାଗର ସଚିବମାନଙ୍କୁ ଶକ୍ତି ବିଭାଗ ଚିଠି ଲେଖି ଅନୁରୋଧ କରିଛି ।
ଏହି ରୁଫଟପ୍ ସୋଲାର ସିଷ୍ଟମ ସ୍ଥାପନ କାର୍ଯ୍ୟକାରୀକୁ ‘ସର୍ବାଧିକ ପ୍ରାଥମିକତା’ ଦେବାକୁ ମଧ୍ୟ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ଚିଠିରେ ଉଲ୍ଲେଖ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ନିଜର ମହତ୍ୱାକାଂକ୍ଷୀ ଯୋଜନା ‘ପିଏମ୍ ସୂର୍ଯ୍ୟଘର’ରେ ଆବଶ୍ୟକ ସବସିଡି ପ୍ରଦାନ କରି ସବୁ ପରିବାରକୁ ୩୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ପିଏମ୍ ସୂର୍ଯ୍ୟଘର ଯୋଜନାକୁ କାର୍ଯ୍ୟକାରୀ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି ।