ବନ୍ତ/ଆଗରପଡ଼ା :ଆଧୁନିକ ଦୁନିଆର ଆଧୁନିକ ପରଂପରାକୁ ଆପଣେଇବା ଇଛାରେ ମନୁଷ୍ୟ କ୍ରମଶଃ ଭୂଲିବାକୁ ବସିଲାଣି ପୁରାତନ ପରମ୍ପରାକୁ । ଏହି ଭିତରେ ବହୁ ସମ୍ପ୍ରଦାୟ ପାସୋରିବାକୁ ବସିଲେଣି ନିଜ କୈାଳିକ ବୃତ୍ତିକୁ । ପୁରାତନ ଦୁନିଆରେ ପବିତ୍ର ତଥା ମଙ୍ଗଳ ବାଦ୍ୟଭାବେ ଓଡ଼ିଆ ଘରେ ପରିଚିତ ତଥା ବାହାଘର,ବ୍ରତ ଘର,ବିଭିନ୍ନ ଯାନିଯାତ୍ରା ଓ ପର୍ବପର୍ବାଣୀରେ “ଯୋଡ଼ି-ମହୁରୀ”ଆଦିର ବହୁଳ ଭାବରେ ଆବଶ୍ୟକତା ରହୁଥିଲା । ବିନା ଯୋଡ଼ି-ମହୁରୀ,ନାଗରା,ଢୋଲ ଆଦିରେ ଉପରୋକ୍ତ କାର୍ଯ୍ୟ ସଂପାଦନ କରିବା ସମ୍ଭବ ପର ହୋଉପାରୁନଥିଲା କିନ୍ତୁ ଆଜିର ଦୁନିଆରେ ଆଧୁନିକ ପରମ୍ପରାରେ ଏହି ସବୁ ଅଲୋଡ଼ା ପ୍ରାୟ ହେବାକୁ ବସିଲାଣି ଏବଂ ଏହି ସବୁ କାର୍ଯ୍ୟକୁ ସଂପାଦନା କରୁଥିବା ସଂପ୍ରଦାୟ ଆଜି ଅବହେଳିତ । ସେମାନଙ୍କ କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦେବା ଓ ତାର ଆଦର ବଢ଼ାଇବା ପାଇଁ କେହିବି ଆଗ୍ରହ ପ୍ରକାଶ କରିବା କିମ୍ବା ସହଯୋଗର ହାତ ବଢାଉନଥିବାରୁ ସେମାନେ ସେମାନଙ୍କର କୁଳ ବେଉସାରୁ ନିଜକୁ ନିବୃତ୍ତ କରି ଅନ୍ୟ ପଂନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତଥା ଆଗରପଡ଼ା ଓ ତାର ଆଖପାଖ ଅଂଚଳରେ ଯଥା; ମାଳତୀରା, ପୁରୁଷଣ୍ଢ, କୁଆପଦା, ଓଲଙ୍ଗ,କାଉପୁର,ଜଳଙ୍ଗା ଏପରି ଗ୍ରାମ ଯେଉଁ ଗ୍ରାମରେ ବହୁ ବର୍ଷରୁ ଏହି ବୃତ୍ତିକୁ ପଥେୟ କରି ପରିବାର ପ୍ରତି ପୋଷଣ କରୁଥିବା ସଂପ୍ରଦାୟ ବସ ବାସ କରିଆସୁଛନ୍ତି । ବନ୍ତ ବ୍ଲକ ପଧାନପଡ଼ା ପଞ୍ଚାୟତ ମାଳତୀରା ଗ୍ରାମର କିଛି ପରିବାରକୁ ଯୋଗାଯୋଗ କଲେ ଜଣାଯାଏ ଯେ ଭାସ୍କର ସାମଲ ଏପରି ଜଣେ ବ୍ୟକ୍ତି ଯାହାଙ୍କର ଯୋଡ଼ି ମହୁରୀ ସ୍ୱର ଆକାଶବାଣୀ ଓ ଦୂରନର୍ଶନ ରେ ପ୍ରସାରିତ ହୋଇ ବହୁ ଓଡ଼ିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା ।
ସେହିପରି ଯୋଡ଼ି ନାଗରା ବାଦକ ଲକ୍ଷ୍ମିଧର ଜେନା ଏହି ପରମ୍ପରା ପ୍ରୀତିରେ ପାଗଳ ହୋଇ ପରିବର୍ତ୍ତନ ଶୀଳ ପରିସ୍ଥିତିରେ ଏହାକୁ ଛାଡ଼ି ପାରିନଥିଲେ । ସେହିପରି ଗୋପିନାଥ ଜେନା ଏକ ଢୋଲିଆ ଦଳ ଗଠତ କରି ସେଥିଲେ ମୁଖିଆ ହେବା ସହ ଅନ୍ୟ ଆଗ୍ରହୀ ବ୍ୟକ୍ତି ବିଶେଷମାନଙ୍କୁ ତାଲିମ ଦେଇ ନିଜ ଦଳରେ ସାମିଲ କରିପାରିଛନ୍ତି । କୁଆପଦା ଗ୍ରାମର ଗୋପାଳ ମଣ୍ଡଳଙ୍କ କହିବା ଅନୁଯାୟୀ ସେମାନେ ପାଞ୍ଚ ଭାଇ, ତନ୍ମମଧ୍ୟରୁ ତିନି ଜଣ ଭାଇ ମହୁରୀଆ । ପନ୍ଦର ବର୍ଷ ଦିନରୁ ସେ ନିଜକୁ ଏହି କାର୍ଯ୍ୟରେ ନିୟୋଜିତ କରିଆସୁଛନ୍ତି । ଯୋଡ଼ି ମହୁରୀ ମାଧ୍ୟମରେ ରାଜ୍ୟର ବହୁ ସ୍ଥାନକୁ ଯାଇ ପ୍ରଶଂସିତ ହେବା ସହ ମାନ ପତ୍ର ମଧ୍ୟ ପାଇଛନ୍ତି । ଏବଂ ବିଭିନ୍ନ ଯାତ୍ରା ଦଳରେ ମଧ୍ୟ କାର୍ଯ୍ୟ କରିଛନ୍ତି କିନ୍ତୁ ସମୟ ଚକ୍ରରେ ହଜିବାକୁ ବସିଲାଣି ଯୋଡ଼ି ମହୁରୀ । ପୂର୍ବେ କୈାଣସି ଶୁଭ କର୍ମ ହେଉ ବା ପୂଜା ପର୍ବ ହେଉ ସମସ୍ତ କର୍ମର ଶୁଭାରମ୍ଭ ଏହି ବାଦ୍ୟ ମାଧ୍ୟମରେ କରାଯାଉଥିଲା । ବିବାହ, ବ୍ରତଘର ଆଦିରେ ମଧ୍ୟ ଢୋଲ ,ନାଗରା,ଯୋଡ଼ି ମହୁରୀ ଆଦି ର ବ୍ୟବହାର କରାଯାଉଥିଲା ଯାହାର ଶବ୍ଦରେ କୈାଣସି ପ୍ରଦୂଷଣ କିମ୍ବା ଅଶ୍ଲୀଳତା ନଥିଲା କିନ୍ତୁ ଆଧୁନିକ ଯୁଗରେ ଡ଼ିଜେ ମ୍ୟୁଜିକ୍ ସିସ୍ଟମ୍ ,ରେକର୍ଡ଼ ଡ଼୍ୟାନ୍ସ ଓ ମେଲୋଡ଼ି ଦ୍ୱାରା ପରିବେଷିତ ହେଉଥିବା ବିଭିନ୍ନ ପ୍ରକାର ସଂଗୀତର ତାଳେତାଳେ ନିଜକୁ ହଜାଇବାକୁ ବସିଲେଣି ଯୁବପୀଢି ଓ ଏହା ମଧ୍ୟରେ ଭୂଲିବାକୁ ବସିଲେଣି ପୁରାତନ ପରମ୍ପରାକୁ ଯଦ୍ୱାରା ଭିନ୍ନ ଏକ କୈାଳିକ ବୃତ୍ତି ତାର ପ୍ରାଧାନ୍ୟକୁ ହରାଇବାକୁ ବସିଛି । ଆଧୁନିକ ଯୁଗରେ ଆଧୁନିକ ବାଦ୍ୟ ଯନ୍ତ୍ରର ବ୍ୟବହାର ଦ୍ୱାରା ଏହି କୌଳିକ ବୃତ୍ତିକୁ ଆପଣେଇଥିବା ସମ୍ପ୍ରଦାୟ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହେବାସହ ଆଧୁନିକ ଯୁଗରେ ଏହି ବୃତ୍ତିକୁ ଆପଣେଇ ରୋଜଗାର କରୁଥିବା ଅର୍ଥ ମାଧ୍ୟମରେ ନିଜ ପରିବାର ପ୍ରତିପୋଷଣ କରିବାରେ ବହୁ କଷ୍ଟ ଅନୁଭବ କରୁଥିବାର ପରିପ୍ରକାଶ କରନ୍ତି । ସେମାନଙ୍କର ଏହି ବୃତ୍ତିକୁ କେହିବିି ପ୍ରୋତ୍ସାହିତ କରୁନଥିବାରୁ ସେମାନେ ଏହାକୁ ଭୂଲିବା ସହ ପରିବାର ପ୍ରତିପୋଷଣ ଓ ଉନ୍ନତମାନର ଜୀବନ ଯାପନ କରିବା ପାଇଁ ଅନ୍ୟ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ସରକାରୀ ସ୍ତରରେ ଏହି ବୃତ୍ତି ଧାରୀଙ୍କୁ ଥଇଥାନ ଦିଗରେ ସଠିକ୍ ପ୍ରୋତ୍ସାହନ ଦେବା ସହ ଅଲୋଡ଼ା ହୋଇଯାଉଥିବା ଏହି ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।