Rwerwe

ଉପଖଣ୍ଡ ସ୍ତରୀୟ ୮୯ତମ ଓଡିଶା ଦିବସ -୨୦୨୪ ମହାସମାରୋହ ପାଳିତ

State

ବାରିପଦା : ବାମନଘାଟୀ ସଦର ମହକୁମା ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ୮୯ତମ ଓଡିଶା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରତ୍ୟୁଷ ଘ .୦୪-୩୦ ମିନିଟ ସମୟରେ ଉପଖଣ୍ଡ ସୂଚନା ଓ ଲୋକ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧ ସଂଗୀତ ବାଦନ କରାଯାଇଥିଲା | ପ୍ରାତଃ ୦୭ ଘଟିକା ସମୟରେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଅନ୍ୟାନ୍ୟ ଅଧିକାରୀ ଓ ଛାତ୍ର ଛାତ୍ରୀଙ୍କ ଗହଣରେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବରପୁତ୍ର ଓ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କ ରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

ଏହାପରେ ପୂର୍ବାହ୍ନ ୦୯ ଘଟିକା ସମୟରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା |ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ, ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ ଓ ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତ ଯୋଗ ଦେଇଥିଲେ | ଏତଦ ବ୍ୟତୀତ ବାମନଘାଟୀ ଉପଖଣ୍ଡ ଅତର୍ଗତ ବିଭିନ୍ନ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |

ପ୍ରାରମ୍ଭ ରେ ବରପୁତ୍ର ମାନଙ୍କ ଫୋଟଚିତ୍ର ରେ ଅତିଥି ବୃନ୍ଦ ଓ ଉପସ୍ଥିତ ଅନ୍ୟାନ୍ୟ ସମସ୍ତେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ସଭା କାର୍ଯ୍ୟ ଆରମ୍ଭ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ବାଦନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |ଏହି ଅବସରରେ ମୁଖ୍ୟ ଅତିଥି ଓଡିଶା ଦିବସ ପାଳନ ର ତାତ୍ପର୍ଯ୍ୟ ପ୍ରତିପାଦନ କରି ଯେଉଁ ଯୁଗଜନ୍ମା ମହାମନୀଷୀ ମାନଙ୍କ ଅଦ୍ୟମ ପ୍ରଚେଷ୍ଟା ରେ ଏହା ସମ୍ଭବ ହୋଇ ପାରିଥିଲା ସେମାନଙ୍କ ନୀତି ଓ ଆଦର୍ଶ ର ସ୍ମୃତି ଚାରଣ କରିଥିଲେ ଏବଂ ସେମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ସଂଗେ ସଂଗେ ଏହାକୁ ପାଥେୟ କରି ଓଡିଶା ର ସର୍ବାଙ୍ଗୀନ ଉନ୍ନତିକଳ୍ପେ ନିଜ ନିଜ ସ୍ତରରେ କାର୍ଯ୍ୟ କରି ଓଡିଶା ରାଜ୍ୟ କୁ ଏକନମ୍ବର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ କରିବା ପାଇଁ ଆଜିର ଦିନରେ ସଂକଳ୍ପ ନେବା ପାଇଁ ଆହ୍ୱାନ ଜଣାଇ ଥିଲେ |

ସମ୍ମାନିତ ଅତିଥି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ, ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତ ମଧ୍ୟ ଦିବସ ପାଳନ ପଛର ଇତିହାସ ସମ୍ଭନ୍ଧ ରେ ଆଲୋକପାତ କରିବା ସହିତ ଓଡ଼ିଆ ଜାତିର ଯେଉଁ ଯୁଗଜନ୍ମା ମହାମନୀଷୀ ତଥା ମାତୃଭୂମି ପ୍ରେମୀ ମାନଙ୍କ ନିସ୍ଵାର୍ଥପର ତ୍ୟାଗ, ଆତ୍ମବଳିଦାନ ଓ ଲହୁ ଲୁହର ପ୍ରତିଦାନ ରେ ଓଡିଶା ଏକ ଭାଷା ଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ର ମାନ୍ୟତା ପାଇ ଭାରତ ମାନଚିତ୍ର ରେ ସ୍ଥାନ ଅଧିକାର କରିବା ସହିତ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ସେହି ମହାମନୀଷୀ ମାନଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ସେମାନେ ଆମର ଚିରସ୍ମରଣୀୟ ଓ ଚିର ନମସ୍ୟ ବୋଲି ବକ୍ତବ୍ୟ ରେ ପ୍ରତିପାଦନ କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ବିଶୋଇ ଏବଂ ଅତିରିକ୍ତ ତହସିଲଦାର ଜାମଦା ବକ୍ତବ୍ୟ ମାଧ୍ୟମରେ ଓଡିଶା ପ୍ରଦେଶ ଗଠନ ରେ ଯେଉଁ ଯୁଗଜନ୍ମା ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଏହାକୁ ହାସଲ କରିବା ପାଇଁ ସେମାନେ କିପରି ଆପ୍ରାଣ ଉଦ୍ୟମ କରିଥିଲେ ସେ ବିଷୟ ରେ ଉଲ୍ଲେଖ କରିଥିଲେ |

ଏହା ପରେ ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ | ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହେମ ମାଝୀ, ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଉପଖଣ୍ଡ ସ୍ତରୀୟ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ପ୍ରମୁଖ ଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କର୍ମଚାରୀବୃନ୍ଦ, ବିଭିନ୍ନ ଶିକ୍ଷlନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ |

ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |