Onn 3

୭ ରୁ ୧୪ ପର୍ଯ୍ୟନ୍ତ ଚାଲିବ ମୟୂରଭଞ୍ଜର ସର୍ବ ପୁରାତନ ସାଂସ୍କୃତିକ ପର୍ବ-ଭକ୍ତ ପର୍ବ ୨୦୨୪

State

ବାରିପଦା:  ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହେବାକୁ ଯାଉଛି ମୟୂରଭଞ୍ଜର ସର୍ବ ପୁରାତନ ସାଂସ୍କୃତିକ ପର୍ବ-ଭକ୍ତ ପର୍ବ ୨୦୨୪। ଏହି ପର୍ବ ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନା ଥାଉକି, ଏହି ଭକ୍ତ ପର୍ବ ଏହି ବର୍ଷ ସାଧାରଣ ନିର୍ବାଚନ ଯୋଗୁଁ ଲାଗୁ ହେଇଥିବା ଆଦର୍ଶ ଆଚରଣ ସଂହିତା ପାଇଁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ପାଳନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ପର୍ବର ସମ୍ପୂର୍ଣ୍ଣ ସଂଚାଳନା ଜିଲ୍ଲା ଦେବୋତ୍ତର ବିଭାଗ କରୁଥିବା ବେଳେ, ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବିଭାଗ ଯଥା- ପର୍ଯ୍ୟଟନ, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ଜଳସମ୍ପଦ, ସ୍ୱାସ୍ଥ୍ୟ ବିଭାଗ ଇତ୍ୟାଦିଙ୍କୁ ମଧ୍ୟ ଏହି ପର୍ବର ସୁ-ପରିଚାଳନା ଦାୟିତ୍ୱ ଦିଆ ଯାଇଛି। ଦେବୋତ୍ତର ବିଭାଗ, ସହକାରୀ ଜିଲ୍ଲାପାଳ ସୁଶ୍ରୀ ମାନସୀ ତରାଇଙ୍କ ସୂଚନା ଅନୁସାରେ, ୭ ତାରିଖ ଦିନ ଅପରାହ୍ନ ୪.୩୦ ସମୟରେ ମା ଅମ୍ବିକା ମନ୍ଦିରରେ ହାକୁଣ୍ଡା ପୂଜା ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଏହି ହବିଷାନ୍ନ କାର୍ଯ୍ୟକ୍ରମ ଚାଲିବ। ୧୧ ତାରିଖରେ କଣ୍ଟାପାଟ, ୧୨ ତାରିଖରେ ନିଆଁପାଟ, ସହିତ ଘଟ ଛଉ, ଭକ୍ତ ନୃତ୍ୟ ହେବାକୁ ଥିବା ବେଳେ ୧୩ ତାରିଖ ଦିନ ଉଗ୍ରତାପ ଏବଂ ୧୪ ତାରିଖ ଦିନ ଉଡ଼ା ପର୍ବ ସହିତ ଏହି ଚୈତ୍ର ଭକ୍ତ ପର୍ବର ସମାପ୍ତି ହେବ।ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ସମସ୍ତ ଅଧିକାରୀ ମାନଙ୍କୁ ଏହି ୭ଦିନ ବ୍ୟାପି ଚାଲିବାକୁ ଥିବା ଭକ୍ତ ପର୍ବରେ ନିଜର କର୍ମ ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।