Pm Modi 1712579623

ମଣିପୁରକୁ ରକ୍ଷା କରିଛନ୍ତି କେନ୍ଦ୍ର ସରକାର: ମୋଦି

National & International

ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଣିପୁର ହିଂସାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକ ବେଘର ହୋଇ ରିଲିଫ କ୍ୟାମ୍ପରେ ରହୁଛନ୍ତି।

ତଥାପି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କେନ୍ଦ୍ର ସରକାର ଠିକ ସମୟରେ ହସ୍ତକ୍ଷେପ କରି ମଣିପୁରକୁ ରକ୍ଷା କରି ଦେଇଛନ୍ତି। ଅତ୍ୟନ୍ତ ସମ୍ବେଦଶୀଳ ଭାବେ ମଣିପୁର ସ୍ଥିତିର ମୁକାବିଲା କରିବା ସମସ୍ତଙ୍କ ଦାୟିତ୍ୱ। କେନ୍ଦ୍ର ଓ ରାଜ୍ୟ ସରକାର ଠିକ ସମୟରେ ହସ୍ତକ୍ଷେପ କରିବାରୁ ମଣିପୁର ସ୍ଥିତିରେ ସୁଧାର ଆସିଥିବା ମୋଦି ଦାବି କରିଛନ୍ତି।

ଆସାମ ଟ୍ରିବ୍ୟୁନକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ତାଙ୍କର ଶ୍ରେଷ୍ଠ ସମ୍ବଳ ଓ ପ୍ରଶାସନିକ ବ୍ୟବସ୍ଥାକୁ ବ୍ୟବହାର କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିବାଦର ଉଗ୍ର ସ୍ଥିତି ବେଳେ ମଣିପୁରରେ ରହିଥିଲେ। ବିଭିନ୍ନ ସଂଗଠନ ଓ ଅଂଶିଦାରଙ୍କ ସହ ବିବାଦର ସମାଧାନ ପାଇଁ ୧୫ରୁ ଅଧିକ ବୈଠକ କରିଥିଲେ।

କେନ୍ଦ୍ର ସରକାର ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଇଥିଲେ। ବର୍ତ୍ତମାନ ରିଲିଫ ଓ ପୁନଃ ଥଇଥାନ ପ୍ରକ୍ରିୟା ଚାଲିଛି। କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ଆର୍ଥିକ ସହାୟତା ସମେତ ବିଭିନ୍ନ ପ୍ରକାରର ସୁବିଧା ବ୍ୟବସ୍ଥା କରାଯାଇଛି।”

ଗତବର୍ଷ ମେ’ ମାସରୁ ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ମଣିପୁରରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏଥିରେ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ସେହିପରି ହିଂସାକାଣ୍ଡ ଯୋଗୁ ୧ ଲକ୍ଷରୁ ଅଧିକ ଲୋକ ରିଲିଫ କ୍ୟାମ୍ପରେ ରହୁଛନ୍ତି। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ହେଁ ଜୀବନଜୀବିକା ସ୍ୱାଭାବିକ ହୋଇନାହିଁ।