Govt.of Odisha 650x430 1 300x198

ବଦଳିଲା ସରକାର, ପ୍ରତିଶ୍ରୁତି କାର୍ଯ୍ୟକାରୀ ହେବ କେବେ ?

State

ରାଉରକେଲା: ବଦଳିଲା ସରକାର। କାର୍ଯ୍ୟକାରୀ ହେବ କି ବର୍ଷ ବର୍ଷ ଧରି ଘୋଷଣାରେ ଅଟକିଥିବା ରାଉରକେଲା କମିସନରେଟ୍‌ ବ୍ୟବସ୍ଥା। ସ୍ଥାପନ ହେବ କି ବହୁ ପ୍ରତୀକ୍ଷିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଓ ରାଉରକେଲା ମେଡ଼ିକାଲ କଲେଜ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ ବିଶାଳ ଜନସଭାରେ ଏସବୁ ବ୍ୟବସ୍ଥା ଘୋଷଣା କରିଥିଲେ। ବିଜେଡ଼ି ଶାସନ କାଳ ମଧ୍ୟରେ କରାଯାଇ ପାରିଲା ନାହିଁ। ବିଜେପି, କଂଗ୍ରେସ ଘୋଷଣାକୁ ବାସ୍ତବରୂପ ଦେବାକୁ ଅନେକବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ ତା’ ସେମିତି ଘୋଷଣାରେ ରହିଯାଇଥିଲା। ଏବେ ବିଜେପି ରାଜ୍ୟରେ ସରକାର ଗଠନ କରିଛନ୍ତି।
ସ୍ଥାନୀୟ ଜନପ୍ରତିନିଧି ଓ ନେତାମାନେ ସୁନ୍ଦରଗଡ଼ ଜିଲ୍ଲା ବିଶେଷ କରି ରାଉରକେଲାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କରିବାର ଆବଶ୍ୟକତା ରହିଛି। ଗତ ୨୦୧୫ରେ ରାଜ୍ୟ ସରକାର ରାଉରକେଲାରେ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ସ୍ଥାପନା କରିବାକୁ ଘୋଷଣା କରିଥିଲେ। ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି), ରାଜ୍ୟ ସରକାର ଓ ଜାଭିୟର ମିଳିତ ଉଦ୍ୟମରେ ରାଉରକେଲା ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ରାଉରକେଲା ୟୁନିଟ୍‌ -୫ରେ ଆର୍‌ଏସ୍‌ପି ୩୦ ଏକର ଜାଗା ଓ ୧୨୦ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା।
ମାତ୍ର ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆଜି ପର୍ଯ୍ୟନ୍ତ ଇନ୍‌ଷ୍ଟିଚ୍ୟୁଟ୍‌ ନିର୍ମାଣ ପାଇଁ ଖଣ୍ଡିଏ ଇଟା ମଧ୍ୟ ପଡ଼ିଲାନି। ଗତ ୧୦ ବର୍ଷ ତଳେ ଅର୍ଥାତ୍‌ ୨୦୧୪ରେ ଝିରପାଣି-ଦେଓଗାଁ ମଧ୍ୟରେ (କାଠଯୋଡି ଓ ନର୍ମଦାନଦୀ ପରି) ବ୍ରାହ୍ମଣୀ ଓ କୋଏଲନଦୀ କୂଳରେ ରିଂରୋଡ ନିର୍ମାଣ ପାଇଁ ସରକାର ଶିଳାନ୍ୟାସ କରିଥିଲେ। ରାସ୍ତା ନିର୍ମାଣ ହେଲେ ସହର ଭିତରକୁ ପଶୁଥିବା ବନ୍ୟାଜଳକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିଥାନ୍ତା। ହେଲେ ତାହା ସେମିତି ଶିଳାନ୍ୟାସରେ ଅଟକିଯାଇଛି।
ଅନ୍ତଃରାଜ୍ୟ ଆପରାଧିକ କାର୍ଯ୍ୟକଳାପ ରୋକିବା ସହ ସହରରେ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଗତ ୨୦୧୪ରେ ସରକାର ରାଉରକେଲାରେ କମିସନରେଟ୍‌ ପୁଲିସ୍‌ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଥିଲେ। ଆଜିକୁ ୧୦ ବର୍ଷ ବିତିଯାଇଥିଲେ ହେଁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି। କେବଳ ଏତିକି ନୁହେଁ ହକି ବିଶ୍ବ କପ୍‌ ପୂର୍ବରୁ ସହରସାରା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ‌ବର୍ଷେ ବିତିଗଲା ସିସିଟିଭି ଲାଗିଲା, କିନ୍ତୁ କାର୍ଯ୍ୟକ୍ଷମ ହେଲାନି।
ଗତ ୨୦୦୩ ଅର୍ଥାତ୍‌ ୨୦ ବର୍ଷ ତଳେ ରାଉରକେଲା ମେଡ଼ିକାଲ କଲେଜ ପାଇଁ କୁଆରମୁଣ୍ଡା ଡାଏରି ଫାର୍ମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ଏଠି ବି ସମାନ ସ୍ଥିତି। ସମ୍ପୃକ୍ତ ଜାଗାକୁ ଏବେ ସରକାର ଶାଗମାଛ ଦରରେ ସ୍ପଞ୍ଜ ଆଇରନ୍‌ କାରଖାନାକୁ ଟେକି ଦେବାକୁ ଯାଉଛନ୍ତି। ଏଠି ମଧ୍ୟ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ପଡ଼ିପାରିଲା ନାହିଁ। ତେବେ ନୂଆ ସରକାର ଏ ଦିଗରେ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି।