Image 11 2

ଡିପଥେରିଆ-ଜଣ୍ଡିସ ରୋକିବା ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

State

ଭୁବନେଶ୍ୱର: ରାଜ୍ୟରେ ମାଡିଲାଣି ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ ରୋଗ । ଯାହାକି ଚିନ୍ତାର ବିଷୟ ପାଲଟିଛି। ରାଜ୍ୟର ଅନେକ ଜିଲ୍ଲାରେ ଏହି ରୋଗ ମାଡିଥିବା ବେଳେ ଅନେକଙ୍କ ଜୀବନ ଗଲାଣି । ଫଳରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭା ଏବେ ଚିନ୍ତାରେ ପଡିଛି। ଏହାକୁ କିପରି ରୋକ ଲଗାଯିବ ତାହା ଏବେ ବିଭାଗ ପାଇଁ ମୁଖ୍ୟ ଚାଲେଞ୍ଜ ପାଲଟିଛି । ଆଜି ଜାପାନିଜ୍ ଏନ୍‌ସେଫାଲାଇଟିସ୍, ଡିପ୍‌ଥେରିଆ ଓ ଜଣ୍ଡିସ୍ ମୁକାବିଲା ନେଇ ସ୍ବାସ୍ଥ୍ୟ ବିଭାଗରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହା ସମୀକ୍ଷା କରିଛନ୍ତି ।

ଏଥିରେ ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ଆଲୋଚନା ଚାଲିଛି। ସମୀକ୍ଷା ବୈଠକରେ ସ୍ଵତନ୍ତ୍ର ସଚିବ ସରୋଜ କୁମାର ମିଶ୍ର, ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ଭିଡିଓ କାନଫରେନ୍ସିଂରେ ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ସମ୍ବଲପୁର, ରାୟଗଡ଼ା ଓ ଅନୁଗୁଳ ଜିଲ୍ଲାରେ ବ୍ୟାପୁଥିବା ଜଣ୍ଡିସ, ଡିପଥେରିଆ ଓ ଜାପାନିଜ୍ ଏନ୍ସେଫାଲାଇଟିସ ରୋଗର ସ୍ଥିତି ସମ୍ପର୍କରେ ସେହି ଜିଲ୍ଲା ଗୁଡିକର ଜିଲ୍ଲାପାଳ ଓ ସ୍ଵାସ୍ଥ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି। ରୋଗ ଗୁଡ଼ିକୁ ବ୍ୟାପିବାରୁ ରୋକିବା ପାଇଁ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ଏଥିସହିତ ବିଶୁଦ୍ଧ ପାନୀୟଜଳ ଟ୍ୟାଙ୍କର ଦ୍ୱାରା ଅପହଞ୍ଚ ଅଞ୍ଚଳକୁ ଯୋଗାଇ ଦେବାକୁ ଏବଂ ଜନସାଧାରଣ ଯେମିତି ଭୟଭୀତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଅନୁଗୋଳରେ ଶିଶୁମାନେ ଜେଇ (ଜାପାନିଜ ଏନସେଫାଲାଇଟିସ)ରେ ଆକ୍ରାନ୍ତ ପରେ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଛି । କେଉଁ ପରିସ୍ଥିତିରେ ଜେଇ ବ୍ୟାପିଲା ଓ ଏହାର ପ୍ରକୃତ କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗର ଏକ ଚାରି ଜଣିଆ ଟିମ୍ ଅନୁଗୋଳ ଗସ୍ତରେ ଯାଇଛନ୍ତି । ପୂର୍ବରୁ ୨୦୧୨ରେ ମାଲକାନଗିରିରେ ଜେଇ ସଂକ୍ରମଣରେ ୨୪ ଶିଶୁଙ୍କ ମୃତ୍ୟୁ ହୋଇଥିଲା ଓ ୨୦୦ରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ହୋଇଥିଲେ । ଏହି ଭୟ ପୁଣି ସ୍ବାସ୍ଥ୍ୟ ବିଭାଗକୁ ଘାରିଛି । ସେହିପରି ଡିପ୍‌ଥେରିଆରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ଜୀବନ ଗଲାଣି। । ସେମାନଙ୍କ ମଧ୍ୟରୁ ୫ଜଣ କେବଳ ଶିଶୁ ଅଛନ୍ତି । କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ଯୁଦ୍ଧକାଳୀନ ଭିଭିରେ ଟିକାକରଣ, ସ୍କ୍ରିନିଂ ଓ ଚିକିତ୍ସା ଜାରି ରହିଛି ।

ଅନୁଗୁଳରେ ଦୁଇଟି ଜେଇ ସନ୍ଦେହ ଛୁଆ ଅଛନ୍ତି। ହେଲେ ତାହା ଜେଇ ବୋଲି ପ୍ରମାଣ ହୋଇନି। ରିପୋର୍ଟକୁ ଅପେକ୍ଷା କରାଯାଇଛି। ସ୍ଥିତି ନିୟନ୍ତ୍ରଣରେ ଅଛି। ନୂଆ ମାମଲା ଆସିନି କି ସଂକ୍ରମଣ ହୋଇନି। ରାୟଗଡା, କୋରାପୁଟ ଓ କଳାହାଣ୍ଡିର ଚାରୋଟି ଗାଁ ଗୁଡିକରେ ଡିପଥେରିଆ ମାମଲା ଆସିଥିଲା। ଗତ ୧୦ ଦିନରୁ କୌଣସି ନୂଆ ମାମଲା ଆସିନି। ସମସ୍ତେ ସଂଘରୋଧରେ ଅଛନ୍ତି। ଜିଲ୍ଲା ପ୍ରଶାସନକୁ ଘରକୁ ଘର ଯାଇ ପାନୀୟ ଜଳ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିପଥେରିଆ ନେଇ ଅପପୃଷ୍ଟି ଗୋଟେ କାରଣ। ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ସେପଟେ ସମ୍ବଲପୁରରେ ଜଣ୍ଡିସକୁ ନଜର ରଖାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। କୁମାରପଡା, କାଲିବାଡ଼ିର ସମସ୍ୟା ପାଇଁ WATCOକୁ ନିର୍ଦ୍ଦେଶ ଦିଆଯାଇଛି। ସତ ଦିନ ଭିତରେ ପାଇପଲାଇନ ବଦଳି କରିବାକୁ କୁହାଯାଇଛି। ଘରକୁ ଘର ସ୍ୱଚ୍ଛ ଜଳ ଯୋଗାଣ ଦେବାକୁ ସମ୍ବଲପୁର ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି।