Img 20240406 Wa0192

ରବି ଋତୁ ୨୦୨୩-୨୪ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

State

ବାରିପଦା : ଆଗାମୀ ରବି ଋତୁ ପାଇଁ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରିଥିଲେ। ସୂଚନା ଥାଉକି ଏହି ବୈଠକରେ ରବି ୨୦୨୩-୨୪ ନିମନ୍ତେ ଧାନ ସଂଗ୍ରହ ପାଇଁ ଆଗାମୀ ମଇ ୨୨ ତାରିଖ ଦିନ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ସ୍ଥିର ହେଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ଏହି ଧାନ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନା କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଥିଲେ ମଧ୍ୟ ଚାଷୀ ମାନଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେବା ପାଇଁ ଅଧିକାରୀ ମାନଙ୍କୁ କହିଥିଲେ। ଏହି ବୈଠକରେ, ମୁଖ୍ୟ ନାଗରିକ ଯୋଗାଣ ଅଧିକାରୀ, ଶ୍ରୀ କୃଷ୍ଣ ଚନ୍ଦ୍ର ସେଠି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ଶ୍ରୀ ସିଦ୍ଧାର୍ଥ ବେହେରା, ସମବାୟ ସମିତି ଉପନିବନ୍ଧକ ଶ୍ରୀ କେ. ସି ଦାସ, ଏବଂ ସିସିଓ ଶ୍ରୀ ଅନାଦି ସେଠି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ୨୦୨୩-୨୪ ରବି ବର୍ଷ ରେ ଜିଲ୍ଲାରେ ସର୍ବମୋଟ୍ ୧୦୭୯ ଜଣ ଧାନ ଉତ୍ପାଦକ ଚାଷୀ ପଞ୍ଜିକରଣ କରିଛନ୍ତି। ବାରିପଦା ଏବଂ କପ୍ତିପଦା ଦୁଇଟି ଉପଖଣ୍ଡର ସମୁଦାୟ ୮ଟି ବ୍ଲକରେ ୧୭ ଟି ଲାଂପ୍ସରୁ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆର୍ ଏମ ସି ର ଅଧ୍ୟକ୍ଷ ମାନଙ୍କୁ ଗାଆଁ ଗାଆଁ ବୁଲି ଚାଷୀ ମାନଙ୍କ ସହିତ ଉତ୍ତମ ଯୋଗା ଯୋଗ କରି ଏହି ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ଜିଲ୍ଲାପାଳ କହିଥିଲେ। ଜିଲ୍ଲାପାଳ ଶ୍ରୀ ସିନ୍ଧେ ଏହା ମଧ୍ୟ କହିଥିଲେ ଯେ ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀ ମାନଙ୍କୁ ଟୋକେନ୍ ଦେବାର ବ୍ୟବସ୍ଥା କରାଯିବ। କଳାବଜାରୀ ଏବଂ ଆବଶ୍ୟକୀୟ ଧାନ ପଡୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ବାବଦରେ ଜିଲ୍ଲାପାଳ କହିଲେ ଯେ ଏହି ସବୁ ବେଆଇନ କାର୍ଯ୍ୟପାଇଁ ଜିଲ୍ଲାର ସମସ୍ତ ସୀମାରେଖା ରେ ପୋଲିସ୍ ମୁତୟନ କରାଯିବ ଏବଂ ଏହାର କଡାକଡି ଯାଞ୍ଚ୍ ହେବ। ସମସ୍ତ ଚାଷୀ ମାନଙ୍କୁ ନିଜ ଫସଲକୁ ଯଥରିତିରେ ମଣ୍ଡି ରେ ଆଣି ପହଞ୍ଚାଇବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଗଲା। ଏହି ଅବସରରେ ଜିଲ୍ଲା କୃଷି ବିଭାଗର ସମସ୍ତ କର୍ମଚାରୀ ସମେତ ପଞ୍ଚାୟତ ଏବଂ ରାଜସ୍ବ ବିଭାଗର ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହି ଏହି ବୈଠକ କୁ ସଫଳ କରିଥିବାର ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।