Vehicle Checking In Bhubaneswar

ଗାଡ଼ିରେ କଳାକାଚ ଲାଗିଥିଲେ ଗଣିବେ ଜୋରିମାନା

State

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଗାଡ଼ିର କଳାକାଚ ଯାଞ୍ଚ ଅଭିଯାନ ଆରମ୍ଭ କରିଛି ଓଡ଼ିଶା ପୋଲିସ। ଗାଡ଼ିରେ କଳାକାଚ ଲାଗିଥିଲେ ଗଣିବେ ଜୋରିମାନା। କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଛି କଳାକାଚ ଯାଞ୍ଚ ଅଭିଯାନ।

ଗତକାଲି ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଥିଲା। ଏପରିକି କଳା କାଚ ଲାଗିଥିବା ଗାଡ଼ିକୁ ଅଟାକାଇ କଳାଜରି ବାହାର କରି ଦିଆଯାଇଥିଲା ଓ ଜୋରିମାନା ଆଦାୟ କରାଯାଇଥିଲା। ଟ୍ରାଫିକ ପୋଲିସ ଏବଂ ଆରଟିଓ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି।

ଏହାସହ ଗାଡ଼ିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ସାମଗ୍ରୀ ଲଗାଇବା ଉପରେ ନିଷେଧାଦେଶ ରହିଛି। କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଙ୍ଘନ କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଏହାସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଡ୍ରାଇଭିଂ ଲାଇସେନ୍ସ ନଥିବା ଲୋକଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ବୋଲି ଏସିପି କହିଛନ୍ତି।

ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ଯେ ଅପରାଧିକ କାର୍ଯ୍ୟକଳାପ ତଥା ନିଶା କାରବାର ଏବଂ ନିଶା ସହ ଜଡିତ ବ୍ୟକ୍ତିମାନେ ଡାର୍କ ଫିଲ୍ମ ବ୍ୟବହାର କରନ୍ତି। ଆଗକୁ ନିର୍ବାଚନ ଥିବାରୁ ମଦ, ଡ୍ରଗ୍ସ ଏବଂ ନଗଦ ବେଆଇନ ପରିବହନ ପାଇଁ ମଧ୍ୟ ଏହି ଯାନ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି। ଏହାକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୁଲିସ କମିଶନର।