ଭୁବନେଶ୍ୱର: ୫ଟି ସଚିବଙ୍କ ବିରୋଧରେ ସମ୍ପାଦକୀୟରେ ମୁହଁ ଖାଲିବା ପରେ ଦଳ ଭିତରେ ଟାର୍ଗେଟରେ ଅଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଜଣକ ପରେ ଜଣେ ନେତା, ବିଧାୟକ, ମନ୍ତ୍ରୀ ସୌମ୍ୟଙ୍କୁ ଜବାବ ମାଗିବା ପରେ ପ୍ରତିଜବାବ ରଖିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ପଟ୍ଟନାୟକ । ପ୍ରତିଜବାବରେ ବେଶ ଧୂଲେଇ କରିଛନ୍ତି ଦଳୀୟ ନେତାଙ୍କୁ । ଏପରିକି ସୌମ୍ୟଙ୍କ କାଉଣ୍ଟର ଆଟାକାରୁ ବି ମୁଖ୍ୟମନ୍ତ୍ରୀ ବାଦ ପଡି ନାହାନ୍ତି ।
ତେବେ ଏହି ନେତା ମନ୍ତ୍ରୀମାନେ ଯାହା କହୁଛନ୍ତି ସେମାନେ ନିଜ ଇଚ୍ଛାରେ ନୁହେଁ, ଅନ୍ୟ କାହାଚାପରେ କହୁଛନ୍ତି ବୋଲି କହିଥିଲେ ସୌମ୍ୟ । ସେମାନେ ଅସହାୟ । କାରଣ ଏପରି ନ କହିଲେ ସେମାନଙ୍କ ପେଟ ପାଟଣା ବୁଡିଯିବ । ମନ୍ତ୍ରୀ ପଦ ବି ଚାଲିଯିବ । ଥରେ ମନ୍ତ୍ରୀ ପଦ ହରାଇଥିଲେ । କାଳେ ଆଉଥରେ ଚାଲିଯିବ ସେଥିପାଇଁ ଏମିତି କଥା କହୁଛନ୍ତି ବୋଲି କଟାକ୍ଷ କରିଛନ୍ତି ସୌମ୍ୟ ।
ସୌମ୍ୟ ଆହୁରି କହିଛନ୍ତି, ସେ ବିଜେଡିରେ ଅଛନ୍ତି । ଦଳ ପାଇଁ ଯାହା ଭଲ, ରାଜ୍ୟ ପାଇଁ ଯାହା ଭଲ ତାହା ସେ କହନ୍ତି । କାହାକୁ ମନକୁ ନ ପାଇଲେ ମୋର କିଛି କରିବାର ନାହିଁ ବୋଲି ସେ କହିଛନ୍ତି । ଦଳର ଭଲ ପାଇଁ କ’ଣ କରିବା , କ’ଣ କହିବା ଦରକାର ସେ କଥା ଦଳର ସମସ୍ତେ ଜାଣନ୍ତି ଆଉ ମୁଁ ତାହା ହିଁ କହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୌମ୍ୟ ।
ସୌମ୍ୟଙ୍କ କଟାକ୍ଷରୁ ମୁଖ୍ୟମନ୍ତ୍ରୀ ବି ବାଦ ପଡି ନ ଥିଲେ । ଦଳ ବଦଳ ପ୍ରସଙ୍ଗ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ସୌମ୍ୟ ସିଧା ସିଧା କହିଥିଲେ, ମୁଖ୍ୟମନ୍ତ୍ରୀ ବି ମତ ପରିବର୍ତ୍ତନ କରନ୍ତି । ୧୫ ଦିନରେ ଥରେ ମତ ପରିବର୍ତ୍ତନ କରନ୍ତି । ନବୀନ ବାବୁ ୧୯ରେ କହିଲେ କେନ୍ଦ୍ରକୁ ବିରୋଧ କରିବା, ଭୋଟ ବେଳକୁ ମତ ବଦଳାଇ ଦେଲେ । ତେବେ ପରିବର୍ତ୍ତିତ ସ୍ଥିତିରେ ମତ ବଦଳାଇବା ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ସେ କହିଥିଲେ ।
ଶେଷରେ ସେ ଦଳକୁ ଏକ ପ୍ରକାର ଚାଲେଞ୍ଜ ଦେଇ କହିଛନ୍ତି, ଯଦି ଦଳ ବିରୋଧୀ କାମ କରୁଛୁ ବୋଲି କହୁଛନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । କାର୍ଯାନୁଷ୍ଠାନ ନ କରି ଟିଭିରେ ରାଜନୀତି କରି କେତେଦିନ ଚଳିବେ ବୋଲି ସୌମ୍ୟ ସେମାନଙ୍କୁ ପ୍ରଶ୍ନ କରିଛନ୍ତି ।