Dharmendra 1 750x430 1

ରାସେଶ୍ୱରୀଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର

Politics State

ଭୁବନେଶ୍ୱର: ୧୫ ବର୍ଷର ବ୍ୟବଧାନ ପରେ ସିଧାସଳଖ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ପ୍ରଚାର କରୁଥିବାବେଳେ ସବୁ ମହଲରୁ ସମର୍ଥନ ହାସଲ କରିବାକୁ ସେ ଚେଷ୍ଟା କରୁଛନ୍ତି। ରବିବାର ଦିନ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସାକ୍ଷାତ କରିଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ଏହି ଫଟୋ ସେୟାର କରି ଲେଖିଛନ୍ତି, “ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ଆଶୀର୍ବାଦ କାମନା କଲି ।” ପୂର୍ବତନ ବିଧାୟକ ରାସେଶ୍ୱରୀ ପୂର୍ବତନ ସାଂସଦ ଶ୍ରୀବଲ୍ଲଭ ପା‌ଣିଗ୍ରାହୀଙ୍କ ଭଉଣୀ, ଯିଏ ସମ୍ବଲପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରିଥିଲେ ଏବଂ ଜଣେ ମନ୍ତ୍ରୀ ଥିଲେ। ନିକଟରେ ସେ ବିଜୁ ଜନତା ଦଳ (ବିଜେଡି) ସହ ସମ୍ପର୍କ ଛିନ୍ନ କରି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସମ୍ବଲପୁର ପାଇଁ ରୋହିତ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିବା ପରେ ରାସେଶ୍ୱରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ଦାଖଲ ପଠାଇଥିଲେ।

୨୦୧୪ରୁ ୨୦୧୯ ଯାଏଁ ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ବିଧାୟକ ଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ରେ ରାସେଶ୍ୱରୀ ଟିକେଟ ଆଶାୟୀ ଥିଲେ ମଧ୍ୟ ଦଳ ଏଠାରେ ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ପରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ରୋହିତ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଯାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥକ ଅସନ୍ତୁଷ୍ଟ ଥିଲେ। ଏପରିକି ରାସେଶ୍ୱରୀଙ୍କୁ ଟିକେଟ ଦେବା ନେଇ ଦଳୀୟ ସୁପ୍ରିମୋ ପୁନଃବିଚାର କରିବା ଆବଶ୍ୟକ ବୋଲି କହିଥିଲେ। କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ନେଇ କୌଣସି ସଂକେତ ନ ମିଳିବାରୁ ରାସେଶ୍ୱରୀ ବିଜେଡି ଛାଡିଥିବା ଚର୍ଚ୍ଚା ହେଉଛି।

ତାଙ୍କ ଇସ୍ତଫା ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି, କାରଣ ତାଙ୍କ ବହୁ ସଂଖ୍ୟକ ସମର୍ଥକ ମଧ୍ୟ ଦଳରୁ ସମର୍ଥନ ପ୍ରତ୍ୟାହାର କରିପାରନ୍ତି ବୋଲି ଆଶା କରାଯାଉଛି। ରାଜନୈତିକ କାର୍ଯ୍ୟକଳାପ ବନ୍ଦ କରି ସାମାଜିକ କାର୍ଯ୍ୟରେ ଧ୍ୟାନ ଦେବାକୁ ରାସେଶ୍ୱରୀ ଇଚ୍ଛା ପ୍ରକାଶ କରିଛନ୍ତି। ଅନ୍ୟପଟେ ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସାକ୍ଷାତ କରିବା ବିଜେଡିର ଟେନସନ ବଢିବ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।