Img 20240421 Wa0096

ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିଲେ ଆମେ ମୟୂରଭଞ୍ଜିଆ

State

ସହର ସାରା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଧୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ

ବାରିପଦା: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏପ୍ରିଲ ୨୧ ତାରିଖକୁ ଆମେ ମୟୂରଭଞ୍ଜିଆ ସଂଗଠନ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବାରିପଦାରେ ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ବରପୁତ୍ରଙ୍କ ପାଇଁ ଦିନ ଟିଏ ଏହି ଅଭିଯାନରେ ସାମିଲ ହେବା ପାଇଁ ଆମେ ମୟୂରଭଞ୍ଜିଆ ପକ୍ଷରୁ ଦିଆ ଯାଇଥିବା ଡାକରାରେ ସମସ୍ତ ସଂସ୍କୃତି ସଚେତନ ମଣିଷ ଏକାଠି ହୋଇଥିଲେ । ପୂର୍ବ ପୁରୁଷଙ୍କ କୃତୀ ଓ କୀର୍ତ୍ତିକୁ ମନେ ପକେଇ ମହାପୁରୁଷ, ସ୍ୱାଧୀନତା ସଂଗ୍ରାମୀ, ସର୍ବୋପରି ଦେଶ ମାତୃକା ପାଇଁ ଶହୀଦ ହୋଇଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ପରିଷ୍କାର କରି ଧୋଇ ଫୁଲମାଳ ଦେଇ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏହି ଅଭିଯାନରେ ବାରିପଦା ସହରରେ ସ୍ୱତଃସ୍ଫୂର୍ତ୍ତ ଭାବେ ସମସ୍ତେ ଆଗେଇ ଆସିଥିଲେ । ଆମେ ମୟୂରଭଞ୍ଜିଆର ଆହ୍ୱାନ କ୍ରମେ ବାରିପଦା ସମେତ ସମଗ୍ର ଜିଲ୍ଲାରେ ଏପରିକି ଜିଲ୍ଲା ବାହାରେ ମଧ୍ୟ ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ରବିବାର ସକାଳ ୬ଟାରୁ ସାଢେ ନଅଟା ମଧ୍ୟରେ ବାରିପଦା ସହର ଓ ଉପକଣ୍ଠରେ ଥିବା ୩୦ଟି ପ୍ରତିମୂର୍ତ୍ତି ପରିସରକୁ ପରିଷ୍କାର କରିବା ସହିତ ଧୋଇବା ପରେ ଫୁଲମାଲ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ପ୍ରାରମ୍ଭରେ ସମସ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସମବେତ ହୋଇଥିଲେ । ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପବିତ୍ର ପୂଣ୍ୟ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀ ଏହି ଦପ୍ସର ତାତ୍ପର୍ଯ୍ୟ ସଂପର୍କରେ ସମ୍ୟକ ଆଲୋଚନା କରିଥିଲେ । ପରେ ସମବେତ ସମସ୍ତ ସଂସ୍କୃତି ସଚେତନ ବ୍ୟକ୍ତି ତଥା ଛାତ୍ରଛାତ୍ରୀମାନେ ୭ଟି ଦଳରେ ବିଭକ୍ତ ହୋଇ ସହରର ବିଭିନ୍ନ ପ୍ରତିମୂର୍ତ୍ତି ସ୍ଥଳକୁ ଯାଇ ପରିଷ୍କାର ପରିଛନ୍ନ କରି ପ୍ରତିମୂର୍ତ୍ତି ଧୋଇବା ପରେ ଫୁଲମାଳ ଧୂପ ଦୀପ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Img 20240421 Wa0151 Img 20240421 Wa0181

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମାହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂତ୍ତସମେତ ପୌରପରିଷଦ ଭିତରେ ଥିବା ଉତ୍କଳମଣି ଗୋପବଂଧୁ, ମଧୁସୂଦନ ଗୋଲେଇରେ ଥିବା କୁଳବୃଦ୍ଧ ମଧୁସୂଦନ, ସଂସ୍କୃତି ଭବନ ସମ୍ମୁଖରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଓ ପଦ୍ମଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଏମସିସି ବ୍ୟାଙ୍କ ସମ୍ମୁଖରେ ଥିବା ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ବିଜୁପଟ୍ଟନାୟକ ଗୋଲେଇରେ ଥିବା ପ୍ରବାଦ ପୁରୁଷ ବିଜୁବାବୁ, ସଂସ୍କୃତ ମହାବିଦ୍ୟାଳୟ ନିକଟରେ ଥିବା ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ, ଶହୀଦ ପଡିଆରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ଗାନ୍ଧୀପାର୍କରେ ମହାତ୍ମାଗାନ୍ଧୀ, କସ୍ତୁରବା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀ, କୃଷ୍ଣଚନ୍ଦ୍ର ଗୋଲେଇରେ ଥିବା ମୟୂରଭଞ୍ଜ ଗାନ୍ଧୀ ଶରତ ଚନ୍ଦ୍ର ଦାସ, ବଡଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ପଦ୍ମଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ମଧୁବନ ଛକରେ ଥିବା ମୁଣ୍ଡାରୀ ଲିପି ସ୍ରଷ୍ଟା ରୋହିଦାସ ସିଂନାଗ, ଅସ୍ତିଆ ଛକରେ ଥିବା ଶହୀଦ ବିର୍ସା ମୁଣ୍ଡା, ରାଣୀବାଗରେ ଥିବା ମହାରାଜା ଶ୍ରୀରାମଚନ୍ଦ୍ର , ମହାରାଣୀ ଲକ୍ଷ୍‌ମୀ କୁମାରୀ ଭଞ୍ଜଦେଓ ଓ ମହାରାଣୀ ସୁଚାରୁଦେବୀଙ୍କ ସମାଧିସ୍ଥଳ, ଆଶୀର୍ବାଦ ଛକରେଥିବା କର୍ମବୀର ପ୍ରସନ୍ନ କୁମାର ଦାଶ, ପ୍ରତାପଚନ୍ଦ୍ର ଗୋଲେଇରେ ଥିବା ଅଲଚିକି ଲିପି ସ୍ରଷ୍ଟା ଗୁରୁଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ, ପାଲବଣୀ ବାଇପାସ ନିକଟରେ ଥିବା ଓରାଂଚିତି ଲିପିସ୍ରଷ୍ଟା ଲାକ ବାଦ୍ରା, ପୂର୍ଣ୍ଣଚନ୍ଦ୍ରପୁର ଠାରେ ଥିବା ସମ୍ବିଧାନ ପ୍ରଣେତା ଡଃ ବାବାସେହେବ ଆମ୍ବେଦକର, ଭଞ୍ଜପୁର ଠାରେ ଥିବା ଭଞ୍ଜବୀର ସୁନାରାମ ସୋରେନ ଆଦିଙ୍କ ପ୍ରତିମୂର୍ତ୍ତି ସହିତ ବିଭିନ୍ନ ଶିିକ୍ଷାନୁଷ୍ଠାନ ପରିସରରେ ଥିବା ପ୍ରତିମୂର୍ତ୍ତି ଗୁଡିକୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୨୦୧୭ ମସିହାରୁ ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ଏହି ଦିବସକୁ ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ସବୁଠି ବ୍ୟାପକ ସ୍ତରରେ ପାଳନ କରିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରେ ଏବଂ ରାଜ୍ୟ ବାହାରେ ଥିବା ବିଭିନ୍ନ ସଂଗଠନକୁ ଆହ୍ୱାନ ଦିଆ ଯାଇଥିଲା । ସବୁଠି ଏହାର ଏକ ସକରାତ୍ମକ ପ୍ରଭାବ ପଡିଥିଲା ବେଳେ ବାରିପଦା ସହରରେ ଏହି ମହତ କାର୍ଯ୍ୟକୁ ଭବ୍ୟ ସମାରୋହରେ ପାଳନ କରିବା ପାଇଁ ବାରିପଦା ପୌରପରିଷଦ, ରୋଟାରୀ କ୍ଲବ, ଇନରହୁଇଲ୍ କ୍ଲବ,ବାରିପଦା ବାର ଆସୋସିଏସନ, ଉତ୍କଳ ସମ୍ମିଳନୀ, ବାରିପଦା କଳାକାର ପରିବାର, ବାସ୍ତବ ପରିବାର, ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ, ରୋଟାରୀ କ୍ଲବ, ଇନରହୁଇଲ୍ କ୍ଲବ, ସଂସ୍କାର ଶିଶୁ ମହୋତ୍ସବ ମୟୂରୀ, ଶୁଭଶଂଖ ସାହିତ୍ୟ ଅନୁଷ୍ଠାନ,ନବ ସବୁଜିମା, ମଧୁବନ ଉନ୍ନୟନ ପରିଷଦ, ସିନିୟର ସିଟିଜେନ ଫୋରମ, ଛାଞ୍ଚ ଉନ୍ନୟନ କମିଟି, ଆମ ପାଲବଣୀ ଆମ ସ୍ୱାଭିମାନ , ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଟ୍ରଷ୍ଟ, ମୟୂରଭଞ୍ଜ ସିନିୟର ସିଟିଜେନ ଫୋରମ, ଭଞ୍ଜସେନା, ଆମେ ଭଞ୍ଜବୀର, ପୂର୍ଣ୍ଣଚନ୍ଦ୍ରପୁର ଉପ୍ରା ବିଦ୍ୟାଳୟ, ଆମେ ଚାଷୀ, ଜୀବନ ଧାରା, ଚିନ୍ମୟ ମିଶନ , ତ୍ରିରଙ୍ଗା କ୍ଲବ ଆଦି ସଂଗଠନର ସଂସ୍କୃତି ସଚେତନ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ବିଦ୍ୟାଳୟ ତଥା କଲେଜର ଛାତ୍ରଛାତ୍ରୀ , ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକମାନେ ଶ୍ରଦ୍ଧାର ସହିତ ଆଗେଇ ଆସିଥିଲେ ।

Img 20240421 Wa0127