Norwester Rain

ଆଗାମୀ ୨ ଦିନରେ କାଳବୈଶାଖୀ ପ୍ରଭାବ: ବଜ୍ରପାତ, ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

State

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିଛି। ଘଡ଼ଘଡ଼ି ସାଙ୍ଗକୁ ବଜ୍ରପାତ ହେବା ନେଇ ପାଣପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବଜ୍ରପାତ, ପବନ ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବ।

ଆଜିଠୁ ରାଜ୍ୟରେ ଶୁଖିଲା ପାଗ ସହ ଆକାଶ ମେଘମୁକ୍ତ ରହିବ। କାଲିଠୁ ପୁଣି ତାତି ବଢି ଅଧିକାଂଶ ସହରର ତାପମାତ୍ରା ୩୫ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ। ବିଶେଷ କରି ନୟାଗଡ, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ନୂଆପଡା, ବଲାଙ୍ଗିର, ପାରଳାଖେମୁଣ୍ଡି ସହରର ତାପମାତ୍ରା ୩୯ ଡିଗ୍ରୀ ରହିବ। ଆସନ୍ତା ଏପ୍ରିଲ ମାସ ଆରମ୍ଭରୁ ଅସମ୍ଭାଳ ହେବ ତାତି। ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ବରଗଡ, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ଗଜପତି ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା।

ମାର୍ଚ୍ଚ ୩୦ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ବଜ୍ରପାତ ହେବା ସହ ବିଜୁଳି ମାରିବ ଏବଂ ପବନର ବେଗ ୩୦ ରୁ ୪୦ କିଲୋମିଟର ବେଗ ରହିବ। ଏହି ଅଞ୍ଚଳରେ ହାଲୁକା ରୁ ମଧ୍ୟମ ବର୍ଷା ହେବ।

ସେହିପରି ମାର୍ଚ୍ଚ ୩୧ ତାରିଖ ଦିନ ମଧ୍ୟ ସମାନ ସ୍ଥିତି ରହିଛି। ଏହି ଦିନ ମଧ୍ୟ ବଜ୍ରପାତ ସାଙ୍ଗକୁ ଘଡ଼ଘଡ଼ି ବିଜୁଳି ମାରିବାର ଆଶଙ୍କା ରହିଛି। ତେଣୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଦିନେ ପବନର ବେଗ ୩୦-୪୦ କିଲୋମିଟର ରହିବ। ବରଗଡ, ସମ୍ବଲପୁର, ଦେଓଗଡ, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଏବଂ ଝାରସୁଗୁଡାରେ ଏକ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।