Img 20240629 Wa0252

ମା’ ପାଇଁ ଗଛଟିଏ ଅଭିଯାନ: ବାରିପଦା ଠାରେ ଅନୁଷ୍ଠିତ ହେଲା ଚାରା ରୋପଣ କାର୍ଯ୍ୟକ୍ରମ

Religion and Cult

ମା’ ଭଳି ବୃକ୍ଷ ମଧ୍ୟ ଆମ ଜୀବନର ଏକ ଅବିଛେଦ୍ୟ ଅଙ୍ଗ: ଜିଲ୍ଲାପାଳ

ବାରିପଦା:  ରାଜ୍ୟ ସରକାରଙ୍କର ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅଭିଯାନ ଅନ୍ତର୍ଗତ, ବିଶ୍ୱ ପରିବେଶ ଦିବସ ସପ୍ତାହ ପାଳନ ଅବସରରେ ଶନିବାର ଅପରାହ୍ନରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଧେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଯୋଗ ଦେଇ ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଶିନ୍ଧେ ଏହି କହିଥିଲେ, ” ଯେପରି ମା’ ଆମ ଜୀବନର ପ୍ରମୁଖ ଅଂଶବିଶେଷ ସେହିଭଳି ବୃକ୍ଷ ମଧ୍ୟ… ଏଣୁ ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ ଏବଂ ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ।” ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ବାରିପଦା ସତ୍ୟ ସାଇ ସେବା ସଂଗଠନ ଯୋଡି ହୋଇ ଏହି ଅଭିଯାନକୁ ସଫଳ କରିବା ପାଇଁ ମଧ୍ୟ ବୃକ୍ଷ ରୋପଣ କରିଥିଲେ। ଏହା ଏକ ସୁନ୍ଦର ଅଭିଯାନ ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ଜନାଦୃତ କରିବା ନିମନ୍ତେ ସମସ୍ତେ ନିଜ ମା’ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଧେ ନିବେଦନ ମଧ୍ୟ କରିଛନ୍ତି। ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ, ଉଦ୍ୟାନକୃଷି ବିଭାଗର ଉପନିର୍ଦେଶକ, ଶ୍ରୀ ଟଙ୍କଧର କାଲୋ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ସତ୍ୟସାଇ ସେବା ସଂଗଠନ ସଭାପତି, ଶ୍ରୀ ବିଶ୍ୱରଂଜନ ସାହୁ, ସଂଯୋଜକ ମାନସ ରଞ୍ଜନ ମହାପାତ୍ର, ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ଗିରିଜା ଶଙ୍କର ମହାନ୍ତି ପ୍ରମୁଖ ଚାରା ରୋପଣ କରିଥିଲେ। ସତ୍ୟସାଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଏକ ପେଡ ମା କେ ନାମ ( ମା ପାଇଁ ଗଛଟିଏ ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆହ୍ୱାନ ଜଣାଇଥିଲେ।