Photo1 For The News Of Raja

ସଂସ୍କୃତିର ନିଦର୍ଶନ, ଆଗରପଡ଼ା ଅଂଚଳର ରଜ ମହୋତ୍ସବ

State

ଆଗରପଡ଼ା :ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଉତ୍କଳର ମହାନ ସଂସ୍କୃତି ପରମ୍ପରାକୁ ଉତ୍କଳୀୟ ମାନେ ଭୁଲିଯାଇ ପାଶ୍ଚାତ୍ୟ ମୁଖୀ ହେଉଥିବା ବେଳେ ଆଗରପଡ଼ା ଓ ତା ଆଖପାଖ ଅଂଚଳବାସୀ କିନ୍ତୁ ଭୁଲି ପାରିନାହାନ୍ତି ସେହି ମହାନ ସଂସ୍କୃତି ଓ ପରମ୍ପରାକୁ । ତା’ର ଜ୍ୱଳନ୍ତ ଉଦାହରଣ ଓଡ଼ିଆ ମାନଙ୍କ ରଜ ପର୍ବ । ଅନ୍ୟାନ୍ୟ ଅଞ୍ଚଳରେ ଏହି ପର୍ବ ପର୍ବାଣୀ ଲୋପ ର ପାଦ ଦେଶରେ ପହଂଚିଥିବା ବେଳେ ଏଠାକାର ଅଂଚଳରେ ଏହି ପର୍ବ କିନ୍ତୁ ଅଧିକ ସରସ ସୁନ୍ଦର ହେବାରେ ଲାଗିଛି । ଓଡ଼ିଆଣି “ପିଠା” ଆସନ “ପିଜା” ଗ୍ରହଣ କରିଥିବା ବେଳେ ଏଠାରେ ପୋଡ଼ ପିଠା, କାକରା, ମଣ୍ଡା ଆଦି ସୁଆଦିଆ ପିଠାର ବାସ୍ନା ଆଜିବି ଘରେ ଘରେ ଅନୁଭବ ହୋଇଥାଏ । ଗାଁ ଦାଣ୍ଡରେ ଯିବା ବେଳେ ଏହାର ବାସ୍ନା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଗାଁ ଦାଣ୍ଡରେ ଭାସି ଆସେ ଗାଁ ଲଳନା ମାନଙ୍କ ସୁମଧୁର କଣ୍ଠରେ ବନସ୍ତେ ଡ଼ାକିଲା ଗଜ ……… ର ମନ ମତାଣିଆ କଣ୍ଠ ସ୍ୱର । ଗାଁର ବରଗଛ ମୁଳେ ପଟା ଦୋଳି ସାଂଗକୁ କୁନି କୁନି ଝିଅ ମାନଙ୍କ ମଧ୍ୟରେ ପୁଚି ଖେଳ, ଲୁଡ଼ୁ ଖେଳର ନିଆାଁରା ମଜା ଦେଖିବାକୁ ମିଳିଥାଏ । ପୃଥିବୀ ରଜସ୍ୱାଳା ଥିବାରୁ ଗାଁ ମହିଳା ମାନେ ରୋଷେଇ କାର୍ଯ୍ୟ ନ କରି ତାସ ଖେଳରେ ମାତି ଥିବାର ଦେଖିବାକୁ ମିଳେ । ଯୁବକ ମାନଙ୍କ କବାଡ଼ି ଖେଳ ଗାଁ ଦାଣ୍ଡରେ ଏକ ନିଆରା ପରିବେଶ ସୃଷ୍ଟି କରିିଥାଏ । ଉତ୍କଳ କେଶରୀ ଡ଼ଃ. ହରେକୃଷ୍ଣ ମହତାବ ଆଗରପଡ଼ା ଅଂଚଳରେ କବାଡ଼ି ଖେଳର ପରମ୍ପରା ଆରମ୍ଭ କରିଥିଲେ ।

Photo2 For The News Of Raja

ସେ ନିଜେ ମଧ୍ୟ ସାଧାରଣ ଲୋକଙ୍କ ସହ ମିଶି ଖେଳୁଥିବା ଦେଖାଯାଉଥିଲା । ଏବେ ଏହି ବ୍ଲକର ତିନି ଗୋଟି ସ୍ଥାନରେ ରଜ ମହୋତ୍ସବ ଧୁମ ଧାମରେ ପାଳନ କରାଯାଉଥିବା ବେଳେ ପୁରୁଷଣ୍ଢର ରାମଗଡ଼ ପଦା ଠାରେ କିଛି ଉଦ୍ୟମି ଯୁବକ ୨୦୦୫ ମସିହା ଠାରୁ କମିଟି ଗଠନ କରି ରଜ ପର୍ବକୁ ଗଣ ପର୍ବରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କମିଟି ପକ୍ଷରୁ ରାମଦୋଳି, ବ୍ରେକ ଡ଼୍ୟାନ୍ସ ଦୋଳି, ଚକିରୀ ଦୋଳି, ଜୋଡ଼ା ଦୋଳି ଓ ମିକି ମାଉସ ରେ ଚଢ଼ି ଛୋଟ ଛୋଟ ପିଲାମାନେ ଆନନ୍ଦ ଉଠାଇଥାନ୍ତି । ସେହିପରି ବଡ଼ମହିଁଷଗୋଠ ପଂଚାୟତ ଟିକିରା ବରଗଛ ପଡ଼ିଆ ଠାରେ ଆଇଡ଼ିଆଲ କ୍ଲବ ସଭାପତି ମନ୍ମଥ ଦାସ ପ୍ରମୁଖଙ୍କୁ ନେଇ ଅନ୍ୟ ଏକ କମିଟି ଗଠନ କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଏହି ପର୍ବକୁ ଏଥର ଅଧିକ ଆକର୍ଷଣ କରିବା ପାଇଁ ସମସ୍ତ ଚେଷ୍ଟା ଚାଲିଥିବାର ସଭାପତି ମନ୍ମଥ ଦାସ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଚାରିଦିନ ବ୍ୟାପି ଏଠାରେ ଏହି ପର୍ବ ପାଳନ ହେବାକୁ ଥିବା ବେଳେ ପ୍ରତ୍ୟେହ ଦିନ ବିଭିନ୍ନ ପ୍ରତିଯୋଗୀତା ସାଙ୍ଗକୁ ସଂଗୀତ, ନୃତ୍ୟ ପରିବେଷଣ ଓ ଶେଷ ଦିନରେ ପ୍ରତିଭାଧର ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଗଣିଜାଙ୍ଗ ହାଟ ପଡ଼ିଆ ଠାରେ ରଜ ପର୍ବ ଧୁମ ଧାମରେ ପାଳିତ ହେବ । ଏଠାରେ ପାନଭଙ୍ଗା, ଝୋଟି, ଚିତା, ପୁଚି, ପୋଡ଼ ପିଠା ପ୍ରସ୍ତୁତି ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥାଏ । ପ୍ରତିବର୍ଷପରି ଏବର୍ଷ ମଧ୍ୟ ଏଠାରେ ରଜପରୀ ପ୍ରତିଯୋଗିତା ହେବ । ଅନୁରୂପ ଭାବେ ରାମଚନ୍ଦ୍ରପୁର ପଂଚାୟତ ଅର୍ନ୍ତଗତ ନିମପଡ଼ାଠାରେ ମଧ୍ୟ ଏବର୍ଷ ଧୁମଧାମରେ ରଜମହୋତ୍ସବ ପାଳିତ ହେବାକୁ ଯାଉଛି । ମୋଟା ମୋଟି ଭାବେ କହିବାକୁ ଗଲେ ଓଡ଼ିଆ ସଂସ୍କୃତିକୁ ବଂଚାଇବା ପାଇଁ ଏହା ଏକ ପ୍ରୟାସ ।