Onn 3

ସରକାରୀ ଯୋଜନା ଏବଂ ପ୍ରକଳ୍ପ ମାନଙ୍କର ଉପଲବ୍ଧି ଗୁଡିକୁ ଓଡ଼ିଆ ଭାଷାରେ ଭିଡ଼ିଓ ଦ୍ୱାରା ପ୍ରଚାର ପ୍ରସାର ପାଇଁ ଜିଲ୍ଲା ସ୍ତରୀୟ ବୈଠକ

State

ବାରିପଦା : ଗ୍ରାମ୍ୟ ଏବଂ ପଂଚାୟତ ସ୍ତରରେ ରାଜ୍ୟ ସରକାରଙ୍କର ସମସ୍ତ ବିକାଶୋନ୍ମୁଖୀ ପ୍ରକଳ୍ପ ମାନଙ୍କୁ ଅଧିକ ରୁ ଅଧିକ ଜନମାନସରେ ଆଦୃତ କରାଇବା ପାଇଁ ଏକ ପ୍ରମୁଖ ବ୍ୟବସ୍ଥା କରାଯିବା ନେଇ ସ୍ଥିର କରାଯାଇଛି। ଏହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଏବଂ ଜଳ ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ସମ୍ମିଳନୀ କକ୍ଷରେ ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକାରୀ ହୋଇଥିବା ସରକାରୀ ଯୋଜନା ଏବଂ ପ୍ରକଳ୍ପ ମାନଙ୍କର ଉପଲବ୍ଧି ଗୁଡିକୁ ଓଡ଼ିଆ ଭାଷାରେ ସଠିକ ପ୍ରଚାର ପ୍ରସାର କରାଇ ଜନାଦୃତ କରାଇବା ପାଇଁ ଏକ ଜିଲ୍ଲା ସ୍ତରୀୟ ସମନ୍ବିତ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ ଏବଂ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ ମହାପାତ୍ର ଏହି ବୈଠକକୁ ପରିଚାଳନା ତଥା ସଂଯୋଜନା କରିଥିଲେ। ଆଭାସୀ ମାଧ୍ୟମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହି ବୈଠକରେ ସାମିଲ ହୋଇ ଏହି ପ୍ରଲେଖନ ଦାୟିତ୍ୱକୁ କିଭଳି ସଫଳ କରାଯିବ ସେ ବିଷୟରେ ନିଜ ନିଜ ମତାମତ ଦେଇଥିଲେ। ଇତ୍ୟବସରରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଏହି ବୈଠକରେ ଯୋଗ ଦେଇଥିବା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତୀୟ ଉପଲବ୍ଧି ମାନଙ୍କୁ ଫଟୋ ଏବଂ ଭିଡିଓ ପ୍ରଲେଖନ ଦ୍ୱାରା ଲିପିବଦ୍ଧ କରିବାକୁ ନିର୍ଦେଶ ଦେଇଥିଲେ। ବିଶେଷକରି ରାଜ୍ୟ ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଏହି ଫଟୋ ଏବଂ ଭିଡିଓ ପ୍ରଲେଖନ କାର୍ଯ୍ୟ ପ୍ରଚାର ପ୍ରସାର କରାଯିବାର ପ୍ରସ୍ତାବ ଥିବାରୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଏହି ବିଷୟରେ ବିଶଦ ଆଲୋଚନା କରିଥିଲେ।

ଏହି କାର୍ଯ୍ୟପ୍ରଣାଳୀ ଅନୁଯାୟୀ ବିଭିନ୍ନ ପଂଚାୟତରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଯଥା ୫ଟି-ପ୍ରକଳ୍ପ ଅଧୀନରେ ଥିବା ସମସ୍ତ କାର୍ଯ୍ୟ, ଗ୍ରାମ୍ୟ ପାର୍କ, ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପ ଦ୍ୱାରା ହସ୍ତଗତ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ, ଜଳସେଚନ, କୃଷି, ସ୍ୱାସ୍ଥ୍ୟ, ଗମନାଗମନ ବିଶେଷ କରି ଆଦିବାସୀ କଲ୍ୟାଣ ବିକାଶ ଅଧୀନରେ ହେଉଥିବା ସମାପ୍ତ କାର୍ଯ୍ୟ ଓ ଏହାର ସଫଳ କାହାଣୀ ଇତ୍ୟାଦିଙ୍କୁ ଭିଡିଓ ମାଧ୍ୟମରେ ପରିପ୍ରକାଶ କରିବାପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଥିଲେ। ସୂଚନା ଯୋଗ୍ୟଯେ, ସମସ୍ତ ବ୍ଲକରେ ହେଉଥିବା ବିଭିନ୍ନ ସଫଳ ଯୋଜନାର କାର୍ଯ୍ୟକୁ ନେଇ ୧୦ ମିନିଟର ଭିଡ଼ିଓ ଡକୁମେଣ୍ଟ କରାଯିବା ସହିତ ୮୦ ରୁ ୧୦୦ ପୃଷ୍ଠା ବିଶିଷ୍ଟ ପ୍ରଲେଖନ ଓଡ଼ିଆ ଭାଷାରେ ମଧ୍ୟ କରାଯିବ ଏବଂ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବିବେଚିତ ଭିଡ଼ିଓ ଡକୁମେଣ୍ଟ ମାନଙ୍କୁ ରାଜ୍ୟ ସ୍ତରରେ ମଧ୍ୟ ପୁରସ୍କାର ଦେବାର ବ୍ୟବସ୍ଥା କରା ଯାଇଛି। ଏହି ବୈଠକରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯଥା ଜିଲ୍ଲା ପ୍ରମୁଖ ଚିକିତ୍ସା ଅଧିକାରୀ ଡଃ ରୂପଭାନୁ ମିଶ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅନନ୍ତ ମୋହନ ସେଠୀ, ପ୍ରକଳ୍ପ ପ୍ରଶାସକ, ବାରିପଦା ଉପଖଣ୍ଡ ଶ୍ରୀ ରାମଚନ୍ଦ୍ର ସୋରେନ , ବିଭିନ୍ନ ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସମେତ ୨୬ଟି ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଯୋଗ ଦେଇ ନିଜ ମତାମତ ଦେଇଥିଲେ।