Hsffshsshfsfh 750x430

ଚାନ୍ଦବାଲି ଆସନରେ ଏଥର ରୋଚକ ଲଢ଼େଇ: ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ବ୍ୟୋମକେଶ

State

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା କ୍ଷେତ୍ରରୁ ଲଗାତାର ଦୁଇଥର ବିଧାୟକ ହୋଇସାରିଲେଣି ବିଜେଡିର ଯୁବନେତା ଡ.ବ୍ୟୋମକେଶ ରାୟ। ଏଥର ବି ବ୍ୟୋମକେଶଙ୍କ ଉପରେ ଦଳ ଭରସା କରି ତାଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରହିଛନ୍ତି। ତେବେ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୁଣିଥରେ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏଥରକ ଏଠାରେ ରୋଚକ ଲଢ଼େଇ ହେବ‌ାର ଯଥେଷ୍ଟ ସମ୍ଭାବନା ରହିଛି। ମନମୋହନଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି।
ଗତ ନିର୍ବାଚନରେ ମନମୋହନ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରି ବ୍ୟୋମକେଶଙ୍କୁ କଡ଼ା ଟକ୍କର ଦେବାସହ ମାତ୍ର ୮୦୮୦ ଭୋଟ୍‌ରେ ପରାଜିତ ହୋଇଥିଲେ। ବ୍ୟୋମକେଶ ୭୭,୩୧୩ (୪୩.୧୧%) ଭୋଟ୍‌ ପାଇଥିବା ବେଳେ ମନମୋହନ ୬୯,୨୩୩ (୩୮.୮%) ଭୋଟ୍‌ ପାଇଥିଲେ। ୨୦୧୪ରେ ମନମୋହନ ଏଠାରୁ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ବ୍ୟୋମକେଶ ୬୮,୫୫୭ (୪୩.୯୯%) ଭୋଟ ପାଇଥିବା ବେଳେ ମନମୋହନ ପାଇଥିଲେ ୩୮,୯୫୨ (୨୪.୯୯%) ଭୋଟ୍‌। ସେତେବେଳେ କଂଗ୍ରେସର ଅମିୟ ମହାପାତ୍ର ୪୩, ୬୭୪ (୨୮.୨%) ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ଭୋଟ୍‌ ହାରକୁ ଦେଖିଲେ ୨୦୧୪ ଅପେକ୍ଷା ୨୦୧୯ରେ ବ୍ୟୋମକେଶଙ୍କ ଭୋଟ୍‌ ହାର ୦.୮୮% କମିଥିବା ବେଳେ ମନମୋହନଙ୍କ ଭୋଟ୍‌ ହାର ୧୩.୮୧% ବଢ଼ିଛି। ଫଳରେ, ଚଳିତ ନିର୍ବାଚନ ମନମୋହନଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ ଉଭା ହୋଇଛି।
ଅନ୍ୟପକ୍ଷରେ, କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ତାକୁ ନେଇ ସସ୍‌ପେନ୍‌ସ ଲାଗି ରହିଛି। ଯୁବନେତା ସତ୍ୟା‌ନନ୍ଦ ରାଉତ ଓ ଅମିୟ ମହାପାତ୍ର ପୁଣି ଚର୍ଚ୍ଚାରେ ରହିଛନ୍ତି। ଅମିୟ ୨୦୧୪ରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ି ଦ୍ବିତୀୟ ସ୍ଥାନରେ ଥିବାବେଳେ ୨୦୧୯ରେ ସେ ଆଉ ନିର୍ବାଚନ ମଇଦାନକୁ ଆସି ନଥିଲେ। ୨୦୧୯ରେ ସତ୍ୟାନନ୍ଦ ପ୍ରାର୍ଥୀ ହୋଇ ତୃତୀୟ ସ୍ଥାନରେ ରହିଥିଲେ।