Img 20240619 Wa0260

ମୟୂରଭଞ୍ଜ ଜିଲ୍ଲାରେ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ

State

ବାରିପଦା:  ବିଶ୍ୱ ରକ୍ତ ଶିକୁଳି ବା ସିକିଲ ସେଲ ସଚେତନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ରକ୍ତ ଶିକୁଳି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି I ଏହି ସଭାରେ ମାନ୍ୟବର ସାଂସଦ, ମୟୂରଭଞ୍ଜ ଶ୍ରୀ ନବ ଚରଣ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ଅତିରକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟ କୁମାର ଦାଶ, ଅତିରକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ଲେପ୍ରୋସି ବିଭାଗ) ଡଃ ଶାନ୍ତନୁ କୁମାର ଦାଶ, ଡଃ ପ୍ରଣବ ଶଙ୍କର ଦାଶ, ବରିଷ୍ଠ ଚିକିତ୍ସକ, ଡଃ ଘାସିରାମ ମୁର୍ମୁ , ଡିପିଏଚଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଡିପିଏମ), ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରୀ ପ୍ରଭୁ ପ୍ରତ୍ୟନ୍ତ ପତି , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଏବଂ ଅନ୍ୟାନ୍ୟ ଅତିଥିମାନେ ପ୍ରମୁଖ ମଞ୍ଚାସୀନ ଥିଲେI

ସଭା ପ୍ରାରମ୍ଭରେ ଡଃ ଦାଶ ଏହି ବଂଶାନୁକ୍ରମିକ ରକ୍ତ ବିକୃତି ବିଷୟରେ ଜନସାଧାରଣଙ୍କୁ ଶିକ୍ଷିତ କରିବା ଏବଂ ରୋଗୀମାନଙ୍କ ପାଇଁ ଶୀଘ୍ର ନିଦାନ ଏବଂ ବ୍ୟାପକ ଯତ୍ନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ସାଂସଦ ଶ୍ରୀ ମାଝୀ ସମଗ୍ର ଜିଲ୍ଲାରେ ସିକଲସେଲ ରୋଗ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ସିକଲସେଲ ରୋଗର ପ୍ରଭାବୀ ସମାଧାନ ପାଇଁ ସରକାର, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଏବଂ ସମୁଦାୟକୁ ସାମିଲ କରି ଏକ ବହୁ-ଅଂଶଧାରୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ମାଝୀ।

ଏହି ସଚେତନତା ଅଭିଯାନ ଅନ୍ତର୍ଗତ ସିକଲସେଲ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିକଳ୍ପ ସମ୍ପର୍କରେ ସୂଚନାତ୍ମକ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା I ଏଥିସହିତ ସିକେଲସେଲ ପରୀକ୍ଷାରେ ନେଗେଟିଭ ରିପୋର୍ଟ ହାସଲ କରିଥିବା ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା I ଡିପିଏମ ଶ୍ରୀ ଅନିଲ କୁମାର ମହାନ୍ତି ସଭା ପରିଚାଳନା କରିଥିଲେ I

ଏଠାରେ ସୂଚନା ଥାଉକି, ସିକଲସେଲ ରୋଗର ପ୍ରଭାବ ଓ ଏହାର ନିରାକରଣ ଉପାୟ ଉପରେ ଆଲୋକପାତ କରିବା ପାଇଁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଇଥାଏ। ଆଜିଠାରୁ ରାଜ୍ୟର ୨୧ଟି ଜିଲ୍ଲାରେ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ସିକଲସେଲ ରୋଗ ଏବଂ ଏହାର ନିରାକରଣ ଉପରେ ସ୍କ୍ରିନିଙ୍ଗ, ଟେଷ୍ଟିଂ ଏବଂ ଶିକ୍ଷା ପ୍ରଦାନ କରାଯିବ।