Mukesh

ରୋଗୀଙ୍କୁ ଭଲ ବ୍ୟବହାର କରନ୍ତୁ ଡାକ୍ତର: ସ୍ବାସ୍ଥ୍ୟମନ୍ତ୍ରୀ

State

କଟକ: ରାଜକୁମାର ହିରାନୀ ନିର୍ଦ୍ଦେଶିତ ଓ ଅଭିନେତା ସଂଜୟ ଦତ୍ତ ଅଭିନୀତ ୨୦୦୩ ଡିସେମ୍ବର ୧୯ରେ ମୁକ୍ତିଲାଭ କରିଥିବା ବଲିଉଡର ଅନ୍ୟତମ ଲୋକପ୍ରିୟ ଚଳଚ୍ଚିତ୍ର ମୁନ୍ନାଭାଇ ଏମବିବିଏସ୍ ଦେଖିବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍‌। କଟକ ଗସ୍ତରେ ସେ ଶ୍ରୀରାମ ଚନ୍ଦ୍ର ଭଂଜ (ଏସସିବି) ମେଡିକାଲ କଲେଜ ଓ ହସ୍‌ପିଟାଲରେ ସମୀକ୍ଷା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ଏହି ପରାମର୍ଶ ସେ ସହ ରୋଗୀଙ୍କୁ ଭଲ ବ୍ୟବହାର କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ଡାକ୍ତରଙ୍କୁ ସୁରକ୍ଷା ଓ ରୋଗୀଙ୍କୁ ଚିକିତ୍ସା ସରକାରଙ୍କ ଦାୟିତ୍ୱ। ଡାକ୍ତର ଓ ରୋଗୀଙ୍କ ମଧ୍ୟରେ କେହି ବାଧା ଦେଇପାରିବେ ନାହିଁ।
ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ମୁକେଶ ମହାଲିଙ୍ଗ ପ୍ରଥମ ଥର ପାଇଁ କଟକ ଏସସିବି ମେଡିକାଲ ପରିଦର୍ଶନ କରିଥିଲେ। ସେ ପ୍ରଥମେ ପ୍ରିନସିପାଲଙ୍କ ଅଫିସରେ ପହଞ୍ଚିବା ପରେ ଏସସିବି ମେଡିକାଲ ସୁପରିଟେଣ୍ଡେଣ୍ଟ ଏବଂ ପ୍ରିନିସିପାଲ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ଏହାପରେ ଏସସିବି ସୁପରିଟେଣ୍ଡେଣ୍ଟ ଏବଂ ପ୍ରିନିସିପାଲଙ୍କ ସହ ବ୍ୟାଟେରି ଗାଡିରେ ସର୍ଜରି ବିଭାଗରେ ପହଞ୍ଚି ରୋଗୀସେବାର ଅନୁଧ୍ୟାନ କରିଥିଲେ। ଏହାସହ ଚିକିତ୍ସା ସୁବିଧା ସମ୍ପର୍କରେ ରୋଗୀଙ୍କ ସହ କଥା ହୋଇ ପଚାରିବୁଝିଥିଲେ।

ଏହାପରେ ମେଡିକାଲ ଜୁନିଅର ଡାକ୍ତର ଆସୋସିଏସନ୍ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଜୁନିଅର ଡାକ୍ତରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପରେ ପ୍ରିନିସିପାଲଙ୍କ କନଫରେନ୍ସ ହଲରେ ଆୟୋଜିତ ବୈଠକରେ ଯୋଗ ଦେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।