Untitled 1

ଅପରିବର୍ତ୍ତିତ ରହିଲା ଅଶ୍ୱିନୀ, ଧର୍ମେନ୍ଦ୍ର ଓ ଜୁଏଲଙ୍କ ମନ୍ତ୍ରାଳୟ

State

ଭୁବନେଶ୍ୱର: ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦୀ ମନ୍ତ୍ରିମଣ୍ଡଳର ହୋଇଛି ବିଭାଗ ବଣ୍ଟନ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି | ପୂର୍ବ ସରକାରରେ ବି ଏହି ତିନିଜଣ ଏହି ମନ୍ତ୍ରାଳୟର ମନ୍ତ୍ରୀ ଥିଲେ | ଜୁଏଲ ତୃତୀୟ ଥର ପାଇଁ ଏହି ମନ୍ତ୍ରାଳୟର ମନ୍ତ୍ରୀ ହୋଇଛନ୍ତି | ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ ସେ ମନ୍ତ୍ରୀ ହୋଇଥିଲେ। ଦୁଇ ଥର ଯାକ ତାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହିଁ ମିଳିଥିଲା। ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଲଗାତାର ୧୦ ବର୍ଷ ହେଲା ଭରସା କରିଆସୁଛନ୍ତି। ୨୦୧୪ ମସିହାରୁ ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ମନ୍ତ୍ରାଳୟ ପାଇଥିବାବେଳେ ଗତ ପାଳିରେ ଶିକ୍ଷା ମନ୍ତ୍ରାଳୟ ପାଇଥିଲେ | ଦେଶର ସବୁଠୁ ଦୀର୍ଘ କାଳ କାର୍ଯ୍ୟ କରିଥିବା ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ହେବାର ରେକର୍ଡ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁରେ ଅଛି।
ଏହାବାଦ୍ ସେ ଇସ୍ପାତ, ଶିକ୍ଷା, ଦକ୍ଷତାବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ଦେଖାଇଥିଲେ। ତେଣୁ ଏଥର ବି ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରାଳୟ ମିଳିଛି | ସେହିପରି ଅଶ୍ବିନୀ ବୈଷ୍ଣବ ୨୦୧୯ରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେଲା ପରେ ୨୦୨୧ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା। ୫-ଜି ସ୍ପେକ୍ଟ୍ରମ ନିଲାମ , ଡାକଘରର ଉନ୍ନତୀକରଣ ଦିଗରେ ସେ ବହୁତ ଆଖିଦୃଶିଆ ପଦକ୍ଷେପ ନେଇଥିଲେ । ବାହାନଗା ରେଳ ‌ଦୁର୍ଘଟଣା, ଭାରତ ଇତିହାସର ଅନ୍ୟତମ ମର୍ମନ୍ତୁଦ ରେଳ ଦୁର୍ଘଟଣା ଜୁନ୍, ୨୦୨୩ରେ ହୋଇଥିଲା। ହେଲେ ଶ୍ରୀ ବୈଷ୍ଣବ ଯେପରି ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କଲେ, ରେଳ ଧାରଣା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ ତାହା ପ୍ରଶଂସନୀୟ ଥିଲା।ଆଉ ସେଥିପାଇଁ ଏବେ ବି ତାଙ୍କୁ ରେଳ ମନ୍ତ୍ରାଳୟ ମିଳିଛି |