Vv

ଇଭିଏମ୍‌-ଭିଭିପାଟ୍‌ ରାୟର ସମୀକ୍ଷା ପାଇଁ ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଆଗତ

National & International

ନୂଆଦିଲ୍ଲୀ: ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପୁରୁଣା କାଗଜ ବାଲାଟ୍‌ ବ୍ୟବସ୍ଥାକୁ ଫେରାଇ ଆଣିବା ଏବଂ ଭୋଟର ଭେରିଫାଏବଲ୍‌ ପେପର ଅଡିଟ୍‌ ଟ୍ରେଲ୍‌ (ଭିଭିପିଏଟି) ଜରିଆରେ ଇଭିଏମ୍‌ ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ କ୍ରସ୍‌ ଭେରିଫିକେସନ୍‌ ଦାବିକୁ ନେଇ ଆଗତ ମାମଲା ସଂପର୍କରେ ଏପ୍ରିଲ ୨୬ ତାରିଖରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ଏକ ରିଭ୍ୟୁ ବା ସମୀକ୍ଷା ପିଟିସନ୍‌ ଦାଖଲ କରାଯାଇଛି।

ପୂର୍ବରୁ ଏହି ପ୍ରସଙ୍ଗରେ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଅରୁଣ କୁମାର ଅଗ୍ରୱାଲ ଓକିଲ ନେହା ରାଠୀଙ୍କ ଜରିଆରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି।

ଗତ ଏପ୍ରିଲ ୨୬ ତାରିଖରେ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍‌ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଇଭିଏମ୍‌ରେ ହେରଫେର ସନ୍ଦେହକୁ ଭିତ୍ତିହୀନ ବୋଲି କହିବା ସହ ପୁରୁଣା କାଗଜ ବାଲାଟ୍‌ ବ୍ୟବସ୍ଥାକୁ ଫେରାଇ ଆଣିବା ଦାବିକୁ ଖଣ୍ଡନ କରିଥିଲେ। ସେମାନେ ତାଙ୍କ ରାୟରେ କହିଥିଲେ ଯେ ମତଦାନ ଉପକରଣଗୁଡିକ ସୁରକ୍ଷିତ ଏବଂ ଏହା ବୁଥ୍‌ କ୍ୟାପ୍‌ଚରିଂ ଏବଂ ନକଲି ଭୋଟିଂକୁ ବନ୍ଦ କରିଦେଇଛି।

ତେବେ ନିର୍ବାଚନ ଫଳାଫଳରେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅସଫଳ ପ୍ରାର୍ଥୀଙ୍କ ପାଇଁ ଏହି ରାୟ ଏକ ଝରକା ଖୋଲିଥିଲା ଏବଂ ନିର୍ବାଚନ କମିଶନଙ୍କୁ ଫି’ ପୈଠ କରିବା ପରେ ଲିଖିତ ଅନୁରୋଧ କ୍ରମେ ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ ପ୍ରତିଶତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ (ଇଭିଏମ୍‌)ରେ ଥିବା ମାଇକ୍ରୋ କଣ୍ଟ୍ରୋଲର୍‌ ଚିପ୍‌ ଯାଞ୍ଚ କରିବାକୁ ଅନୁମତି ଦିଆଯାଇଥିଲା।

ମେ ପହିଲାରୁ ସିମ୍ବଲ ଲୋଡିଂ ୟୁନିଟ୍‌ (ଏସ୍‌ ଏଲ୍‌ ୟୁ)କୁ ସିଲ୍‌ କରି କଣ୍ଟେନରରେ ସୁରକ୍ଷିତ ରଖିବା ସହ ପରୀକ୍ଷା ଫଳ ପ୍ରକାଶ ପରେ ସର୍ବନିମ୍ନ ୪୫ ଦିନ ପର୍ଯ୍ୟନ୍ତ ଇଭିଏମ୍‌ ସହ ଷ୍ଟ୍ରଙ୍ଗରୁମ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ରାୟ ସହ ସର୍ବୋଚ୍ଚ ନ୍ୟାୟାଳୟ ଏସଂପର୍କରେ ଆଗତ ପିଆଇଏଲଗୁଡ଼ିକୁ ଖାରଜ କରିଦେଇଥିଲେ ଯେଉଁଥିରେ ବ୍ୟାଲଟ୍‌ ପେପର ବ୍ୟବସ୍ଥାକୁ ଫେରିବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା।