7405e518 B8a7 4005 9a91 54c03bc31104 750x430

ବିଜେଡିରୁ ଇସ୍ତଫା ଦେଲେ ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ

Politics State

ସୁନ୍ଦରଗଡ଼: ବିଜେଡି ଛାଡ଼ିଛନ୍ତି ସୁନ୍ଦରଗଡ଼ର ବରିଷ୍ଠ ନେତା ସନ୍ତୋଷ ଅମାତ। ସେ ତାଙ୍କ ଟ୍ବିଟର୍ ହ୍ୟାଣ୍ଡେଲର ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଇସ୍ତଫାର କାରଣ ସମ୍ପର୍କରେ କିଛି ଉଲ୍ଲେଖ କରି ନଥିଲେ ମଧ୍ୟ ନିଜ ପ୍ରତିକ୍ରିୟାରେ ଚଳିତ ନିର୍ବାଚନରେ ସୁନ୍ଦରଗଡ଼ ଲୋକସଭା ହେଉ କି ବିଧାନସଭାରେ ତାଙ୍କୁ ପ୍ରାର୍ଥୀ ନ କରିବା ବା ଅନ୍ୟ କୌଣସି ସମ୍ମାନଜନକ ପଦରେ ଥଇଥାନ ନକରି କୋଣଠେସା କରିଦେବାରୁ ସେ ଦଳ ଛାଡ଼ିଥିବା  କହିଛନ୍ତି। ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଦଳ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଓ ଲୋକସଭାରେ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିବା ପରେ ସନ୍ତୋଷ ନିରାଶ ହୋଇଥିଲେ।

ଶ୍ରୀ ଅମାତ ଓଡ଼ିଶା ପ୍ରାଶାସନିକ ସେବାରୁ ରାଜନୀତିକୁ ଆସିଥିଲେ। ୨୦୧୪ରେ ସେ ବିଜେପିରୁ ତଳସରା ବିଧାନସଭା କ୍ଷେତ୍ରରେ ଲଢ଼ି କଂଗ୍ରେସର ଡ.ପ୍ରଫୁଲ୍ଲ ମାଝିଙ୍କଠାରୁ ପରାଜିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୧୭ ମାର୍ଚ୍ଚରେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ରାଜ୍ୟ ସରକାର ତାଙ୍କୁ ଦଳର ପ୍ରବକ୍ତା ଭାବେ ନିଯୁକ୍ତି ଦେଇଥିଲେ। ପରେ ସେହି ବର୍ଷ ପ୍ରତିଷ୍ଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ୨୦୧୮ ରେ ତାଙ୍କୁ ହଠାତ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଦଳ ତରଫରୁ ନିର୍ଦ୍ଦେଶ ହୋଇଥିଲା। ସେ ଅଧ୍ୟକ୍ଷ ପଦରୁ ତୁରନ୍ତ ଇସ୍ତଫା ଦେଇଥିଲେ। ଦଳ ତାଙ୍କୁ ସେହି ନିର୍ବାଚନରେ ଲୋକସଭା ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ଶ୍ରୀ ଅମାତ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ନିଜର ଲୋକ ସମ୍ପର୍କ ଅଭିଯାନ ଆରମ୍ଭ କରି ଦେଇଥିଲେ। କିନ୍ତୁ ଦଳ ତାଙ୍କୁ ନିରାଶ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବଡ଼ ଝିଅ ସୁନିତା ବିଶ୍ବାଳଙ୍କୁ ପ୍ରାର୍ଥୀ କରିଥିଲା। ସେତେବେଳେ ତାହା ସନ୍ତୋଷଙ୍କୁ ବଡ଼ ଝଟକା ଦେଇଥିଲା। ଦଳର ଦୁର୍ବଳ ରଣନୀତି ଓ ପ୍ରାର୍ଥୀ ଚୟନରେ ତ୍ରୁଟି ଯୋଗୁ ଦଳ ସେତେବେଳେ ଅଢ଼େଇ ଲକ୍ଷ ଭୋଟରେ ପରାଜିତ ହୋଇଥିଲା। ସୁନିତା ପରାଜିତ ହେବା ପରେ ଦଳୀୟ କାର୍ଯ୍ୟକ୍ରମରୁ ଏକ ପ୍ରକାର ଦୂରେଇ ରହିଲେ। କିନ୍ତୁ ସନ୍ତୋଷ ଉପେକ୍ଷା ସତ୍ତ୍ବେ ଦଳରେ ୫ ବର୍ଷ ସକ୍ରିୟ ରହିଥିଲେ। ଏଥର ସୁନ୍ଦରଗଡ଼ ବିଧାନସଭା ହେଉ କି ଲୋକସଭାରେ ସେ ଲଢ଼ିବାକୁ ଚାହିଥିଲେ। କିନ୍ତୁ ତାଙ୍କୁ ପ୍ରାର୍ଥୀ ନକରି ଦଳ ଦ୍ୱିତୀୟ ଥର ଝଟକା ଦେଇଥିବାରୁ ସେ କ୍ଷୁବ୍ଧ ହୋଇ ଦଳ ଛାଡ଼ିଥିବା ପ୍ରକାଶ।