Onn 3

ଲଗାଣ ବର୍ଷା କାରଣରୁ ଟମାଟୋ ଦର ବଢ଼ିଛି : ମନ୍ତ୍ରୀ

State

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି ଟମାଟୋ ଦର । ସପ୍ତାହକରେ ୧୦୦ ଟଙ୍କା ପାର୍ କରିଛି ଟମାଟୋ ଦର। ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ରାଜଧାନୀ ଭୁବନେଶ୍ୱରରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ କଟକରେ ଟମାଟୋ ଦର ୮୦/୯୦ ଟଙ୍କା ଛୁଇଁଛି ।ଅଚାନକ ଟମାଟୋର ଦର ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ବେଶ୍ ପ୍ରଭାବିତ କରିଛି ।

ରାଜ୍ୟରେ ଟମାଟୋର ଅହେତୁକ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ମନ୍ତ୍ରୀ କହିଛନ୍ତି ଯେ, ‘ଲଗାଣ ବର୍ଷା କାରଣରୁ ଚାଷୀଙ୍କ ସହ ବଜାର ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଓଡ଼ିଶାକୁ ବିଶେଷ କରି ବେଙ୍ଗାଲୁରୁରୁ ଟମାଟୋ ଆସିଥାଏ। ଏହା ଭିତରେ ସ୍ଥିତିରେ କିଛିଟା ପରିବର୍ତ୍ତନ ହେବାର ଆଶା କରୁଛୁ’।

ଏପରି ସ୍ଥିତିରେ  ଡାଲି କିମ୍ୱା ସେଭଳି କିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର ଯଦିକେହି  ହୋଡ଼ିଂ କରି ବଢ଼ାଉଥିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ସେପଟେ ବ୍ୟବସାୟୀ ସଂଘର ସଭାପତି କହିଛନ୍ତି, ଆବଶ୍ୟକ ପରିମାଣର ଟମାଟୋ ବଜାରକୁ ଆସୁନଥିବାରୁ ଟମାଟୋ ଦର ବଢ଼ୁଛି । ବେଙ୍ଗାଲୁର ଓ ନାଶିକରେ ଉତ୍ପାଦନ ହ୍ରାସ ପାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।