ଭୁବନେଶ୍ୱର : ଆଜି ଅକ୍ଷୟ ତୃତୀୟା । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥ୍ୟକୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା ଭାବେ ପାଳନ କରାଯାଏ । ଆଜିର ଦିନରେ ଚାଷୀ ଭାଇମାନେ ଅକ୍ଷିମୁଠି ଅନୁକୂଳ କରିଥା’ନ୍ତି। ରଥ ନିର୍ମାଣର ଆରମ୍ଭ ବି ଏହି ପବିତ୍ର ଦିନରେ ହୋଇଥାଏ । ଅକ୍ଷୟ ତୃତୀୟା କୃଷକ ସମାଜ ପାଇଁ ଏକ ବଡ ପର୍ବ ।
ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ । ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେ ଏ ନେଇ ପୋଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଶର ସମସ୍ତ ପରିବାର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆହୁରି ଲେଖିଛନ୍ତି ଯେ, ପରୋପକାର ପାଇଁ ପ୍ରେରଣା ଯୋଗାଉଛି ଏହି ପର୍ବ । ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ ଉତ୍ସାହ ଆଣିଦେଉ,ଏହା ହିଁ କାମନା ବୋଲି ସେ କହିଛନ୍ତି ।
ସେହିପରି ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ‘ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀଭାଇମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ । ଚଳିତ ବର୍ଷ ଭଲ ଫସଲ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।’