Photo For The News Of Medical

ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟେକେନ୍ଦ୍ର, ପ୍ରାପ୍ୟ ପାଇବାରେ ବିଳମ୍ବକୁ ନେଇ ବୃଦ୍ଧାଙ୍କ ଧାରଣା ଚେତାବନୀ

State

ଆଗରପଡ଼ା :ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଥିବା ବେଳେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜାଗା ମାଲିକଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କ ପ୍ରାପ୍ୟ ମିଳିପାରୁ ନଥିବାରୁ ସେ ଏଥିନେଇ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ସୂଚନା ଅନୁଯାୟୀ; ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ଅଧିନ ଟିକିରା ମୌଜାର ଖାତା ନଂ ୮୮/୧୭୫,ପ୍ଲଟ ନଂ ୧୫ରେ ଥିବା ୧୧ଡ଼ିସିମିଲ ଜାଗାର ମାଲିକ ସ୍ୱର୍ଗତ ଏକାଦଶୀ ମାହାରଙ୍କ ସ୍ତ୍ରୀ ଲକ୍ଷ୍ମୀ ମାହାର ଅଟନ୍ତି । ସେ ଜଣେ ଗରୀବ ଶ୍ରେଣୀର ମହିଳା ମାତ୍ର ନିଜ ଜାଗା ମୂଲ୍ୟ ଅର୍ଥ ମିଳିବାରେ ଅହେତୁକ ବିଳମ୍ବ ହେଉଥିବାରୁ ସେ ଏଥି ନେଇ ଚିନ୍ତିତ ହେବା ସହ ନିଜର ଅସନ୍ତୋଷ ବ୍ୟକ୍ତ ସାମ୍ବାଦିକଙ୍କ ଆଗରେ କରିଛନ୍ତି । ପୂର୍ବରୁ ଉକ୍ତ ଜାଗା ଉପରେ ଭୂଲବଶତଃ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ତିନିମହଲା କୋଠାଘର ନିର୍ମାଣ ହୋଇଥିବାର ଅଭିଯୋଗ ହୋଇଥିଲା । ଏବଂ ବର୍ତ୍ତମାନ ମଧ୍ୟ ଆଉ ଅବଶିଷ୍ଟ ଜାଗା ଉପରେ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ପ୍ରଥମେ ଉକ୍ତ ଜାଗା ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଜାଗା ମାଲିକ ଏହାକୁ ବିରୋଧ କରିଥିଲେ । ପରେ ସ୍ଥାନୀୟ ରାଜନେତା ଓ ରୋଗୀ କଳ୍ୟାଣ ସମିତି କର୍ମକର୍ତ୍ତା ଙ୍କ ହସ୍ତକ୍ଷେପ ପରେ ଜାଗା ମାଲିକ ଏହି ଜାଗାକୁ ସରକାରୀ ମୂଲ୍ୟରେ ହସ୍ତାନ୍ତର କରିବେ ବୋଲି ଗତ ନଭେମ୍ବର ମାସ ୧୧ ତାରିଖରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ।

ମାତ୍ର ଆଜି ପର୍ଯ୍ୟନ୍ତ ସରକାରୀ ଅର୍ଥ ମିଳି ନଥିବାରୁ ସାଧାରଣରେ ଅସନ୍ତୋଷ ଭାବ ଦେଖା ଦେଇଛି । ଉକ୍ତ ଜାଗା ଲକ୍ଷ୍ମୀ ମାହାରଙ୍କ ବୋଲି ତଦନ୍ତ ପରେ ବନ୍ତ ତହସିଲଦାର ତାଙ୍କ ଚିଠିନଂ୮୦୪୫/୨୯.୧୧.୨୦୨୩ରେ ଉଲ୍ଲେଖ କରିଥିଲେ । ତାଙ୍କୁ ସରକାରୀ ପ୍ରାପ୍ୟ ଦେବାର ବ୍ୟବସ୍ଥା ଯଥା ଶିଘ୍ର କରିବାକୁ ଲକ୍ଷ୍ମୀ ମାହାର ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ନଚେତ୍ ଆଗାମୀ ଦିନରେ ତାଙ୍କ ବ୍ୟକ୍ତିଗତ ଜାଗାରେ ନିର୍ମାଣାଧିନ କାର୍ଯ୍ୟକୁ ବିରୋଧ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣା ଦେବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଲକ୍ଷ୍ମୀ କହିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାର ଏକ ମାତ୍ର ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମି ଉନ୍ନତି ପାଇଁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ହୋଇ କାର୍ଯ୍ୟ ଚାଲୁଥିବାରୁ ଜିଲ୍ଲା ପ୍ରଶାସନ ପାଖରେ ତାଙ୍କ ପ୍ରାପ୍ୟ ପାଇଁ ନିଦେଦନ କରିଥିବା ଲକ୍ଷ୍ମୀ ମାହାରଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବାର ସୁବନ୍ଦୋବସ୍ତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।