Debe

କଳାର ପୂଜାରୀ ଦେବେନ୍ଦ୍ର, ସ୍ୱପ୍ନର ପାହାଚରେ ଅର୍ଥ ସାଜିଛି ପ୍ରତିବନ୍ଧକ

State

ଆଗରପଡ଼ା :ଆଗରପଡ଼ା ନିକଟବର୍ତ୍ତୀ ରାଜନଗର ମଙ୍ଗଳପୁର ଗ୍ରାମର ଗୋଟିଏ ଗରିବ ପରିବାରରେ ଦେବେନ୍ଦ୍ର ଯେନାଙ୍କ ଜନ୍ମ । ପିଲାଟି ଦିନରୁ ସଂଗୀତ କଳା ପ୍ରତି ଆଗ୍ରହ ପ୍ରକାଶ କରି କଳା ଜଗତରେ ସଂଗୀତଗୁରୁ ପ୍ରହଲ୍ଲାଦ ପାଣିଗ୍ରାହୀଙ୍କ ପ୍ରେରଣା ,ବାପା ଅନାମ ଯେନା, ମାତା ରଙ୍ଗଲତା ଜେନା ଓ ଅଧ୍ୟାପକ ଗୋବିନ୍ଦ ସାହୁଙ୍କ ପ୍ରଚେଷ୍ଟାରୁ ମାତ୍ର ବାରବର୍ଷ ବୟସରୁ କଳା ଓ କବିତା ଆସରରୁ ସଂଗୀତ କ୍ଷେତ୍ରରେ ନିଜକୁ ହଜାଇ ଦେବା ଓ ଓଡ଼ିଶାରେ ଏକ ସୁସ୍ଥ ସଂଗୀତ ପରିବେଶ ସୃଷ୍ଟି କରିବାର ସ୍ୱପ୍ନ ନେଇ ଆଗେଇଥିଲେ ଦେବେନ୍ଦ୍ର । ତାଙ୍କ ସ୍ୱପ୍ନର ପ୍ରଥମ ସୋପାନରେ ସେ ବିଭିନ୍ନ ଅନୁଷ୍ଠାନ ତରଫରୁ କଣ୍ଠଦାନ କରି ପୁରସ୍କୃତ ହୋଇଥିଲେ । ପ୍ରଥମେ ଡକ୍ଟର ହରେକୃଷ୍ଣ ମହତାବ ଯୁବ ସଂସ୍କୃତିକ ଅନୁଷ୍ଠାନ (ଚାରିଗାଁ, ଭଦ୍ରକ ଭଜନ ସମାରୋହରେ), ୧୯୯୩ ରେ ଆଗରପଡ଼ା ମହାବିଦ୍ୟାଳୟ ଆଗରପଡ଼ା ନାଟ୍ୟ ସଂପାଦକ ରୂପେ ନିର୍ବାଚିତ ହୋଇଥିଲେ । ରାଉଲକେଲା ବିର୍ସାମୁଣ୍ଡା କଳା ନିକେତନର ସଂଗୀତ ପ୍ରତିଯୋଗିତାରେ ୨ୟ ସ୍ଥାନ,ଭୁବନେଶ୍ୱର ସ୍ଥିତ ସିଆରପି ଛକ ବିଜୁ ପଟ୍ଟନାୟକ ସ୍ମୃତି ସଂସଦ,କୁପାରୀର ଡ. ହରେକୃଷ୍ଣ ମହତାବ କଲେଜରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସଂଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ,ଡ.ହରେକୃଷ୍ଣ ମହତାବ ଜୟନ୍ତୀ ଉତ୍ସବ ସଂଗୀତ ପ୍ରତିଯୋଗୀତାରେ ୨ୟ ସ୍ଥାନ, ରାଜ୍ୟସ୍ତରୀୟ ଲଘୁକଣ୍ଠ ପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରିଥିଲେ ।

ଏହାଛଡ଼ା ହେଲ୍‌ଥ ଇଣ୍ଡିଆ ଲାବ ଓପନ ୟୁନିଭରସିଟି, ମାଡ୍ରାସରେ ଅନୁଷ୍ଠିତ ସଂଗୀତ ପ୍ରତିଯୋଗିତାରେ ୩ୟ ସ୍ଥାନ ପାଇ ଡ. କାଲମ ପି.ଆଇ. ପିଟରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ବରପତ୍ର ସାହାଯ୍ୟରେ ବିଭିନ୍ନ ଗୀତକୁ ନିଜ ପାଟିରେ ବିଭିନ୍ନ ସ୍ୱରକରି ବଜାଇପାରନ୍ତି ଦେବେନ୍ଦ୍ର । ବିଭିନ୍ନ ପଶୁପକ୍ଷୀ ଶୁଆଶାରୀ, କୁକୁର, ମାଙ୍କଡ଼, ହାତୀ ଇତ୍ୟାଦିଙ୍କ ଅବିକଳ ନକଲ କରିବାରେ ଦେବେନ୍ଦ୍ର ସିଦ୍ଧହସ୍ତ । ଯାତ୍ରା ଅନୁଷ୍ଠାନ ମହାବୀର ଗଣନାଟ୍ୟ, ବାସନ୍ତୀ ଗଣନାଟ୍ୟ, ନନ୍ଦିକା ଗଣନାଟ୍ୟ ଦ୍ୱାରା ପରିବେଶିତ ନାଟକ ଭଡ଼ାସ୍ୱାମୀ, ଶେଷ ସଂପର୍କ, ମିଛ ଭାରିଜା, କିଏ ଭାଙ୍ଗିଦେଲା ବାଇଆ ବସା, କାଗଜ ଡଙ୍ଗା ଆଦି ନାଟକରେ କଣ୍ଠଦାନ କରି ଯାତ୍ରା ନିର୍ଦ୍ଦେଶକ ଲିଟିଲ୍ ମାଷ୍ଟର ବିନୋଦ ରାଉତଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି । କଣ୍ଠଶିଳ୍ପୀ ସୁରେଶ ପରିଡ଼ାଙ୍କୁ ଅଧିକ ପସନ୍ଦ କରନ୍ତି ବୋଲି ଦେବେନ୍ଦ୍ର କୁହନ୍ତି । ମାତ୍ର ତାଙ୍କ କଳାର ସଂପୂର୍ଣ୍ଣ ପରିସ୍ଫୁଟନ ପାଇଁ ସୁଯୋଗ ମିଳୁ ଥିଲେ ସୁଦ୍ଧା ନିଜର ଆର୍ଥିକ ଦୁରାବସ୍ଥା ଯୋଗୁଁ ଏହା ସମ୍ଭବପର ହୋଇପାରୁ ନାହିଁ ତେଣୁ ତାଙ୍କର ସ୍ୱପ୍ନର ପାହାଚରେ ଅର୍ଥ ପ୍ରତିବନ୍ଧକ ସାଜିଥିବାର ଜଣାପଡ଼ିଛି । ତଥାପି ସେ ତାଙ୍କ ବିକଶିତ କଳାକୁ ନେଇ ସୁଯୋଗକୁ ଚାହିଁ ବସିଥିବା ପ୍ରକାଶ କରିଛନ୍ତି ।