Img 20240419 Wa0253

ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ ମୟୂରଭଞ୍ଜର କୃତୀ ଆକାଂକ୍ଷୀ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ

State

ବାରିପଦା : ଚଳିତ ବର୍ଷ ସର୍ବ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୟୂରଭଞ୍ଜର ତିନି ଜଣ କୃତୀ ଆକାଂକ୍ଷୀ ମାନଙ୍କୁ ଜିଲ୍ଲା ପ୍ରଶାସନ ଶୁକ୍ରବାର ଦିନ ସମ୍ମାନିତ କରିଛନ୍ତି। ସେମାନେ ହେଲେ ୨୪ ତମ ରାଙ୍କ ରେ ଥିବା ପ୍ରଜ୍ଞା ନନ୍ଦନ ଗିରି, ୩୪୩ ରାଙ୍କରେ ଥିବା ବିଶ୍ୱଜିତ ପଣ୍ଡା ଏବଂ ୪୬୬ ରାଙ୍କ ରେ ଥିବା ସୌରଭ ଦାସ । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଏହି ସମ୍ମାନିତ ସଭାରେ ଅଧ୍ୟକ୍ଷତା କରି ସମସ୍ତ କୃତି ଅଧିକାରୀ ମାନଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରିଥିଲେ । ଏହି ଅବସରରେ ଆୟୋଜିତ ସଭାର ସ୍ୱାଗତ ଭାଷଣ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଦେଇ କହିଥିଲେ ଯେ ପରିଶ୍ରମ ଏବଂ କଠିନ ଅଧ୍ୟବୟସାୟ ର ପରିଣତି ହେଉଛନ୍ତି ଏହି କୃତି ପରୀକ୍ଷାର୍ଥୀ ଏବଂ ଆମ ଦେଶ ତଥା ରାଜ୍ୟର ଭବିଷ୍ୟତ। ଏହି ଅବସରରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତିଭୂଷଣ ନାୟକ ସର୍ବ ଭାରତୀୟ ପ୍ରଶାସନିକ ସେବାରେ ନିଜର କଠିନ ପରିଶ୍ରମ, ବାସ୍ତବଧର୍ମୀ ଏବଂ ଅଙ୍ଗେ ନିଭେଇଥିବା ସଂଘର୍ଷ ବିଷୟରେ କହି ସମସ୍ତଙ୍କୁ ଭାବ ବିହ୍ଵଳିତ କରି ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ସିନ୍ଧେ କହିଥିଲେ ଯେ, ସେ ଓଡିଶା ସ୍ତରରେ ହେଉ କିମ୍ବା ସର୍ବ ଭାରତୀୟ ସ୍ତରରେ ହେଉ ପ୍ରତ୍ୟେକ ପ୍ରତିଯୋଗିତା ମୂଳକ ପରୀକ୍ଷାର ନିଷ୍କର୍ଷରେ ଥାଏ କଠିନ ପରିଶ୍ରମ ଏବଂ ସମର୍ପଣ। ସେ କହିଥିଲେ ଯେ ଏଠାରେ ବସିଥିବା ସମସ୍ତ ଅଧିକାରୀ ମାନେ ମଧ୍ୟ ସେହି ସଂଘର୍ଷ ଦେଇ ଆସିଛନ୍ତି କାରଣ ଏହି ସିଭିଲ ସର୍ଭିସ ପରୀକ୍ଷା କେଉଁ ପ୍ରଶ୍ନ ଉତ୍ତରର ପରୀକ୍ଷା ନୁହେ ଏହା ଆପଣ ମାନଙ୍କର ଧର୍ଯ୍ୟର ପରୀକ୍ଷା। ନିଜ ନିଜ ବକ୍ତବ୍ୟରେ ଶ୍ରୀ ପଣ୍ଡା, ଶ୍ରୀ ଦାସ ଏବଂ ଶ୍ରୀ ଗିରି ଏହି ସଫଳତାର ଶ୍ରେୟ ନିଜ ପରିବାରକୁ ଦେବା ସହିତ କଠିନ ପରିଶ୍ରମ ଏବଂ ଅହେତୁକ ଇଚ୍ଛା ଶକ୍ତିକୁ ଦେଇଥିଲେ । ସୂଚନା ଥାଉକି, ଏହି ତିନି ଜଣ କୃତି ପରୀକ୍ଷାର୍ଥୀ, ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବିଗତ ବର୍ଷରେ କୃତିତ୍ୱ ପାଇଲା ପରେ ନିଜ ନିଜ ଚାକିରୀର ଅବସ୍ଥାପିତ ହୋଇ ମଧ୍ୟ କଠିନ ପରିଶ୍ରମ କରି ଆଜି ଭାରତର ସର୍ବ ବୃହତ ସେବା କରିବାର ସୁଯୋଗ ପାଇଛନ୍ତି। ଏଥିପାଇଁ ଜିଲ୍ଲାପ୍ରଶାସନ ସେମାନଙ୍କୁ ସାଧୁବାଦ ଦେବା ସହିତ ସେମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି। ଏହି ସମ୍ବର୍ଦ୍ଧନା ସଭାରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ପ୍ରତିନିଧି ଜିଲ୍ଲାପାଳ ସୁଶ୍ରୀ ଶ୍ରଦ୍ଧା ସୁମନ, ପ୍ରତିନିଧି ଜିଲ୍ଲାପାଳ ଡଃ ଶୁଭଙ୍କରୀ ଦାଶ, ପ୍ରତିନିଧି ଜିଲ୍ଲାପାଳ ସୁଶ୍ରୀ ବସୁନ୍ଧରା ଭିତିରିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଗଣମାଧ୍ୟମ ପ୍ରତିନିଧି ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ l