Sfsdq

ବିଧାୟକଙ୍କୁ ଚ୍ୟାଲେଞ୍ଜ ଆଗରପଡ଼ାର ବିକାଶ

State

ଆଗରପଡ଼ା : ଗତ୨୦୦୯,୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଭଣ୍ଡାରିପୋଖରୀ ଆସନରୁ ଲଗାତର ୩ଥର ବିଧାୟକ ଭାବେ ପ୍ରଫୁଲ୍ଲ ସାମଲ ନିର୍ବାଚିତ ହୋଇଥିଲେ । ତାଙ୍କ ବିଧାୟକ କାଳରେ ସେ ଆଗରପଡ଼ା ଅଂଚଳର ମୁଖ୍ୟ ସମସ୍ୟା ଗୁଡ଼ିକର ସୁଧାର ଆଣିପାରିନଥିଲେ । ଚଳିତ ଥର ଗତଥରର ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହେବା ସହ ଚାରିଆଡ଼େ ବିଜେପି ଲହର ଥିବା ସତ୍ତ୍ୱେ ବିଜେଡରୁ ପ୍ରାର୍ଥୀ ହୋଇ ବିଜୟ ଲାଭ କରିଛନ୍ତି । ତେଣୁ ଆଗରପଡ଼ା ଅଂଚଳର ମୁଖ୍ୟ ସମସ୍ୟା ଗୁଡ଼ିକ ତାଙ୍କପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବା ନିଶ୍ଚିତ । ସ୍ୱାଧିନତାର ୭୬ ବର୍ଷପରେ ମଧ୍ୟ ଅନେକ ମୌଳିକ ସମସ୍ୟାରୁ ବର୍ତ୍ତି ପାରି ନାହାନ୍ତି ଆଗରପଡ଼ା ଅଂଚଳବାସୀ । ଏହି ସ୍ଥାନରେ ଉତ୍କଳ କେଶରୀ ଡ଼.ହରେକୃଷ୍ଣ ମହତାବଙ୍କ ପରି ଯୋଗଜନ୍ମା ଜନ୍ମ ଗ୍ରହଣ କରିଥିଲେ ସୁଦ୍ଧା ଏହି ପବିତ୍ର ସ୍ଥାନର ସମସ୍ୟାକୁ ଦୂର କରିବା ପାଇଁ କାହାରି ଆନ୍ତରୀକତା ଥିବା ପରି ମନେ ହେଉ ନାହିଁ । ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ ପରି ଅତି ଗୁରୁତ୍ୱପୂର୍ଣ୍ଣ ସେବା ଗୁଡ଼ିକ ଉକ୍ତ ଅଂଚଳର ଲୋକମାନେ ଠିକ୍ ଭାବେ ପାଇବାରୁ ବଞ୍ôଚତ ହୋଇଆସୁଛନ୍ତି । ଶିକ୍ଷା କ୍ଷେତ୍ରରେ ଦିନକୁ ଦିନ ଏହି ଅଂଚଳର ମାନ କମିବାରେ ଲାଗିଛି ଯେପରିକି ଆଗରପଡ଼ା କଲେଜ,ମହିଳା କଲେଜ,ବିଏଡ଼୍ କଲେଜ,ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର,ସରକାରୀ ବାଳିକା ହାଇସ୍କୁଲ,କୃଷ୍ଣଚରଣ ବିଦ୍ୟାମନ୍ଦିର ପରି ଶତାଧିକ ଶିକ୍ଷାନୁଷ୍ଠାନ ଏଠାରେ ରହିଥିଲେ ସୁଦ୍ଧା ପ୍ରାୟ ସମସ୍ତ ଅନୁଷ୍ଠାନରେ ଶିକ୍ଷକ ମାନଙ୍କ ଅଭାବ ପରିଲିକ୍ଷିତ ହେଉଛି । ଆଗରପଡ଼ା କଲେଜ ଓ ବିଏଡ଼ କଲେଜରେ ବିଶେଷ କରି ଅଧ୍ୟାପକ ମାନଙ୍କ ଅଭାବ ଦେଖାଯାଉଛି କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଅଭାବ ପରିପୂରଣ ହୋଇ ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏହାଛଡ଼ା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିଲେ ସୁଦ୍ଧା ଏହି ଅଂଚଳ ଓ ଏହାର ଆଖପାଖରେ ଥିବା ପ୍ରାଥମିକ ସ୍କୁଲ ଗୁଡି଼କର ପରିବେଶ ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଶିକ୍ଷକ ଅବସ୍ଥାନରେ ତାଳମେଳ ନଥିବାରୁ ଏହା ମଧ୍ୟ ବିପର୍ଯ୍ୟସ୍ତ ଅବସ୍ଥାରେ ।

ଏଠାରେ ଅବସ୍ଥିତ ବ୍ଲକର ଏକମାତ୍ର ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ସବୁବେଳେ ଡ଼ାକ୍ତରମାନଙ୍କ ସମସ୍ୟା ରହିଆସିଛି । କେଉଁଝର,ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଅଧିକାଂଶ ପଞ୍ଚାୟତବାସୀ ସ୍ୱାସ୍ଥ୍ୟସେବା ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ପ୍ରତିଦିନ ଶତାଧିକ ରୋଗୀ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିଲେ ସୁଦ୍ଧା ଡ଼ାକ୍ତର ମାନଙ୍କ ଅଭାବରୁ ଚିକିସିôତ ହୋଇପାରୁ ନାହାଁନ୍ତି । ୩ଟି ଜିଲ୍ଲାକୁ ସଂଯୋଗ କରୁଥିବାରୁ ଆଗରପଡ଼ା ଦେଇ ଅନେକ ଯାତ୍ରୀବାହୀ ବସ୍ ଚଳାଚଳ କରୁଥିବା ସ୍ଥଳେ ଆଗରପଡ଼ା ମୁଖ୍ୟ ବଜାର ଠରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବସ୍‌ଷ୍ଟାଣ୍ଡ ଓ ବିଶ୍ରାମାଗାର ନିର୍ମାଣ ହୋଇପାରିନଥିବା ବେଳେ ପଂଚାୟତ ସମିତି ତରଫରୁ ନିର୍ମିତ ଶୈାଚାଳୟ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ । ସିଟି ସ୍କୁଲ ପାଖରେ ନିର୍ମିତ ବସ୍‌ଷ୍ଟାଣ୍ଡ ବହୁ ବାଦ ବିବାଦପରେ ମଧ୍ୟ ପୂର୍ଣ୍ର ମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ସେହିପରି ମଧ୍ୟ ଆଜି ପର୍ଯ୍ୟନ୍ତ ଆଗରପଡ଼ାରୁ ଭଦ୍ରକ ପରି ବ୍ୟସ୍ତବହୁଳ ରାସ୍ତା ଗୁଡ଼ିକ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଖାଲି ମରାମତିରେ ସୀମିତ ରହିଛି । ଆଗରପଡ଼ାକୁ ସଂଯୋଗ କରୁଥବା ବିଭିନ୍ନ ପଂଚାୟତର ପ୍ରଧାନମନ୍ତ୍ରୀ ସଡ଼କ ଅବସ୍ଥା ମଧ୍ୟ ଅତି ଶୋଚନୀୟ । ଆବଶ୍ୟକୀୟ ଭିତ୍ତି ଭୂମି ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଡ଼ାକ ସେବା ଓ ପ୍ରାଣୀ ଚିକିତ୍ସା ସେବା ଆଦି ମଧ୍ୟ ଠିକ୍ ଭାବରେ ହୋଇପାରୁନଥିବା ବେଳେ କୃଷି କାର୍ଯ୍ୟାଳୟ କୃଷକଙ୍କ ସେବାରେ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଜନ ସାଧାରଣଙ୍କ ସେବାରେ ଠିକ୍ ଭାବେ ଲାଗି ପାରୁନାହିଁ । ସେହିପରି ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦି ନଦୀ ଉପରେ ନିର୍ମିତ ହୋଇ ଥିବା ବିଜୁ ସେତୁ ସମୟ ସୀମା ଅତିକ୍ରାନ୍ତ ହୋଇଯାଇଥିଲେ ଆପ୍ରୋଚ ରୋଡ଼ ସମସ୍ୟା ପାଇଁ ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରୁନି । ଏହିପରି ନାନାଦି ସମସ୍ୟା ମଧ୍ୟଦେଇ ଆଗରପଡ଼ା ଓ ଆଗରପଡ଼ା ଅଂଚଳବାସୀ ଗତି କରୁଛନ୍ତି । ଆଗରପଡ଼ା ପରି ଏକ ଐତିହାସିକ ସ୍ଥାନରେ ଏହିସବୁ ସମସ୍ୟା ଲାଗିରହିବା ପ୍ରକୃତରେ ନିନ୍ଦନୀୟ । ଏଥିପ୍ରତି ନବ ନିର୍ବାଚିତ ବିଧାୟକ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।