Photo For The News Of Sabitree

ସାବିତ୍ରୀ ଆଡିରେ ବ୍ରତ ପାଳନ

Religion and Cult State

ଆଗରପଡ଼ା :ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଅର୍ନ୍ତଗତ ତୋଟାସାହି ଗ୍ରାମ ସ୍ଥିତ ବହୁ ପୂରାତନ ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ସାବିତ୍ରୀ ଆଡ଼ି ପୀଠରେ ସାବିତ୍ରୀ ବ୍ରତ ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ବିଶେଷ କରି ସଧବା ମହିଳା ମାନେ ବ୍ରତ ଉପବାସ କରି ପୂଜାର୍ଚ୍ଚନା କରିବା ପାଇଁ ମନ୍ଦିର ପରିସରରେ ଭିଡ ଜମାଇଥିବା ବେଳେ ଏହି ଉତ୍ସବକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ପୁଲିସ ଫୋର୍ସ ମୁତୟନ ହୋଇଥିବାର ଦେଖିବାକୁ ମିଳିଥିଲା । କେଉଁ କାଳରୁ ଏଠାରେ ଏହି ବ୍ରତ ପାଳନ କରାଯାଉଛି, ତାର ସଠିକ୍ ତଥ୍ୟ ନଥିଲେ ମଧ୍ୟ ଜନଶୃତି ଅନୁଯାୟୀ ୧୫୫୦ ମସିହାରେ ରାଜା ଯଶୋବନ୍ତ ସିଂହଙ୍କ ଶାସନ କାଳରୁ ଏହି ସାବିତ୍ରୀ ମନ୍ଦିର ପରିସରରେ ଏହି ବ୍ରତକୁ ମହାଆଡ଼ମ୍ବରରେ ପାଳନ କରାଯାଉଛି । ପ୍ରତ୍ୟେକ ବର୍ଷ ଏହି ପୀଠକୁ ବନ୍ତ ବ୍ଲକ ସମେତ ପଡ଼ୋଶୀ କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସଧବା ମହିଳା ଭକ୍ତ ମାନେ ବ୍ରତ ଉପବାସ କରି ଏଠାକୁ ଆସି ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ପ୍ରତିବର୍ଷ ପରି ଗୁରୁବାର ଏହି ପୀଠରେ ୧୫ ରୁ ୨୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏଥି ପାଇଁ ଗାଡ଼ି ପାର୍କି ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଆଲୋକ ଓ ପାନୀୟ ଜଳର ବନ୍ଦୋବସ୍ତ ଆଦି କରାଯାଇଥିଲା । ଭକ୍ତମାନେ ମା’ଙ୍କଠାରେ ପୂଜାର୍ଚ୍ଚନା, ଭୋଗ ରାଗ କରିବା ସହିତ ମାନସିକ ଅନୁଯାୟୀ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଦାନ କରିଥିବା ଦେଖାଯାଇଥିଲା । ଏପରିକି ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନେ ପୀଠର ଉନ୍ନତି ପାଇଁ ଅର୍ଥ ଦାନ କରିଥିଲେ । ଗୁରୁବାର ବଡ଼ି ଭୋରୁ ରାତ୍ରୀ ପର୍ଯ୍ୟନ୍ତ ଏଠାରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସନ୍ଧ୍ୟା ସମୟରେ ଭଜନ କିର୍ତ୍ତନ ପରିବେଷଣ କରାଯାଇଥିଲା ।