Img 20240311 Wa0207

ମାର୍ଚ୍ଚ 15 ରୁ 17 ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା

State

3ଦିନ ଧରି ଜିଲ୍ଲା ପରିକ୍ରମା କରିବ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତିରଥ

ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ କଳା ସଂସ୍କୃତି ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ 2003 ମସିହାରୁ ବାରିପଦାର ବୁଢା ବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବିଗତ 8 ବର୍ଷ ଧରି ଜିଲ୍ଲାର ଚାରିଟି ଯାକ ଉପଖଣ୍ଡର ଅଧିବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା ଏବଂ ଭାଇଚାରାର ପରମ୍ପରାକୁ ମଜଭୁତ କରିବା ଉଦେଶ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା (ବାଇକ ରେଲି ) ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିରଥର ଜିଲ୍ଲା ପରୀକ୍ରମା କାର୍ଯ୍ୟକ୍ରମ ଚଳିତ ବର୍ଷ ମାର୍ଚ୍ଚ 15 ରୁ 17 ତାରିଖ ପର୍ଯ୍ୟନ୍ତ 3ଦିନ ଧରି ଅନୁଷ୍ଠିତ ହେବ | ଏଥି ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ କମିଟିର ଉପଦେଷ୍ଟା ବର୍ଷୀୟାନ ସାମ୍ବାଦିକ ଡ଼ | ବିଜୟ କୁମାର ଅଗ୍ରୱାଲାଙ୍କ ସଭାପତିତ୍ୱରେ ବାରିପଦା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଯାଇଛି | ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ | ବରିଷ୍ଠ କର୍ମକର୍ତ୍ତା ପ୍ରାଧ୍ୟାପକ ସୁନୀଲ ଜେନା, ଅଶୋକ କୁମାର ପଲେଇ, କମଳେନ୍ଦୁ ଲାଲ ମହାନ୍ତ, ଡ଼ ଶଶୀଧର ବିଶ୍ୱାଳ, ସୁସ୍ମିତା ଘୋଷାଲ, ସାମ୍ବାଦିକ ସୁକାନ୍ତ କୁମାର ଜୀଉ , ଉଦୟନାଥ ଜେନା, ସରୋଜ ବୋଷ, ବିଭୁଦତ୍ତ ଦାସ, ପିତାମ୍ବର ମଲ୍ଲିକ, ଦିଲ୍ଲୀପ ପାତ୍ର, ଗୋଲୋକ ମହାନ୍ତି, ଦୀପକ ମଲ୍ଲିକ, ଅଧ୍ୟାପକ ଦୋଳ ଗୋବିନ୍ଦ ମହାନ୍ତ, ପ୍ରଦୀପ ପଲେଇ ସୟେଦ ସିରାଜୁଦ୍ଦିନ, ରାଜେନ୍ଦ୍ର ମହାନ୍ତ ପ୍ରମୁଖ ନିଜନିଜର ମତାମତ ରଖିଥିଲେ |

ବୈଠକର ନିଷ୍ପତି ଅନୁଯାୟୀ ଏହି ଜାଗରଣ ଯାତ୍ରା 15 ତାରିଖ ଦିନ ସକାଳ 8 ଘଟିକାରେ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ବାହାରି ମୁର୍ଗାବାଡି ଗୋଲେଇ, କୁଳିଅଣା, ଝାରପୋଖରୀଆ, ସରସକଣା, ବାଙ୍ଗିରିପୋଷି, ବିଶୋଇ, ବିଜାତଳା, ରାଇରଙ୍ଗପୁର, ବହଳଦା, ଜାମଦା ପର୍ଯ୍ୟନ୍ତ ଯିବ | ସେହିପରି 16 ତାରିଖ ଦ୍ଵିତୀୟ ଦିନ ଜାମଦାରୁ ବାହାରି ରାଇରଙ୍ଗପୁର ଗଢ, ଭାଲୁବସା, ଜଶିପୁର, ଖିଚିଂ, କରଞ୍ଜିଆ, ଠାକୁରମୁଣ୍ଡା, ଶରତ, କପ୍ତିପଦା ହୋଇ ଉଦଳାରେ ପହଂଚିବ | ସେହିପରି 17 ତାରିଖ ତୃତୀୟ ଦିନ ଉଦଳାରୁ ବାହାରି ଶୋଭାଯାତ୍ରା ଖୁଣ୍ଟା, ହରିପୁର ଗଡ଼, ବଡ଼ସାହି, ମାଣତ୍ରୀ, ପାଟୁଳିପୁରା, ବୈଶିଙ୍ଗା, ବେତନଟି, ଚିତ୍ରଡା, ମୋରଡା, ବାଘଡା, କୋଷ୍ଠା, ଶୁଳିଆପଦା, ଦେଉଳି ହୋଇ ବାରିପଦା ପଲବଣି ଗୋଲେଇ ରେ ପହଂଚିବା ପରେ ସହର ପରୀକ୍ରମା କରି ଛଉ ପଡିଆ ନିକଟରେ ଜାଗରଣ ଯାତ୍ରା ଉଦଯାପିତ ହେବ ବୋଲି ଜଣାଯାଇଛି | ମୟୁରଭଞ୍ଜର କଳା ସଂସ୍କୃତି, ଐତିହ୍ୟ ଏବଂ ଭାଇଚାରା ର ସମୃଦ୍ଧି ନିମନ୍ତେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବଳାଙ୍ଗୀ ପରିବାର ପକ୍ଷରୁ ଜିଲ୍ଲା ବାସୀଙ୍କର ସହଯୋଗ କାମନା କରାଯାଇଛି |