Photo For The News Of Cultivation Field

ରଜ ଆସିଲା, ପାଗ ନୋହିଲା, ଚାଷ ଜମିରେ ଚରୁଛନ୍ତି ଗୋରୁ; ଚିନ୍ତାରେ ଚାଷୀ

State

ଆଗରପଡ଼ା :ପ୍ରତି ବର୍ଷ ପରି ଚଳିତ ବର୍ଷ ଚାଷୀଙ୍କ ମୁହଁରେ ସେପରି ଆନନ୍ଦ ନାହିଁ । ରଜ ପୂର୍ବରୁ ଧାନ ବୁଣା ବୁଣି, ତଳି ପକା କାର୍ଯ୍ୟ ସାରି ଚାଷୀ ଆନନ୍ଦ ମନରେ ରଜ ପର୍ବ ପାଳନ କରିଥାଏ । ଏବର୍ଷ ରଜ ଆରମ୍ଭ ହେବାକୁ ବସିଲାଣି କିନ୍ତୁ ମୌସୁମିରେ ପରିବର୍ତ୍ତନ ଆସିନଥିବାରୁ ଏହା ଚାଷୀର ଚିନ୍ତା ବଢାଇ ଦେଇଛି । ପାଣି ପାଗ ସୂତ୍ର ଅନୁଯାୟୀ ଚଳିତ ବର୍ଷ ମୌସୁମୀ ସମୟ ପୂର୍ବରୁ ଆସିଥିଲେ ସୁଦ୍ଧା ଠିକ୍ ଭାବେ ପ୍ରବାହ ହୋଇପାଇନଥିବାରୁ ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ନ ହେବାରୁ ଚାଷୀ ମୁଣ୍ଡରେ ହାତ ଦେଇଥିବା ବେଳେ ବର୍ତ୍ତମାନ ଜମିରେ ଗୋରୁ ଗାଈମାନେ ଚରୁ ଥିବାର ଦେଖାଯାଇଛି । ବିବରଣୀରୁ ପ୍ରକାଶ ବନ୍ତ ଓ ଆଗରପଡ଼ା ଅଂଚଳରେ ରେ ପ୍ରାୟ ୮୦ ଭାଗ ଚାଷୀ ଥିବା ବେଳେ ୨୦ ଭାଗ ସରକାରୀ ଚାକିରୀଆ ଅଛନ୍ତି । ରଜ ପୂର୍ବରୁ ଜମିରେ ହଳ ଗାର ବାଜି ପାରିଲା ନାହିଁ । ପ୍ରବଳ ଗରମ ଓ ଗ୍ରୀଷ୍ମ ଋତୁ ଫଳରେ ଜମି ଟାଣ ହୋଇଯାଇଥିଲା । ରଜ ପର୍ବ ପଡ଼ିବାର ଏକ ମାସ ପୂର୍ବରୁ ପାଗ ନ ହେବାରୁ ହଳ ହୋଇପାରିଲା ନାହିଁ ।

ତା ପରେ ପରେ ୨/୩ ଦିନରେ ଥରେ ବର୍ଷା ହୋଇ ଜମି ଓଦା ହୋଇଯାଏ । ଜମି ଶୁଖିବା ପୂର୍ବରୁ ପୁଣି ବର୍ଷା ହୋଇ ଛାଡ଼ିଯାଏ । ଜମିର ପାଗକୁ ଚାହିଁ ଚାହିଁ ହଳ ହୋଇପାରିଲା ନାହିଁ । ଅଧିକ ପରିମାଣରେ ବର୍ଷା ହୋଇଥିଲେ ଜମିକୁ କାଦୁଅ କରି ଧାନ ତଳି ପକା ଯାଇପାରିଥାନ୍ତା । ତାହା ମଧ୍ୟ ହୋଇପାରିଲା ନାହିଁ । ଧାନ ତଳି ପଡ଼ି ପାରିଲା ନାହିଁ କି ଧାନ ବୁଣା କାର୍ଯ୍ୟ ହେଲା ନାହିଁ । ରଜ ଆସିଗଲା କିନ୍ତୁ ଚାଷୀଙ୍କମନରେ ପୂର୍ବହସ ଦେଖିବାକୁ ମିଳୁ ନାହିଁ । ଆମ୍ବ ପଣସର ଦର ସାଙ୍ଗକୁ ଧାନ ତଳି ନ ପକାଇପାରିବାର ଦୁଃଖ ଦୁଇ ଗୁଣା ହେବାକୁ ବସିଲାଣି । ବିଲରେ ଘାସ ମଧ୍ୟ ହୋଇଗଲାଣି । ପାଗ ଠିକ ନଥିବାରୁ ଅଧିକାଂଶ ଚାଷୀ ଗୋବରଖତ ମଧ୍ୟ ଜମିରେ ପକାଇ ପାରିଲେ ନାହିଁ । କ୍ଷେତରେ ପଡ଼ିଆ ଦେଖା ଯାଉଛି,ଗୋରୁ ଗାଈମାନେ ମନ ଆନନ୍ଦରେ ଘାସ ଖାଉଛନ୍ତି । ଜୋରରେ ବର୍ଷା ହୋଇଗଲେ ବିଚରା ଚାଷୀ ଧାନ ତଳି ପକାଇବା ସହିତ ଜମିକୁୁ କାଦୁଅ କରିବାରେ ସକ୍ଷମ ହୋଇପାରନ୍ତା, ଧାନ ଚାଷ କାର୍ଯ୍ୟରେ ଲାଗିଯାନ୍ତା । ଏସବୁ ଦୁଃଖରେ ଭାଙ୍ଗି ପଡ଼ିଛି ଚାଷୀ, ଚାଷ କେମିତି ହେବ, ପରିବାର କେମିତି ଚଳାଇବ ସେହି ଦୁଃଖରେ ମୁଣ୍ଡ଼ରେ ହାତ ଦେଇ ବସିଛି ଚାଷୀ ।