Photo2 For The News Of Krusi Farm

ସରକାରୀ ବିହନ ବିଶୋଧନାଗାର ପାଚେରୀ ନିର୍ମାଣ ପ୍ରସଙ୍ଗ, ଖବର ପ୍ରକାଶ ପରେ ଚାଲିଛି ପାଚେରୀ ନିର୍ମାଣ କାର୍ଯ୍ୟ

Religion and Cult

ଆଗରପଡ଼ା :ଗତ ଅପ୍ରେଲ ମାସରେ “ଅର୍ଥ ମଂଜୁର ପରେବି ପାଚେର ନିର୍ମାଣ ହେଉନି;ବିହନ ବିଶୋଧନାଗାର ମୁକୁଳା ପଡ଼ିଛି”ଶୀର୍ଷକ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ପକ୍ଷରୁ ବିଶୋଧନାଗାରର ଚର୍ତ୍ତୁପାଶ୍ୱର୍ରେ ପାଚେରୀ ନିର୍ମାଣ ଜୋରସୋରରେ ଚାଲିଥିବା ଜଣାପଡ଼ିଛି । ଏଥି ସହିତ ଆଗାମୀ ଦିନରେ ପ୍ରବେଶ ପଥରେ ନୂତନ ଫାଟକ ନିର୍ମାଣ ହେବାକୁ ସ୍ଥିର ହୋଇଥିବାର ସୂଚନା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଦେଇଥିବା ଜଣାପଡ଼ିଛି । ଅର୍ଥ ମଂଜୁର ହୋଇଥିଲେ ସୁଦ୍ଧା ବିହନ ବିଶୋଧନାଗାରର ସ୍ଥାୟୀ ପାଚେରି ନିର୍ମାଣ ନିମନ୍ତେ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଏହା ମୁକୁଳା ପଡ଼ିଥିବାରୁ ପ୍ରତିବର୍ଷ ଧାନ ଅମଳରେ କ୍ଷୟ ଘଟୁଥିବାର ଖବର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତ ହେଉଥିଲା । ଏଠାରେ ପ୍ରକାଶ ଥାଉକି;ବନ୍ତ ବ୍ଳକ ଏକ କୃଷି ପ୍ରାଧାନ୍ୟ ଅଂଚଳ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ସରକାର ୧୯୫୫ ମସିହାରେ ଉକ୍ତ ବ୍ଳକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ଅନ୍ତର୍ଗତ ଶେଉଳଗଡ଼ିଆ ଠାରେ ଏକ ବିହନ ବିଶୋଧନାଗାର ପ୍ରତିଷ୍ଠା କରିଥିଲେ । ୪୫ ଏକର ପରିମିତ ଜମି ସହ ଫିଲ୍ଡମ୍ୟାନ, ୪ ଜଣ ସ୍ଥାୟୀ ଶ୍ରମିକ ଓ ୮ଟିି ବଳଦକୁ ନେଇ କାର୍ଯ୍ୟାରମ୍ଭ କରିଥିଲା ଏହି ବିଶୋଧନାଗାର । ପାଣିର ସୁବିଧା ପାଇଁ ୨ଟି କୂଅ, ନଳକୂପ, ଲିଫ୍ଟପଏ,୫ଏକର ପରିମିତ ସ୍ଥାନରେ ପୋଖରୀ ଆଦି ଖୋଳା ଯାଇଥିଲା । ଏହା ମଧ୍ୟରେ ଆମ୍ବ ଓ ନଡ଼ିଆ ପରି ଅନେକ ଚାରା ରୋପଣ କରାଯାଇଥିଲା । ବିଶୋଧନାଗାର ଚାରି ପାଖକୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ କରାଯିବା ସହ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ଓ ବଳଦଙ୍କ ପାଇଁ ଗୁହାଳଘର ଆଦି ନିର୍ମାଣ କରାଯାଇଥିଲା । ଇତି ମଧ୍ୟରେ ୬୮ବର୍ଷ ବିତି ଯାଇଛି ଓ ଏହାର ରୂପରେଖରେ ବହୁ ପରିବର୍ତ୍ତନ ଆସିଛି ।

ପ୍ରବେଶ ପଥରେ ଥିବା ବଡ଼ ଲୁହା ଫାଟକ ଆଉ ନାହିଁ କି ପୂର୍ବରୁ ଲୁହା ତାର ବାଡ଼ ଦ୍ୱାରା ଆବଦ୍ଧ ପରିବେଶବି ନାହିଁ । ତାର ବାଡ଼ ସବୁ ନଷ୍ଟ ହୋଇଯିବା ଦ୍ୱାରା ପରିବେଶ ମୁକୁଳା ପଡ଼ିଥିଲା । କିଛି ଅଂଶରେ ପାଚେରି ନିର୍ମାଣ କରାଯାଇଥିଲେ ସୁଦ୍ଧା ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ପାଲଟିଥିଲା । ଯଦ୍ୱାରା ଗୋରୁ ଗାଈ ସମେତ ଅସାମାଜିକ ବ୍ୟକ୍ତିଙ୍କ ଅବାଧ ପ୍ରବେଶ ଘଟୁଥିଲା । ଏଠାରେ ନର୍ସରୀ ବନ୍ଦ ହୋଇଯିବା ଫଳରେ ଆଉ ଚାରା ଉତ୍ପାଦନ ହୋଇପାରୁ ନଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ନଡ଼ିଆ ଓ ଆମ୍ବ ଆଦି ଉତ୍ପାଦନ ପୁରାପୁରି ହ୍ରାସ ପାଇଛି । ଲିଫ୍ଟପଏଣ୍ଟ,କୂଅ ଓ ଟ୍ୟୁବୱେଲ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । କର୍ମଚାରୀ କ୍ୱାର୍ଟର, ଗୁହାଳ ଘର ଆଦି ପରିତ୍ୟକ୍ତ ଅବସ୍ଥାରେ ରହିଛି । ଯଦ୍ୱାରା ସମୟଚକ୍ରରେ ହଜିଯାଇଛି ବିହନ ବିଶୋଧନାଗାରର ପୁରୁଣା ଏ୍ୟୌତିହ୍ୟ । ବର୍ତ୍ତମାନ ସେ ତାର ପରିଚୟ ଖୋଜିବାରେ ଲାଗିଛି । ବିହନ ବିଶୋଧନାଗାରର ମୁଖ୍ୟ ଆଭିମୁଖ୍ୟ ହେଲା ଧାନକୁ ପ୍ରୋସେସିଂ କରାଯାଇ ବିହନକୁ ଚାଷୀମାନଙ୍କୁ ଦିଆଯିବା । କିନ୍ତୁ ବିଭିନ୍ନ ପରିପାଶ୍ୱିର୍କ ପରିସ୍ଥିତି ଯୋଗୁଁ ପୂର୍ବରୁ ପାଖାପାଖି ୧ ହଜାର କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରାଯାଉଥିବା ବେଳେ ବର୍ତ୍ତମାନ ମାତ୍ର ୫ ଶହ କ୍ୱିଣ୍ଟାଲ ଫାଉଣ୍ଡେସନ ବିହନ ସଂଗ୍ରହ କରିବା କଷ୍ଟକର ହୋଇପଡ଼ୁଛି । ବର୍ତ୍ତମାନ ୧ଟି ଟ୍ରାକ୍ଟର, ୧ଟି ଧାନ କଟା ରିପର, ଧାନ ଅମଳ ପାଇଁ ଏକଟି ପ୍ରାଚି ଓ ବିଷ ଛିଞ୍ଚଣ ଯନ୍ତ୍ର ଅଛି । ଟ୍ରାକ୍ଟରଟିଏ ଥିଲେ ସୁଦ୍ଧା ଏହାକୁ ଚଲାଇବା ପାଇଁ ସ୍ଥାୟୀ ଚାଳକଟିଏ ନାହିଁ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବିଭାଗ ଦ୍ୱାରା କର୍ମଚାରୀ କ୍ୱାର୍ଟର ନିର୍ମାଣ କରାଯାଇଥିବା ବେଳେ ସୋଲାର ଲାଇଟର ବନ୍ଦୋବସ୍ତ କରାଯାଇଛି । ଏବଂ ଉକ୍ତ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପୋଖରୀ ସହ ୫ ଏକର ପରିମିତ ଜାଗାରେ ଗେଣ୍ଡୁ ଚାଷ ଓ ନାନାଦି ପନିପରିବା ଚାଷ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । କିଛି ବର୍ଷ ହେବ ୩୫ ଏକର ଜମିରେ ଧାନ ଚାଷ କରାଯାଇଥିବା ବେଳେ ଏହାର ଚାରିପଟରେ ସୁରକ୍ଷା ପାଚେରୀ ନଥିବାରୁ ଅମଳରେ କ୍ଷୟକ୍ଷତି ଘଟୁଥିବାର ଜଣାପଡ଼ିଥିଲା । ତେଣୁ ସ୍ଥାୟୀ ପାଚେରୀ ନିର୍ମାଣ ଜରୁରୀ ହୋଇପଡ଼ିଥିଲା । ସରକାରଙ୍କ ତରଫରୁ ସ୍ଥାୟୀ ପାଚେରି ନିର୍ମାଣ ନିମନ୍ତେ ହୋଇଥିବା ମଂଜୁର ଅର୍ଥରେ ଯଥା ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ବିଭାଗ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।