Img 20240701 Wa0241

ନିଅଣ୍ଟିଆ ବର୍ଷା ଓ ଚାଷଜମି ଜଳ ସେଚନ ପାଇଁ ବିଶେଷ ପଦକ୍ଷେପ ନେଲେ ମୟୂରଭଞ୍ଜ ଜିଲ୍ଲାପାଳ

State
  • ଆଗାମୀ ୮ ଦିନ ଜିଲ୍ଲାକୁ ଭଲ ବର୍ଷା ଅଛି, ଚାଷୀ ମାନେ ନିର୍ଦ୍ବନ୍ଦରେ କାମ କରନ୍ତୁ: ଜିଲ୍ଲାପାଳ
  • ଜିଲ୍ଲାରେ ସମସ୍ତ ଚାଷଜମି ସେଚନ ପାଇଁ ଥିବା ଜଳାଶୟ ହେବ ପୁନଃ କାର୍ଯ୍ୟକ୍ଷମ;
  • ଚାଷୀ ମାନଙ୍କୁ ଫସଲ ପାଇଁ ସମସ୍ତ ସୁବିଧା ପଂଚାୟତ ସ୍ତରରେ ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବାରିପଦା: ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଚାଷୀକୂଳ ପାଇଁ ଏକ ଗମ୍ଭୀର ବିଷୟ ହୋଇ ରହିଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାପାଳ ଏଥି ନିମନ୍ତେ ତତ୍ପରତା ଏବଂ କାର୍ଯ୍ୟକ୍ଷମତା ଦେଖାଇଛନ୍ତି। ଏଥି ସହିତ ପାଣିପାଗ ବିଭାଗ ତରଫରୁ ଆଗାମୀ ୮ ଦିନ ଯାଏଁ ଭଲ ବର୍ଷା ହେବାର ଅନୁମାନ କରା ଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ମଧ୍ୟ ସୂଚନା ଦିଆଯାଇଛି। ଏଣୁ, ଏହି ପରିପ୍ରେକ୍ଷୀରେ ଚାଷୀ ମାନଙ୍କୁ ମରୁଡି ସମସ୍ୟାକୁ ନେଇ ଭୟଭୀତ ନହେବା ପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମସ୍ତ ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ଏବଂ ଲାଇନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଭାସୀ ମାଧ୍ୟମରେ କାର୍ଯ୍ୟାଳୟ ସ୍ଥିତ ଓଶ୍ଵାନ ହଲ ଠାରେ ଏକ ବୈଠକ ମାଧ୍ୟମରେ ଜଣାଇଥିଲେ। ଜିଲ୍ଲାରେ ସମସ୍ତ ପ୍ରକାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ସାମଗ୍ରିକ ବିକାଶର ଆଭିମୁଖ୍ୟ ଆଧାର କରି ଅଧିକାରୀ ମାନଙ୍କୁ ସେମାନଙ୍କ ସମସ୍ତ ଦାୟିତ୍ୱକୁ ସଠିକ ଭାବରେ ପାଳନ କରିବା ସହିତ, ନିଜ ନିଜ ଅଂଚଳର ସମସ୍ତ ପ୍ରକାର ଚାଷୀ ମାନଙ୍କୁ ଚାଷ ସମ୍ବନ୍ଧୀୟ ସମସ୍ତ ସୁବିଧା ଯୋଗାଇ ଦେବାକୁ ଜିଲ୍ଲାପାଳ କହିଛନ୍ତି। ନିଅଣ୍ଟିଆ ବର୍ଷା ଯୋଗୁଁ ଜଳ ସେଚନରେ କୌଣସି ଅସୁବିଧା ଯେପରି ନହୁଏ ସେଥିପାଇଁ ବ୍ଲକ ଏବଂ ପଂଚାୟତ ସ୍ତରରେ ଜଳାଶୟ ଗୁଡିକର ଚିହ୍ନଟ ଏବଂ ସେମାନଙ୍କ ପୁନରୁଦ୍ଧାର ସହିତ ବୋରୱେଲ ଜଳ ସେଚନ ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତି ପଂଚାୟତରେ ଅତିକମରେ ଗୋଟିଏ ଚାଷ ଜମି ସେଚିତ ଜଳାଶୟ ପାଇଁ ବିଡ଼ିଓ ଏବଂ ପ୍ରତି ଏନଏସିରେ ୫ଟି ଲେଖାଏଁ ଚାଷ ଜମି ସେଚିତ ଜଳାଶୟର କାର୍ଯ୍ୟକାରିତା ହେବ ବୋଲି ଜିଲ୍ଲାପାଳ ଏହି ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସମସ୍ତ ରାଜସ୍ବ ନିରୀକ୍ଷକ ଏହି ଜଳାଶୟ ଗୁଡିକର ଜିଓ ଟ୍ୟାଗ କାର୍ଯ୍ୟକୁ କରାଇବା ସହିତ ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ବିଦ୍ୟାଳୟରେ ଛାତ ଉପର ବର୍ଷା ଜଳ ଅମଳ (roof top rain water harvesting) ଏବଂ ସମସ୍ତ ଜଳାଶୟ ଗୁଡିକର ପୁନଃନିର୍ମାଣ ହେବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଏବଂ ଉପ-ଜିଲ୍ଲାପାଳଙ୍କ ସମେତ ଏହି କାର୍ଯ୍ୟ ସହିତ ଜଡିତ ପ୍ରତ୍ୟେକ ଅଧିକାରୀ କ୍ଷେତ୍ର ଯାଞ୍ଚ କରିବା ସହିତ କାର୍ଯ୍ୟପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପଦକ୍ଷେପ ନେବେ। ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ଭୟକୁ ଦୂର କରିବା ପାଇଁ ଜିଲ୍ଲା କୃଷି ଅଧିକାରୀଙ୍କୁ ସମସ୍ତ ପ୍ରକାରର ସଚେତନତା ଅଭିଯାନ ଆରମ୍ଭ କରିବା ଏବଂ ଗାଁ ଗାଁରେ ପ୍ରଶାସନ ନେଉଥିବା କୃଷି-ହିତକର କାର୍ଯ୍ୟକୁ ଜନମାନସରେ ଆଦୃତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁଜିଲ୍ଲାର ସମସ୍ତ ଆଇଟିଡିଏ, ପ୍ରକଳ୍ପ ନିର୍ଦେଶକ, ବିଡ଼ିଓ, ତହସିଲଦାରଙ୍କ ସମେତ କୃଷି, ଉଦ୍ୟାନ କୃଷି, ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଜଳ ସେଚନ ଅଧିକାରୀ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଏହି ବୈଠକରେ ନିଜ ବହୁମୂଲ୍ୟ ମତ ପ୍ରକାଶ କରିଥିଲେ।