Sre

ବଜ୍ରାଘାତରେ ୨୦ ଗୋରୁ ମୃତ

State

ଗୁଣୁପୁର: କାଳ ହେଲା କାଳବୈଶାଖୀ । କାଳବୈଶାଖୀର ପ୍ରକୋପରେ ବଜ୍ରାଘାତ ଯୋଗୁଁ  ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଢେପଗାଁ ଗ୍ରାମରେ ୨୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପବନ ସହ ବିଜୁଳି ଘଡଘଡି ମାରିଥିଲା। ବର୍ଷା ପବନ ଯୋଗୁଁ ଗାଈଗୋଠ ଗ୍ରାମ ନିକଟସ୍ଥ ଏକ ଆମ୍ବଗଛ ମୂଳକୁ ଚାଲିଯାଇଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ୨୦ଟି ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଏହି ବଜ୍ରାଘାତରେ ଖ୍ରୀଷ୍ଟ ପସ୍କା, ଆୟୁବ ପସ୍କା, ସାମା ପସ୍କା, କାଳି ପସ୍କା, ଯୁନୁସ ପସ୍କା, ଟିକୁ ପସ୍କା, ପୂର୍ଣ୍ଣ ପସ୍କା, କ୍ରେପୁ ପସ୍କା, କାଲେସ ପସ୍କା ଓ କିଶାନ ଟାକିରିଙ୍କ ୨୦ରୁ ଉର୍ଦ୍ଧ୍ୱ ବଳଦ, ଗାଈ ଓ ବାଛୁରୀଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରୟ ୧୫ଟି ଗାଈ ବଳଦ ଆହାତ ହୋଇ ଜଙ୍ଗଲକୁ ଚାଲିଯାଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି ।

ଗରିବ ଚାଷୀଙ୍କ ଜୀବନ ଜୀବିକା ଏହି ଗାଈ ଓ ବଳଦଙ୍କ ଅକାଳ ମୃତ୍ୟୁରେ ଚାଷୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ସି ପି ଆଇ ଏମ୍ ଏଲ୍ ଲିବରେସନ୍ ସମ୍ପାଦକ ତ୍ରିପତି ଗମାଙ୍ଗ ଦାବି କରିଛନ୍ତି। ଖବର ପାଇ ଗୁଡ଼ାରୀ ତହସିଲଦାର ଏ. ସ୍ନେହଲତା ଓ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉକ୍ତ ଘଟଣାରେ କୌଣସି ଲୋକ ମୃତାହତ ହୋଇନଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି ।