Cf1fa34a 6030 4090 A6c2 70ae9021a884.jpeg

ଏମ୍‌ସ ଭୁବନେଶ୍ୱରରେ ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ସହ ଅତ୍ୟାଧୁନିକ ମେସିନ୍‌ ଉଦ୍‌ଘାଟିତ

State

cf1fa34a-6030-4090-a6c2-70ae9021a884

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ପୁନର୍ବାର ଅନନ୍ୟ ଯୋଗଦାନ ପୂର୍ବକ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରୋଗୀସେବାରେ ଏକାଧିକ ନୂତନ ବ୍ୟବସ୍ଥା ଯୋଡ଼ିହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ଆଜି ଆଭାସି କାର୍ଯ୍ୟକ୍ରମ ମାଧ୍ୟମରେ ଏମ୍‌ସ ଭୁବନେଶ୍ୱରର ଧର୍ମଶାଳା, ନୂତନ ଟ୍ରମା କେନ୍ଦ୍ର ଏବଂ ହାଇ ଏନର୍ଜୀ ଲିନିୟର୍‌ ଆକ୍ସେଲରେଟର୍‌ (ହେଲା) ମେସିନ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଏମ୍‌ସ ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ଧର୍ମଶାଳା, ଟ୍ରମା କେନ୍ଦ୍ର ଏବଂ ହେଲା ମେସିନ୍‌ର ଉଦ୍‌ଘାଟନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟ କହିଛନ୍ତି ଯେ ଏହି ନୂତନ ସୁବିଧାଗୁଡ଼ିକ ସାମଗ୍ରିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଯଥେଷ୍ଟ ମଜଭୁତ କରିବା ସହିତ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଣ ବୃଦ୍ଧି କରିବ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଅବସରରେ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ତାଙ୍କର ଦିଗ୍‌ଦର୍ଶନ ତଥା ପ୍ରତିବଦ୍ଧତା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ମାଣ୍ଡଭିୟଙ୍କୁ କୃତଜ୍ଞତା ଜଣାଇଥିଲେ। ଏଥିସହିତ ସ୍ବାସ୍ଥ୍ୟସେବାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗପୂର୍ବକ ରୋଗୀସେବାକୁ ତ୍ବରାନ୍ବିତ କରିବା ଦିଗରେ ଏମ୍‌ସ ସର୍ବଦା ତତ୍ପର ଥିବା ପ୍ରକାଶ କରିଥିଲେ। ଆଜି ଉଦ୍‌ଘାଟିତ ହୋଇଥିବା ଏହି ଅତ୍ୟାଧୁନିକ ସୁବିଧା ବ୍ୟବସ୍ଥା ରୋଗୀ ସେବାକ୍ଷେତ୍ରରେ ଏକ ନୂତନ ସମୟର ସଂଯୋଗ ସହିତ ଆମ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟରୁ ଆସୁଥିବା ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ବେଶ ଲାଭବାନ ହେବ। ଏମ୍‌ସକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ଆଜି ଉଦ୍‌ଘାଟିତ ହୋଇଥିବା ଧର୍ମଶାଳା କୋଠା ଅତ୍ୟନ୍ତ ସହାୟକ ହେବ। ସୁଲଭ ମୂଲ୍ୟରେ ଦରକାରୀ ସମୟରେ ଏହି ଧର୍ମଶାଳା ବନ୍ଧୁ ଭଳି ସହଯୋଗୀ ସାବ୍ୟସ୍ତ ହେବ। ସେହିଭଳି ଆଇସିୟୁ, ମଡ୍ୟୁଲାର୍ ଓଟି, ୱାର୍ଡ ଏବଂ ଅନ୍ୟାନ୍ୟ ଉଚ୍ଚ-ଯନ୍ତ୍ରପାତି ସହିତ ସଜ୍ଜିତ ନୂତନ ଟ୍ରମା କେନ୍ଦ୍ର ତ୍ବରିତ ଏବଂ ଗୁଣବତ୍ତାପୂର୍ଣ୍ଣ ଜରୁରୀକାଳୀନ ସେବା ଯୋଗାଇଦେବ। ଗୁରୁତର ଆବଶ୍ୟକତା ଥିବା ରୋଗୀଙ୍କ ପାଇଁ ସଠିକ୍ ସମୟରେ ସହାୟତା ପ୍ରଦାନ କରିବ ଏହି ଟ୍ରମା କେନ୍ଦ୍ର। ଅତ୍ୟାଧୁନିକ ନୂତନ ଟ୍ରମା କେନ୍ଦ୍ର ଗୁରୁତର ଆଘାତଜନିତ ଅବସ୍ଥାରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନରେ ବେଶ ଉପଯୋଗୀ ହେବ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ନୂତନ ହେଲା ମେସିନ୍‌ ବିକିରଣ ଚିକିତ୍ସା ଆବଶ୍ୟକ କରୁଥିବା କର୍କଟ ରୋଗୀଙ୍କ ଅପେକ୍ଷା ସମୟକୁ ହ୍ରାସ କରିବ ଏବଂ ସାମଗ୍ରୀକ କର୍କଟ ଚିକିତ୍ସା ଯୋଗାଇବାରେ ଏହା ସହାୟକ ହେବାନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଆଶାବ୍ୟକ୍ତ କରିଛନ୍ତି।