Image 1718286716

ଗେଷ୍ଟହାଉସରୁ କାର୍ଯ୍ୟ ଆରମ୍ଭ କଲେ ନୂଆ ମୁଖ୍ୟମନ୍ତ୍ରୀ: ୧୦୦ଦିନର କାର୍ଯ୍ୟକ୍ରମ ପ୍ରସ୍ତୁତ ପାଇଁ କସରତ

State

ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାତ୍ର ୨୪ଘଣ୍ଟା ନପୁରୁଣୁ ଗୋଟିଏପରେ ଗୋଟିଏ ଆଖିଦୃଶିଆ ପଦକ୍ଷେପ ନେବାରେ ଲାଗିଛନ୍ତି । ନୂଆ ସରକାର ଶପଥ ସମାରୋହର ମାତ୍ର ୩ଘଣ୍ଟା ଭିତରେ କ୍ୟାବିନେଟ୍ ବୈଠକ ଡାକି ଓଡ଼ିଶା ଓ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାବେଳେ ଆଜି ରାଜ୍ୟ ସରକାରଙ୍କ ଅତିଥି ଭବନ(ଗେଷ୍ଟ ହାଉସ)ରୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହିତ ବିଜେପି ସରକାରର ପ୍ରଥମ ୧୦୦ଦିନର କାର୍ଯ୍ୟକ୍ରମ ପାଇଁ କସରତ ଆରମ୍ଭ ହୋଇଛି । ପ୍ରଥମ ୧୦୦ଦିନ ମଧ୍ୟରେ ମୋହନ ମାଝୀଙ୍କ ସରକାର କେଉଁସବୁ ନିଷ୍ପତ୍ତି ନେବ ଓ ତାଙ୍କର କାର୍ଯ୍ୟ କ’ଣ ରହିବ ସେ ନେଇ ଆଜି ସରକାରଙ୍କ ବିଭିନ୍ନ ବିଭାଗର ଅଫିସରମାନଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଶପଥ ନେବା ପରଠୁ ଫୁଲ୍ ସ୍ପ୍ରିଡରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଜି ରାଜ୍ୟ ଅତିଥି ଭବନର ପ୍ରଥମ ମହଲାରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନଙ୍କୁ ଡାକି ଆଲୋଚନା କରିଛନ୍ତି । ଏହାସହିତ ବିଧାନସଭାର ଅଧିବେଶନ କେବେ ଆରମ୍ଭ କରିହେବ ସେନେଇ ପ୍ରାରମ୍ଭିକ ଭାବେ ସଂସଦୀୟ ବ୍ୟାପାର ବିଭାଗର ସଚିବ ଜି.ମାଥିଭାଥାନନ୍ ଓ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହ ବିଚାରବିମର୍ଶ କରିଥିବା ଜଣାପଡ଼ିଛି । ସେହିପରି ବିଭିନ୍ନ କର୍ମଚାରୀ ସଂଗଠନ ଓ ସାଧାରଣ ଲୋକେ ମଧ୍ୟ ସେଠାରେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟ ଅତିଥିଭବନର ପ୍ରଥମ ମହଲାକୁ ଆଜିଠୁ ଅସ୍ଥାୟୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଭାବେ ଉପଯୋଗ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ସରକାରର ୧୦୦ଦିନର କାର୍ଯ୍ୟ ଚୂଡ଼ାନ୍ତ କରିବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ବିଜେପିର ସଂକଳ୍ପ ପତ୍ର ଆଧାରରେ ୧୦୦ଦିନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ବିଭାଗର ଅଫିସରମାନଙ୍କୁ ଏନେଇ ପରାମର୍ଶ ଦିଆଯାଇଛି । ଯାହାକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବେ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ସଜେଇ ହେଉଥିବାରୁ ଶ୍ରୀ ମାଝୀ ଏବେ ଅସ୍ଥାୟୀ ଭାବେ ରାଜ୍ୟ ଅତିଥି ଭବନର ପ୍ରଥମ ମହଲାରୁ ନିଜର କାର୍ଯ୍ୟ ଜାରି ରଖିବେ ବୋଲି ସୂଚନା ମିଳିଛି । ଆଜି ଭୋରରୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ରାଜ୍ୟ ଅତିଥି ଭବନରୁ ରହି ଶ୍ରୀ ମାଝୀ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ପୁରା ଆକ୍ସନମୋଡରେ ନୂଆ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଛନ୍ତି ଓ ବିଭିନ୍ନ ବିଭାଗର ସଚିବମାନଙ୍କୁ ଡାକି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିର୍ଦ୍ଦେଶ ଦେଇ ତାକୁ ତୁରନ୍ତ ପାଳନ କରିବା ପାଇଁ ମଧ୍ୟ ତାଗିଦ୍ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଶପଥ ଉତ୍ସବ ପରେ କ୍ୟାବିନେଟ୍ ବୈଠକ ଡାକି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ଆଧାରରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ମୋହନ ମାଝୀଙ୍କ ସରକାର ପୁରୀରେ ରାତି ବିତାଇଛନ୍ତି । ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଆଉ ଦୀର୍ଘଦିନ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବାବେଳେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ।